Advt
ପଢିବାକୁ ଲାଗିବ: 5 ମିନିଟ, ସେୟାର ମଧ୍ୟ କରନ୍ତୁ

ବାବାଜୀ ଚରଣ ଦାସ


ସତ୍ୟ ଓ ଅହିଂସାର ମୂର୍ତ୍ତିମନ୍ତ ପ୍ରତୀକ ମହାତ୍ମାଗାନ୍ଧୀ ସାତ ଥର ଓଡ଼ିଶା ଆସିଥିଲେ। ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ ଦୋଳପୂର୍ଣ୍ଣିମା ଦିନ ଗାନ୍ଧିଜୀ, ତାଙ୍କ ପତ୍ନୀ କସ୍ତୁରବା, ପୁତ୍ର ଦେବଦାସ ଓ ତତ୍କାଳୀନ ତୁଙ୍ଗ ନେତା ରାଜେନ୍ଦ୍ର ପ୍ରସାଦ ଙ୍କ ସହ ପ୍ରତ୍ୟୁଷ ରେ କଟକରେ ରେଳ ଷ୍ଟେସନ ରେ ପହଞ୍ଚି , ସେଠାରେ ଅପେକ୍ଷାରତ ପ୍ରିୟ ଓଡ଼ିଶା ବାସୀଙ୍କ ସହ ପଦଯାତ୍ରା ରେ ଯାଇ ସ୍ଵରାଜ ଆଶ୍ରମରେ ରହିଥିଲେ। କଟକ ରେଳ ଷ୍ଟେସନଠାରେ ପ୍ରାୟତଃ ତିରିଶି ହଜାର ଲୋକ ତାଙ୍କୁ‌ ସ୍ଵାଗତ କରିଥିଲେ। ଏହାପୂର୍ବରୁ ଭଦ୍ରକ ରେଳ ଷ୍ଟେସନଠାରେ ବିପୁଳ ସଂଖ୍ୟାରେ ସାଧାରଣ ଜନତା ତାଙ୍କ ଜୟଜୟକାର କରିଥିଲେ। ସେଠାରେ ତାଙ୍କୁ ଉଦବୋଧନ ଦେବାକୁ ନିବେଦନ କରାଯାଇଥିଲେ ମଧ୍ୟ ସେ କଟକ ରେ ପ୍ରତିଶ୍ରୁତି ମୁତାବକ ସଭା କରି ଦୁଇଦିନ ପରେ ଭଦ୍ରକ ଆସିବାକୁ କଥା ଦେଇଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ଏହି ପ୍ରଥମ ‌ଓଡିଶା ଗସ୍ତ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ। ଉତ୍କଳମଣିଙ୍କ ଯୋଗୁଁ ଗାନ୍ଧୀ ଙ୍କ ଦୃଷ୍ଟି ଓଡ଼ିଶା ଉପରେ ବେଶି ପଡ଼ିଥିଲା। ଉତ୍କଳମଣି ନିଜକୁ ଭୁଲି ଉତ୍କଳ ର ସେବାରେ ସବୁବେଳେ ଲାଗିଥିଲେ। ଅନ୍ୟତ୍ର ଗାନ୍ଧୀ ଉତ୍କଳମଣିଙ୍କ କଥା କହୁ କହୁ ତାଙ୍କୁ ଯଥେଷ୍ଟ ପ୍ରଶଂସା କରୁଥିଲେ।୧୯୨୧ମସିହାରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ବେଳେ ଓଡ଼ିଶାକୁ ଗାନ୍ଧିଜୀ ତାଙ୍କ ପ୍ରଥମ ଗସ୍ତ କରିଥିଲେ। ଏହି ପ୍ରଥମ ଗସ୍ତ ସମୟରେ ଉତ୍କଳରେ ପ୍ରଥମେ ପ୍ରାଦେଶିକ କମିଟି ଗଠନ କରାଗଲା।ନବଗଠିତ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି ଭାବରେ ଉତ୍କଳମଣି ଗୋପବନ୍ଧୁ ଦାସ, କାଠଯୋଡ଼ି ନଦୀ ଶଯ୍ୟା ରେ ଏକ ସାଧାରଣ ସଭା ଆୟୋଜନ କରିଥିଲେ। ଏହି ସଭାରେ ଗାନ୍ଧିଜୀ ଉଦବୋଧନ ଦେଇଥିଲେ। କଟକ ସଭାରେ ଜଣେ ତାଙ୍କୁ ପଚାରିଥିଲେ, ‘ଇଂରାଜୀ ପାଠ ତ ମନ୍ଦ ଆମେ ବୁଝୁଛୁ, ମାତ୍ର ସେହି ଇଂରାଜୀ ପାଠ ପଢି ରାମମୋହନ ରାୟଙ୍କ‌ ଭଳି, ତିଳକଙ୍କ ଭଳି ନେତା ବାହାରିଛନ୍ତି। ଆପଣ ନିଜେ ତ ସେହି ପାଠ ପଢି ଏମିତି ହୋଇଛନ୍ତି। ତେବେ ଇଂରାଜୀ ପାଠ ଆମର ଆଖି ଫିଟାଇ ଦେଇଛି ବୋଲି କାହିଁକି ନ କହିବା?’ ଏହା ଉତ୍ତରରେ ଗାନ୍ଧୀ ଯେଉଁ ଜବାବ ଦେଇଥିଲେ, ତାହା ନିଜେ ପୁଣି ତାଙ୍କ ଖବରକାଗଜ ରେ ଲେଖିଛନ୍ତି।


ଏ ବିଷୟରେ ଅନେକ ବାଦାନୁବାଦ ହୋଇଥିଲା। ଗାନ୍ଧୀ ଜବାବ ଦେଇଥିଲେ,”ମୋର ବନ୍ଧୁ ରାମମୋହନ ରାୟ, ତିଳକ ଓ ମୋ କଥା କହିଛନ୍ତି।ମୋ କଥା ଛାଡ଼ିଦିଅ। ମୁଁ ତ ନଗନ୍ୟ ଲୋକ। ତିଳକ, ରାମମୋହନ ଇଂରାଜୀ ପାଠ ଛୁଇଁ ନଥିଲେ ଆହୁରି ବଡଲୋକ ହୋଇଥାନ୍ତେ। ଚୈତନ୍ୟ, ଶଙ୍କର, କବୀର,ନାନକଙ୍କ ତୁଳନାରେ ସେ ବାମନ ଥିଲେ। ଲୋକଙ୍କ ଉପରେ ତାଙ୍କର ସେପରି କିଛି ପ୍ରଭାବ ନଥିଲା। ଶଙ୍କର ଏକା ଯାହା କରିଛନ୍ତି, ଇଂରାଜୀ ପାଠୁଆ ହଜାର ହଜାର ମିଶି ତାହା କରି ପାରିବେ ନାହିଁ। ମୁଁ ଆହୁରି କେତେ ଉଦାହରଣ ଦେଇ ପାରେ। ଗୁରୁ ଗୋବିନ୍ଦ କ’ଣ ଇଂରାଜୀ ଶିକ୍ଷାର ଫଳ ଥିଲେ? ନାନକ ଏଭଳି ଏକ ଜାତି ଗଢି ଦେଇ ଯାଇଛନ୍ତି, ଯେଉଁ ଶିଖ ଜାତି ସାହସରେ ଓ ବୀରତ୍ବରେ କାହାରି ଆଗରେ ମୁଣ୍ଡ ନୁଆଁଇବ ନାହିଁ। ସେହି ନାନକଙ୍କ ସଙ୍ଗେ କେଉଁ ଇଂରାଜୀ ପାଠୁଆ ପୁଅ ଠିଆ ହେବ? ରାମମୋହନ ଦିଲୀପ ସିଂହଙ୍କ ଭଳି ଜଣେ ଶହୀଦ ବାହାର କରିଛନ୍ତି କି? ମୁଁ ତିଳକ ଓ ରାମମୋହନଙ୍କୁ ସମ୍ମାନ କରେ। ମାତ୍ର ମୋର ବିଶ୍ବାସ ସେମାନେ ଇଂରାଜୀ ଶିକ୍ଷା ନ ପାଇଥିଲେ ଆହୁରି ବଡ ମଣିଷ ହୋଇଥାନ୍ତେ, ଚୈତନ୍ୟଙ୍କ ଭଳି ବଡ଼ କାମ କରିଥା’ନ୍ତେ।ଏ ଜାତିକୁ ପୁଣି ଜିଆଁଇବାକୁ ହେବ ତ, ଇଂରାଜୀ ଶିକ୍ଷା ଦ୍ଵାରା ତାହା ହେବନାହିଁ।”
ସତ୍ୟବାଦୀ ବନବିଦ୍ୟାଳୟ ର ଶିକ୍ଷକ ଓ ଛାତ୍ରମାନଙ୍କ ସହ ସ୍ଵେଚ୍ଛାସେବୀ ମାନେ ଏହି ସଭାକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିଥିଲେ। ମାର୍ଚ୍ଚ ୨୪ ତାରିଖ ଦିନ ଗୁଜୁରାଟିମାନଙ୍କ ଏକ ସଭାରେ ଯୋଗ ଦେଇଥିଲେ। ସେହି ଦିନ କଦମ୍ ରସୁଲ୍ ଠାରେ ମୁସଲମାନ ମାନଙ୍କ ସଭାରେ ଯୋଗ ଦେଇଥିଲେ। ବିନୋଦ ବିହାରୀ ଠାରେ ନାରୀ ଜାଗରଣ ସଭାରେ ଗାନ୍ଧିଜୀ ବକ୍ତବ୍ୟ ରଖିଥିଲେ। ଅନ୍ୟାନ୍ୟ ‌ଘଟଣାବଳୀ ମଧ୍ୟରେ ମାର୍ଚ୍ଚ ୨୫ ତାରିଖ ଦିନ ଭଦ୍ରକରେ ୨୦ ହଜାର ରୁ ଅଧିକ ଲୋକଙ୍କୁ ସଭାରେ ଉଦବୋଧନ ଦେଇଥିଲେ। ଆଇନଜୀବୀ ଓ ବ୍ୟବସାୟୀ ମାନଙ୍କ ସହିତ ପୃଥକ୍ ପୃଥକ୍ ଭାବେ ଅସହଯୋଗ ଆନ୍ଦୋଳନ ବିଷୟରେ ଆଲୋଚନା କରିଥିଲେ।ମାର୍ଚ୍ଚ ୨୬ ତାରିଖ ରେ ସାକ୍ଷୀଗୋପାଳ ସ୍ଥିତ ପଣ୍ଡିତ ଗୋପବନ୍ଧୁ ଙ୍କ ଜାତୀୟ ବିଦ୍ୟାଳୟ ପରିଦର୍ଶନ, ୨୯ ରେ ପୁରୀ ଓ ବ୍ରହ୍ମପୁର ଗସ୍ତ, ମାର୍ଚ୍ଚ ୩୦ ତାରିଖ ଦିନ ବ୍ରହ୍ମପୁର ଠାରେ ଏକ ସାଧାରଣ ସଭାରେ ମାତୃଭାଷା ର ଗୁରୁତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ ।
୧୯୨୧ ରେ ସେ ଉତ୍କଳ ର ଦୁର୍ଦ୍ଦଶା ନିଜ ଆଖିରେ ଦେଖିଥିଲେ। ସେହି ଦିନୁ ସେ କହିଥାନ୍ତି, “ଉତ୍କଳ ର ଦୃଶ୍ୟ ସବୁବେଳେ ମୋ ଆଖି ଆଗରେ ନାଚୁଛି।”


୧୯୨୫ ମସିହା ଅଗଷ୍ଟ ୨୫ ତାରିଖ ରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଅନୁରୋଧ କ୍ରମେ ଗାନ୍ଧିଜୀ ଙ୍କ ଦ୍ବିତୀୟ ଥର ‌ଓଡ଼ିଶା ଗସ୍ତ। ସେଦିନ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଉତ୍କଳ ଟ୍ୟାନେରୀ ପରିଦର୍ଶନ କରି ଏହାର ସୁପରିଚାଳନା ପାଇଁ ଆଲୋଚନା କରିଥିଲେ। ତାଙ୍କ ସହିତ ସତୀନ୍ଦ୍ର ଚନ୍ଦ୍ର ଦାସ ଗୁପ୍ତା,ରଙ୍ଗଲାଲ ଓ ମହାଦେବ ଦେଶାଇ ମଧ୍ୟ ଥିଲେ। ଅଗଷ୍ଟ ୨୦ ତାରିଖରେ ସେ କଟକ ନୁଆ ବଜାର ପୋତା ପୋଖରୀ ସ୍ଥିତ କୁଷ୍ଠାଶ୍ରମ ପରିଦର୍ଶନ କରିଥିଲେ।
ଓଡ଼ିଶାକୁ ନଭେମ୍ବର ମାସ ରେ ଆସିବାର ଥିଲା। ୧୯୨୭ ମସିହା ‌ ସେପ୍ଟେମ୍ବର ମାସ ରେ ମାନ୍ଦ୍ରାଜ‌ଠାରେ ଏକ ବକୃତା ରେ ଓଡ଼ିଶା କଥା ପ୍ରକାଶ କରିଥିଲେ।


ସେ ୧୯୨୭ ମସିହା, ଡିସେମ୍ବର ୩ ତାରିଖ ଦିନ ତୃତୀୟ ଥର ପାଇଁ ଓଡ଼ିଶା ଆସି ପାରଳାଖେମୁଣ୍ଡି,‌ବ୍ରହ୍ମପୁର, ଛତ୍ରପୁର,ରସୁଲକୋଣ୍ଡା,ଆସିକା,ଗୋବରା, ପୁରୁଷୋତ୍ତମ ପୁର,ବୋଇରାଣୀ, ପୋଲସରା, ଖଲ୍ଲିକୋଟ,କୋଦଳା, ରମ୍ଭା ଆଦି ସ୍ଥାନ ଗସ୍ତ କରି ‌ନାରୀ ଜାଗରଣ ଓ ଅସ୍ପୃଶ୍ୟତା ନିବାରଣ ନିମନ୍ତେ ସଭା କରିଥିଲେ। ଛାତ୍ର ମାନଙ୍କୁ ପ୍ରାର୍ଥନା ର ଗୁରୁତ୍ବ ଉପଲବ୍ଧି କରିବା ଓ ଭାଷା ବିବାଦ ରେ ସାମିଲ ନ ହେବାକୁ ପରାମର୍ଶ ଦେଇଥିଲେ। ଡ଼ିସେମ୍ବର ୭ ରୁ୧୨ ତାରିଖ ମଧ୍ୟରେ ଚିଲିକା, ଛତ୍ରପୁର,ରମ୍ଭା,ବ୍ରହ୍ମପୁର,ବୋଲଗଡ, ଖୋର୍ଦ୍ଧା, ଜଟଣୀ, ସାକ୍ଷୀଗୋପାଳ,ପୁରୀ ଗସ୍ତ କରିଥିଲେ। ୧୪ ତାରିଖ ରେ ସେ ପୁରୀ ରୁ ବାଲେଶ୍ଵର ଆସି ପ୍ରସିଦ୍ଧ ଆଇନଜୀବୀ ‌ଓ ଜାତୀୟତାବାଦୀ ନେତା ମୁକୁନ୍ଦ ପ୍ରସାଦ ଦାସଙ୍କ ଆତିଥ୍ୟ ଗ୍ରହଣ କରିଥିଲେ। ସେତେବେଳକୁ ବାଲେଶ୍ଵର ରେ ସି.ଏଫ୍.ଆଣ୍ଡୁଜ୍ ଓ ରେଭେରେଣ୍ଡ ଟକ୍କର ଅବସ୍ଥାନ କରୁଥିଲେ । ଡିସେମ୍ବର ୧୫ ରେ ଗାନ୍ଧିଜୀ ସୋର ର କଣ୍ଟାପାରି ରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ।ଉଚ୍ଚ‌ ରକ୍ତଚାପ ‌ସତ୍ତ୍ଵେ ଡିସେମ୍ବର ୧୬ ତାରିଖ ଦିନ ‌ଭଦ୍ରକ ରେ ପହଞ୍ଚି ବନ୍ୟା ପ୍ରପୀଡ଼ିତ ଚାରବାଟିଆ ଗଲେ। ଦୀନବନ୍ଧୁ ଆଣ୍ଡୃଜ,ହୋରେସ୍ ଆଲେକଜାଣ୍ଡାର, ରେଭେରେଣ୍ଡ ଟକ୍କର ଓ ଜୀବରାମ କଲ୍ୟାଣଜୀ କୋଠରୀ ପ୍ରଭୁତି ସେଠାରେ ଥିଲେ।ଜୀବରାମଜୀ ଓଡ଼ିଶାରେ ରହି ସେବା କାର୍ଯ୍ୟରେ ନିୟୋଜିତ ହେବେ ବୋଲି, ଗାନ୍ଧିଜୀ ଚାରବାଟିଆ ରେ ଘୋଷଣା କରିଥିଲେ। ୧୭ ତାରିଖ ରେ ବାଲିଆପାଳ ର ଏକ ସାଧାରଣ ସଭାରେ ସେ ଉଦବୋଧନ ଦେଇଥିଲେ।୧୮ ତାରିଖ ଦିନ ଉଚ୍ଚ ରକ୍ତଚାପ ସତ୍ତ୍ୱେ ଭଦ୍ରକ ରୁ ଟ୍ରେନ ରେ ଯାଇ କଟକ ରେ ପହଞ୍ଚି ଓଡ଼ିଆ ଭାଷାକୋଷ ର ପ୍ରଣେତା ଗୋପାଳଚନ୍ଦ୍ର ପ୍ରହରାଜ ଙ୍କ ଆତିଥ୍ୟ ଗ୍ରହଣ କରିଥିଲେ।
ଡିସେମ୍ବର ୧୯ ତାରିଖ ଦିନ ସେ ତାଙ୍କର ମୈାନ ବ୍ରତ ଭଂଗ କରିଥିଲେ, କେବଳ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କୁ ସାକ୍ଷାତ ଦେବାପାଇଁ।୨୧ ତାରିଖ ନୁଆ ବଜାର କୁଷ୍ଠାଶ୍ରମ ପରିଦର୍ଶନ କରି ଭାରତୀୟ ଜାତୀୟ କଂଗ୍ରେସ ର ଅଧିବେଶନ ରେ ଯୋଗଦାନ କରିବାକୁ ମାଡ୍ରାସ ଯାତ୍ରା କରିଥିଲେ।


ବମ୍ବେ ରୁ କଲିକତା ଯିବା ବାଟରେ ୧୯୨୮ ମସିହା ଡିସେମ୍ବର ୨୮ ତାରିଖ ରେ ଝାରସୁଗୁଡ଼ା ଓ ସମ୍ବଲପୁର ଗସ୍ତ କରି ସଭା କରିଥିଲେ।
୧୯୩୪ ମସିହା ମଇ ମାସ ୫ ତାରିଖ ଦିନ ଝାରସୁଗୁଡ଼ା, ସମ୍ବଲପୁର,ବାମୁର୍ ଓ ଅନୁଗୁଳ ଗସ୍ତ କରିଥିଲେ।ଅନୁଗୋଳ ରେ ରହିବା ଓ ସଭା କରିବା ପାଇଁ ପୋଲିସ ବାରଣ କରିବାରୁ ସେ ଗୋଟେ ବଡ ଆମ୍ବ ତୋଟା ରେ ଅବସ୍ଥାନ କରି ଅସ୍ପୃଶ୍ୟତା ବିରୋଧରେ ସଭା କରିଥିଲେ। ତାପରେ ବଅଁରପାଳ, ହିନ୍ଦୋଳ ଓ ପୁରୀ ଗସ୍ତ କରିଥିଲେ। ମେ ୮ ତାରିଖ ରେ ପୁରୀ ସିଂହଦ୍ବାର ସମ୍ମୁଖରେ ବଡ଼ଦାଣ୍ଡରେ ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।
ଗାନ୍ଧିଜୀ ପୁରୀ ଠାରେ ପଦଯାତ୍ରା ଆରମ୍ଭ କରି କହିଥିଲେ,”ଆଜି ଏ ଜଗନ୍ନାଥ ଧାମ ରୁ ପଦଯାତ୍ରା ଆରମ୍ଭ କରୁଥିବାରୁ ମତେ ଭାରି ଆନନ୍ଦ ଲାଗୁଛି।ଏ ପୁରୀ ଧାମ ପୂର୍ବ ଜଗତର ବଡ଼ ଧାମ; ଏଠାରେ ସବୁ ହିନ୍ଦୁ ସମାନ ଭାବରେ ଭଗବାନଙ୍କ ପ୍ରସାଦ ପାଇଥା’ନ୍ତି।”


ବର୍ତ୍ତମାନ ର ପୁରୀ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ଅନେକ ସ୍ଥାନ ରେ ସେ ଉଦବୋଧନ ଦେଇଥିଲେ। ଗାନ୍ଧିଜୀ,କଟକ ମହାନଦୀର ବାଲି ଉପରେ ଏକ ବିରାଟ ସାଧାରଣ ସଭା କରିଥିଲେ। ଗୋପାଳପୁର,ବୈରି,ଚମ୍ପାପୁର, ଇନ୍ଦୁପୁର,ବରୀ,କାଇପଡା କଳାମାଟିଆ,ଅନ୍ଯାସୀପୁର,ବାଗଦା,ଅରଙ୍ଗାବାଦ,ନେଉଳୀ,ସାହସପୁର,ପୁରୁଷୋତ୍ତମପୁର,ବୁଢାଘାଟ, ଯାଜପୁର, ମଞ୍ଜୁରୀ, ଭଣ୍ଡାରୀପୋଖରୀ,ତୋଡଙ୍ଗ, ଗରଦପୁର ଜୀବରାମ ଭାଇ ଙ୍କ ଆଶ୍ରମ, ଭଦ୍ରକ ର ସଦାବ୍ରତ ମଠ, ଆଜି ବି ଗାନ୍ଧିଜୀଙ୍କ ସ୍ମୃତିରେ ମୁଖରିତ।
ଭଣ୍ଡାରିପୋଖରୀ ପରେ ଓଡଙ୍ଗଠାରେ ମୌନ ଦିବସ ପଡ଼ିଲା।ଭୀଷଣ ବର୍ଷା ହେବାରୁ ପଦଯାତ୍ରା ବନ୍ଦ କରି ବାର ମାଇଲ୍ ଦୂରରେ ଅବସ୍ଥିତ ଜୀବରାମ ଭାଇଙ୍କ ଆଶ୍ରମକୁ ଏକା ଓଳିକେ ଚାଲି ଯିବାକୁ ସ୍ଥିର କରାଗଲା। ସହକର୍ମୀଙ୍କ ମନରେ ଆଶଙ୍କା ଥାଏ, କାଳେ ତାଙ୍କ ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେବ। କିନ୍ତୁ ଗାନ୍ଧିଜୀ ବାରିକପୁର ଛକରେ ସାମାନ୍ୟ ବିଶ୍ରାମ ନେଇ ଭଦ୍ରକ ରେ ପହଞ୍ଚି ଆପଣା କାମରେ ଲାଗିଗଲେ।


ସରକାର ୧୪୪ ଧାରା ଜାରି କରିବାରୁ ସେ ସଦାବ୍ରତ ମଠ ପରିତ୍ୟାଗ କରି ଜୁନ ୮ ତାରିଖ ରେ ଭଦ୍ରକ ମହତାବ କୋଠି ରେ ଅବସ୍ଥାନ କରିଥିଲେ। ସେହିଠାରୁ ମହାତ୍ମା ଗାନ୍ଧୀଙ୍କର ‌କର୍ମୀ ମାନଙ୍କ ପାଇଁ ବାର୍ତ୍ତା ଥିଲା,”ଗାଁ ରେ ଯାଇ ରହ”।ଭଦ୍ରକ ରୁ ଖଡ଼ଗପୁର ‌ଟ୍ରେନ୍ ରେ ଗଲାବେଳେ ମାର୍କୋଣା,ସୋର,ଖନ୍ତାପଡା, ବାଲେଶ୍ଵର,ହଳଦୀପଦା,ଅମର୍ଦାରୋଡ, ଜଳେଶ୍ଵର ଆଦି ଷ୍ଟେସନ ରେ ବିପୁଳ ସମ୍ବର୍ଦ୍ଧନା, ଓଡ଼ିଶାର ଜନସାଧାରଣ ଏବଂ ମହାତ୍ମାଗାନ୍ଧୀ ଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ର ସୂଚନା ଦେଉଥିଲା ।


୧୯୩୮ ମସିହା ମାର୍ଚ୍ଚ ୨୫ ତାରିଖ ଦିନ ଗାନ୍ଧିଜୀ ଙ୍କ ସହ ତାଙ୍କ ପତ୍ନୀ କସ୍ତୁରବା,ପୁତ୍ର ମଣୀ ଲାଲ, ବୋହୂ ସୁଶୀଳା ଓ ନାତି ଅରୁଣ, ପୁରୀ ଜିଲ୍ଲାର ଡେଲାଙ୍ଗ ନିକଟସ୍ଥ ବେରବୋଇ କୁ ଆସିଥିଲେ। ଗାନ୍ଧୀ ସେବା ସଂଘର ସଭାପତି କିଶୋର ଲାଲ ମଶୃଓ୍ଵାଲା, ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘୋଷ, ଡ଼ଃ ରାଜେନ୍ଦ୍ର ପ୍ରସାଦ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଆଚାର୍ଯ୍ୟ କୃପାଳିନୀ, ଗଙ୍ଗାଧର ରାଓ ଦେଶପାଣ୍ଡେ, ଅବଦୁଲ କାଲାମ ‌ଆଜାଦ୍, ଗୋବିନ୍ଦ ବଲ୍ଲଭ ପନ୍ଥ,ପ୍ଯାରେଲାଲ,କାକା ସାହେବ କାଲେଲକାର,ହୃଦୟନାଥ କୁଞ୍ଜରୁ,କ୍ଷିତିଶ ରାୟ ଚୌଧୁରୀ, ଦାଦା ଧର୍ମାଧିକାରୀ, ସୈାକତ୍ ରାଓ ଦେଓ, ଯମୁନା ଲାଲ ବଜାଜ୍,ଆର.ଆର.ଦିବାକର, ପ୍ରଭୁ ଦାସ ଗାନ୍ଧୀ ଓ ଆନ୍ନା ସାହେବ ସହସ୍ରବୁଦ୍ଧେ ପ୍ରମୁଖ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିଲେ।


ଡେଲାଙ୍ଗ ନିକଟବର୍ତ୍ତୀ ବେରବୋଇ ଠାରେ ସକାଳ ୮ଟା ୧୫ ମିନିଟ ରେ ପ୍ରଦର୍ଶନୀ ଉଦଘାଟନ କରି ଗାନ୍ଧିଜୀ କହିଥିଲେ,”ଭାରତବର୍ଷରେ ଓଡ଼ିଶା ମୋର ପ୍ରିୟତମ ଦେଶ। ମୁଁ ଯଦି ଓଡ଼ିଶାର ଅଳ୍ପ ବହୁତ ସେବା କରିପାରିବି, ତାହା ଦ୍ବାରା ଭାରତର ସେବା କରିପାରିବି। ଏହି ରୂପେ ଉତ୍କଳ ମୋ ପାଇଁ ଗୋଟିଏ ତୀର୍ଥ ସ୍ଥାନ ହୋଇଗଲା।” ଡେଲାଙ୍ଗ ସମ୍ମିଳନୀ ଗୋଳମାଳ ରେ ଗାନ୍ଧିଜୀ ତାଙ୍କର ବାଡି ଖଣ୍ଡିକ କେଉଁଠି ହଜାଇ ଦେଇଥିଲେ।ଗାନ୍ଧିଜୀ ଙ୍କ ବ୍ୟବହାର ପାଇଁ ଆଚାର୍ଯ୍ୟ ହରିହର ଯେଉଁ ବାଉଁଶ ବାଡ଼ି ଖଣ୍ଡିକ ଦେଇଥିଲେ, ତାହା ୧୯୪୪ ମସିହା ପର୍ଯ୍ୟନ୍ତ ତାଙ୍କ ପାଖରେ ଥିଲା। ଆଚାର୍ଯ୍ୟ ମହାଶୟ ଆଉ ଖଣ୍ଡେ ସେମିତି ବାଡି , ସେମିତି ଘଷି ମାଜି ଚିକ୍କଣ କରି ଦେବାରୁ ଗାନ୍ଧୀ କହିଥିଲେ,’ ଏ ବାଡି ହେଲା ସତ, ମାତ୍ର ଏ ବାଡି ସେ ବାଡି ନୁହେଁ।’ ପରେ ସେ ବାଡି ବିଷୟରେ ଜଣେ ସହକର୍ମୀଙ୍କୁ ବୁଝାଇଥିଲେ ଯେ ସେଥିରେ ସେ ସମୟରେ ଆଚାର୍ଯ୍ୟ ଙ୍କର ଯେଉଁ ପ୍ରେମ ଭାବନା ଓ ତ୍ୟାଗ ପ୍ରବୃତ୍ତି ଥିଲା, ତାହାର ମଧୁର ସ୍ମୃତି ସେ ବାଡ଼ିରେ ଥିଲା।
ଡେଲାଙ୍ଗ ସମ୍ମିଳନୀ ପରେ, ମହାତ୍ମାଗାନ୍ଧୀ ଙ୍କର ଓଡ଼ିଶାକୁ ଆସିବା ସମ୍ଭବ ହୋଇ ନ ଥିଲେ ମଧ୍ୟ ଓଡ଼ିଶା ପ୍ରତି ସେହି ପ୍ରୀତି ଓ ବ୍ୟାକୁଳତା ଅତୁଟ ରହିଥିଲା।


୧୯୩୬ ମସିହାରେ ଚରଖା ସଂଘର କଡ଼ା ନିୟମ ହେଲା ଯେ ଯେଉଁ ପ୍ରଦେଶର ଶାଖା କ୍ଷତି କରିବ,ସେ ସବୁକୁ ବନ୍ଦ କରିଦିଆଯିବ। କିନ୍ତୁ ଓଡ଼ିଶା ବେଳକୁ ଏଥିରେ କୋହଳ କରାଯାଇ ଥିଲା।
ଗାନ୍ଧିଜୀ କହିଥିଲେ,”ଭଗବାନ ମନ୍ଦିରରେ ନାହାନ୍ତି କି ମସଜିଦ୍ ରେ ନାହାନ୍ତି, ବାହାରେ ନାହାନ୍ତି କି ଭିତରେ ନାହାନ୍ତି। ଯଦି ସେ କେଉଁଠି ଥାଆନ୍ତି ତେବେ ତାହା ହେଉଛି ଦୀନ ଓ ଦରିଦ୍ରର କ୍ଷୁଧା ଓ ତୃଷାରେ।”
୧୯୪୬ ମସିହା ଜୁନ ୨୦ ତାରିଖ ରେ ଗୈାହାଟି ରୁ ଓଡ଼ିଶା ଆଗମନ ସମୟରେ ବାଲେଶ୍ଵର, ଭଦ୍ରକ,କଟକ ଓ ବ୍ରହ୍ମପୁର ରେଳ ଷ୍ଟେସନରେ ଗାନ୍ଧିଜୀ ଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗାନ୍ଧିଜୀ ଙ୍କ ଓଡ଼ିଶା ଗସ୍ତ ସମୟରେ ତାଙ୍କ ସହିତ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ, ବୁଦ୍ଧିଜୀବୀ, ସାମ୍ବାଦିକ, ଐତିହାସିକ ଓ ଜନସାଧାରଣଙ୍କ ବ୍ୟତୀତ ଦୁଇ ଜଣ ବିଦେଶିନୀ,ମିରାବେନ୍ ଓ ସ୍ଵାଧୀନତା ସଂଗ୍ରାମୀ ସାରଙ୍ଗଧର ଦାସଙ୍କ ପତ୍ନୀ ଫ୍ରିଡା ହାଉସ୍ଓ୍ଵିର୍ଥ ସାମିଲ ହୋଇଥିଲେ।
ସମ୍ବଲପୁର ଠାରେ ‌ନାରୀ ମାନେ ହାତବୁଣା ଲୁଗା ପିନ୍ଧି ଥିବାର ଦେଖି ସେ ଅତ୍ୟନ୍ତ ଖୁସି ହୋଇଥିଲେ। ସେହି ସଭାରେ କହିଥିଲେ-“ହନୁମାନ ଙ୍କ ହୃଦୟ ଚିରି ଦେଖିଲା ବେଳକୁ ‘ରାମ ନାମ’ ଲେଖା ଥିଲା। ସେହିଭଳି ମୋ ହୃଦୟ ଚିରି ଦେଖିଲେ ‘ଦରିଦ୍ର ନାରାୟଣ’ ଲେଖା ଥିବାର ଦେଖିବ’ ।”ଭାଷା ଭିତ୍ତିରେ ଉତ୍କଳ ନାଁ ଟି ପ୍ରଥମେ ଗାନ୍ଧୀଙ୍କ ଯୋଗୁଁ ସମ୍ଭବ ହୋଇ ପାରିଥିଲା। ସେଥିପାଇଁ ଉତ୍କଳମଣି ଗୋପବନ୍ଧୁ ଦାଶ ତାଙ୍କ ବନ୍ଦୀର ଆତ୍ମକଥା ରେ ଲେଖିଛନ୍ତି-
” ଭାରତେ ଉତ୍କଳ ମହା ପୂଣ୍ଯଧାମ,
ଭାରତ ପାଞ୍ଜିରେ ନ ଥିଲା ତା ନାମ।
ଭାରତ ‌ଜାତୀୟ ମହା ସମ୍ମିଳନେ,
ନ ବସେ ଉତ୍କଳ ସ୍ଵତନ୍ତ୍ର ଆସନେ।
ତେଣୁ ଜଗନ୍ନାଥ କରୁଣା ନିଧାନ,
କରୁଣା କଟାକ୍ଷେ କଲେ ଅବଧାନ।
ଅସହଯୋଗର ପବିତ୍ର ସରିତ,
ଉତ୍କଳର ବକ୍ଷେ ହେଲା ପ୍ରବାହିତ।
ଗାନ୍ଧୀ ଭଗିରଥ ନିଜ ପୁଣ୍ୟବଳେ,
ଆଣିଲେ ଅସଙ୍ଗ ଜାହ୍ନବୀ ଉତ୍କଳେ।”
ଦେଶ ସ୍ବାଧୀନ ହେଲା। କିନ୍ତୁ ତାହା ଦେଖିବାକୁ ଗାନ୍ଧିଜୀଙ୍କ ଅତି ପ୍ରିୟ ଉତ୍କଳମଣି ଗୋପବନ୍ଧୁ, ଉତ୍କଳ ଗୌରବ ମଧୁସୂଦନ ଓ ଭାଷାକୋଷ ର ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜ ଇହଧାମ ରେ ନଥିଲେ। ଉତ୍କଳମଣି ଗୋପବନ୍ଧୁଙ୍କ ମୃତ୍ୟୁ ଖବର ପାଇ ଗାନ୍ଧିଜୀ, ଆପଣାର ‘ୟଙ୍ଗ୍ ଇଣ୍ଡିଆ’ ଖବରକାଗଜ ରେ ଲେଖିଥିଲେ,”ଜଣେ ପୂଣ୍ଯାତ୍ମା ସଂସାରରୁ ଚାଲିଗଲେ।ଓଡ଼ିଶା ଦୁ଼ଃଖକଷ୍ଟର ଆବାସଭୂମି-ତାରି ଶ୍ରେଷ୍ଠ ସୁପୁତ୍ର ଗୋପବନ୍ଧୁ ଦାଶ ସାକ୍ଷିଗୋପାଳଠାରେ ଦେହତ୍ୟାଗ କରିବାର ଖବର ପାଇଲି।”
ଆଚାର୍ଯ୍ୟ ହରିହର, ଗାନ୍ଧିଜୀଙ୍କ ଆଦର୍ଶ ରେ ଦୀର୍ଘ ଜୀବନ ଅତିବାହିତ କରିଥିଲେ। ଗାନ୍ଧିଜୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ଓଡ଼ିଶାବାସୀଙ୍କ ହୃଦୟରେ ଜାତିର ଜନକ ମହାତ୍ମାଗାନ୍ଧୀ ଙ୍କ ଓଡ଼ିଶା ଗସ୍ତ, ଚିର ସ୍ମରଣୀୟ ହୋଇ ରହିଛି।


ବାବାଜୀ ଚରଣ ଦାସ ,
ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୭୫୧୦୧୯
ଦୂରଭାଷ-୮୮୯୫୪୮୪୨୨୩
ସହାୟକ ଗ୍ରନ୍ଥ :
୧-ଗାନ୍ଧୀ ଓ‌ ଉତ୍କଳ : ଗୋପବନ୍ଧୁ ଚୌଧୁରୀ ।
୨- ଓଡ଼ିଶାରେ ଗାନ୍ଧିଜୀ: ଆଚାର୍ଯ୍ଯ ଭାବାନନ୍ଦ ।

Advt.