Advt
ପଢିବାକୁ ଲାଗିବ: < 1 ମିନିଟ, ସେୟାର ମଧ୍ୟ କରନ୍ତୁ

ବିଦ୍ୟାଳୟର ଶିକ୍ଷାର୍ଥୀମାନେ ଏମିତି ଆତ୍ମବୋଧ ପ୍ରାର୍ଥନା ବୋଲି ପାରନ୍ତି

ଆତ୍ମବୋଧ ପ୍ରାର୍ଥନା

ଆହେ ପ୍ରେମମୟ ଜ୍ଯୋତି ସ୍ୱରୂପ
ସୁଶୀତଳ ସ୍ନେହମୟ ଆଲୋକ ।

ଜଳ ସ୍ଥଳ ବନ ଗିରି ଆକାଶ
ଚରାଚରେ ତୁମ୍ଭ ପ୍ରୀତି ପରଶ ।

ତୁମେ ଚରାଚର ବିଶ୍ୱ ଜୀବନ
ତୁମେ ମଧୁର ମଳୟ ପବନ ।

ତୁମେ କୁଳୁକୁଳୁ ବନ ଝରଣା
ଚଲା ପଥର ପୁଣ୍ଯ ଧୂଳିକଣା ।

ତୁମେ ସୁନ୍ଦର ଫୁଲ ମନୋହର
ତୁମେ ମଧୁର କୋକିଳ ଝଙ୍କାର ।

ତୁମେ ଖିଲିଖିଲି ହସ ଶିଶୁର
ତୁମେ ମିଠା କଥା ସାଙ୍ଗ ସାଥୀର ।

ତୁମେ ମାଆ କୋଳପରି ସୁନ୍ଦର
ତୁମେ ଶାନ୍ତିର ଅଭୟ ପଞ୍ଜର |

ତୁମେ ସଂସାରେ ଏକମାତ୍ର ଦାତା
ସ୍ନେହ ପ୍ରେମ ବୁଦ୍ଧି ଜ୍ଞାନ ପ୍ରଦାତା ।

ତୁମେ କୃପାମୟ ଶକ୍ତି ସାଗର
ଫଳ ଯାଚି ଦିଅ କର୍ମ ପ୍ରକାର ।

ଜ୍ଞାନ ଅର୍ଜନ ମୋହର କରମ
ହସି ଆନନ୍ଦେ ଖେଳିବା ଧରମ ।

ଯେହୁ ଦେଖାଏ ରାଗ ରୋଷ ଭୟ
ତା’ର ଜ୍ଞାନର ହୋଇନି ଉଦୟ ।

ଏହା ହେଜି ଯିଏ କ୍ଷମା କରଇ
ମନ ହରଷେ ସଂସାରେ ଭ୍ରମଇ ।

ଦୋଷ କରତା ଦୁର୍ବଳ ନିଊନ
କ୍ଷମା କରତା ସିନା ବଳବାନ ।

ଜ୍ଞାନୀ ମୁନୀ ଜନ ଏହା ଜାଣନ୍ତି
ଅଜ୍ଞାନୀକୁ ତେଣୁ କ୍ଷମା କରନ୍ତି ।

କ୍ଷମା ନୁହଇଁ କେଭେ ଅପମାନ
କ୍ଷମା ପ୍ରଦାତା ଅଟେ ମହୀୟାନ ।

ବିଶ୍ୱ କଲ୍ଯାଣ ଅଟେ ମୋର ବ୍ରତ
ଦୟା ଧରମ ଶାନ୍ତି କ୍ଷମା ସତ୍ଯ ।

ବୁଦ୍ଧି ବିବେକ ବିନୟ ବଚନ
ଏହା ଅଟେ ମୋ ଜୀବନ ଭୂଷଣ ।

ତୁମେ ରକ୍ଷକ ହେ ଗୁଣ ସାଗର
ତେଣୁ ଭୟେ ନୋହୁ ଆମେ କାତର ।

ଆମେ ସମସ୍ତେ ଆନନ୍ଦ ସ୍ୱରୂପ
ସ୍ଥାୟୀ ନୁହଁଇ ରୋଗ ଶୋକ ଦୁଃଖ ।

ମୋର କଅଁଳ ଏ ଶିଶୁ ପରାଣ
ପ୍ରେମ ଜ୍ଯୋତିରେ ହେଉ ଜ୍ଯୋତିଷ୍ମାନ ।

ସୁଖ ଶାନ୍ତି ପୁରିଯାଉ ଜଗତେ
ହସ ଖୁସିରେ ରୁହନ୍ତୁ ସମସ୍ତେ ।

ଜଳ ସ୍ଥଳ ବନ ଗିରି ଆକାଶ
ନଦୀ ଝରଣା ପବନ ଆଲୋକ

ସର୍ବେ ହୁଅନ୍ତୁ ମଙ୍ଗଳ କାରକ
ସୁଖ ଆନନ୍ଦେ ପୁରୁ ସର୍ବ ଲୋକ ।

  • ଲକ୍ଷ୍ମୀଧର ନାୟକ
Advt.