Advt
ପଢିବାକୁ ଲାଗିବ: 2 ମିନିଟ, ସେୟାର ମଧ୍ୟ କରନ୍ତୁ

ବରୀରେ ବ୍ରାହ୍ମଣୀ ନଦୀରୁ ବାଲି ଚାଲାଣ , ପୋର୍କଲିନ ଚାଲିବା ଦ୍ୱାରା ନଦୀବନ୍ଧ ଫାଟିଗଲା

ଚାରିଟି ପଞ୍ଚାୟତ ଲୋକଙ୍କ ଯାତାୟାତ ରାସ୍ତା ବନ୍ଦ

କେହି ଜଣେ ବାଲି ଚାଲାଣକାରୀ ଖରିପଡିଆ ନିକଟ ବ୍ରାହ୍ମଣୀ ନଦୀରୁ ବାଲି ଉଠାଇବା ପାଇଁ ଗତକାଲି ରାତିରେ ଗୋଟାଏ ବଡ ପୋର୍କଲିନ୍ ଗାଡି ନଦୀ ବନ୍ଧ ଦେଇ ନେବା ଦ୍ୱାରା ବନ୍ଧ ଫାଟି ରାସ୍ତାଟି ସମ୍ପୁର୍ଣ୍ଣ ଭାଙ୍ଗି ରୁଜି ଯାଇଛି |

ଏହି ନଦୀ ବନ୍ଧ ରାସ୍ତାଟି ଖରିପଡିଆ, କୁଶବଟ, ଜୁଣୁଗାଁ, କଳାଖଣ୍ଡ, ପରମାନନ୍ଦପୁର, ବାଲିଆ ଏମିତି ବହୁ ଗ୍ରାମ ପାଇଁ ଜିଲ୍ଲା ହେଡକ୍ୱାର୍ଟର ଯାଜପୁରକୁ ଏକ ମାତ୍ର ଲିଙ୍କରୋଡ୍ |

ଦୟାକରି ଏହାର ବିହିତ ପ୍ରତିକାର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି |

ପ୍ରତି ବର୍ଷ ଏହିଠାରୁ ହଜାର ହଜାର ଟ୍ରକ ବାଲି ଚାଲାଣ ହେଉଥିଲେ ମଧ୍ୟ ସ୍ଥାନୀୟ ତହସିଲଦାର, ଜିଲ୍ଲା ପ୍ରଶାସନ ନୀରବ ରହୁଛନ୍ତି | ଫଳରେ ଏ ଅଣଯୋଜନାବଦ୍ଧ ବାଲିଉଠାଣ ଏଠାରେ ବ୍ରାହ୍ମଣୀ ଦକ୍ଷିଣ ପାର୍ଶ୍ୱସ୍ଥ ନଦୀ ବନ୍ଧ , ବାସଗୃହ ଓ ଚାଷଜମି ପ୍ରତି ଏକ ବଡ ବିପଦ ସୃଷ୍ଟି କରୁଛି |

ଗ୍ରାମବାସୀମାନଙ୍କ ଏ ଅସୁବିଧାକୁ ଜାଣି ମଧ୍ୟ ସ୍ଥାନୀୟ ପ୍ରଶାସନ ନୀରବ ରହିବା ଉଚିତ ହେଉ ନାହିଁ |

ଏହାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି |

ଏବେ ବିଭିନ୍ନ ନିର୍ମାଣ କାର୍ଯ୍ୟପାଇଁ ନଦୀ ବାଲିର ଆବଶ୍ୟକତା ହେଉଥିବ |

ବ୍ରହ୍ମବରଦା ନିକଟ ବେଦପୁର ପାଖରେ ବ୍ରାହ୍ମଣୀରୁ କେଲୁଅ ନଦୀ ବାହାରିଛି | ବ୍ରାହ୍ମଣୀ ନଦୀ ସେଠାରେ ଅପେକ୍ଷାକୃତ ପ୍ରଶସ୍ତ | ବର୍ଷାଦିନ ପରେ ସେଠାରେ ବ୍ରାହ୍ମଣୀ ମୁହାଁଣରେ ବାଲିଚଢା ସୃଷ୍ଟି ହୋଇ ବ୍ରାହ୍ମଣୀ ମୁହଁ ବନ୍ଦ ହୋଇଯାଏ ଓ ନଦୀ ଧାର ଛିଡିଯାଏ |

ସେଠାରୁ ବରଂ ବାଲି ଉଠାଇଲେ ବ୍ରାହ୍ମଣୀ ନଦୀର ଜଳଧାର ସବୁଦିନ ପ୍ରବାହିତ ହୁଅନ୍ତା | ସେ ସ୍ଥାନଟିକୁ ଅନୁଧ୍ୟାନ କରି ସେଠାରୁ ବାଲି ଉଠାଇବା ଉଚିତ ହେବ କି ନାହିଁ ସେ ସମ୍ପର୍କରେ ବିଶେଷଜ୍ଞମାନଙ୍କର ପରାମର୍ଶ ନିଆଯାଇ ତଦନୁରୂପ ବ୍ୟବସ୍ଥା ଗ୍ରହଣ କରାଯାଇପାରେ |

ନଦୀବାଲି ଚୋରା ଚାଲାଣ ଦିନକୁ ଦିନ ଏକ ବଡ ସମସ୍ୟାଭାବେ ଉଭା ହେଉଛି, ସ୍ଥାନୀୟ ପ୍ରଶାସନ ଏ ସମସ୍ୟାକୁ ଅନୁଧ୍ୟାନ କରି ତତ୍ପରତାର ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି |

Advt.