Home କୁହ ସରକାର ଚକେ ଗଲେ ବାର ହାତ : ଚାଷୀମାନଙ୍କ ପ୍ରତି ମନେ ରଖିଲା ଭଳି କେତେକ ବର୍ବର...

ଚକେ ଗଲେ ବାର ହାତ : ଚାଷୀମାନଙ୍କ ପ୍ରତି ମନେ ରଖିଲା ଭଳି କେତେକ ବର୍ବର ଆକ୍ଷେପ ଓ ଚଞ୍ଚକତା

53
0

ଚକେ ଗଲେ ବାର ହାତ : ଚାଷୀମାନଙ୍କ ପ୍ରତି ମନେ ରଖିଲା ଭଳି କେତେକ ବର୍ବର ଆକ୍ଷେପ ଓ ଚଞ୍ଚକତା

ସେ କେନ୍ଦ୍ର ସରକାର ହୁଅନ୍ତୁ ବା ରାଜ୍ୟ ସରକାରଗଣ,ଖାଲି କାଗଜପତ୍ରରେ ନିଜର ସଫଳତା ଲେଖି ସେଗୁଡିକର ପ୍ରଚାର ଓ ପ୍ରସାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ଯେଉଁଥିରେ ବଦନାମ ହେବାର ଥାଏ, ସେଗୁଡିକ ଚପେଇ ଦିଅନ୍ତି, ଯେମିତି କି ଚାଷୀ ଆତ୍ମହତ୍ୟା ଉପରେ ଆଉ କୌଣସି ତଥ୍ୟ ଆସୁନାହିଁ।
କେଉଁଠି କେମିତି ତାହା ପ୍ରଘଟ ହୋଇଗଲେ ସରକାରଙ୍କ ଦଳୀୟ ଲୋକେ ଓ ଗଣମାଧ୍ୟମ ସେଗୁଡିକ ମିଛ ବୋଲି ପ୍ରମାଣିତ କରି ଦେଉଛନ୍ତି ଓ ଗାଳି ବି ଦେଉଛନ୍ତି।

ଚାଷୀ ଆତ୍ମହତ୍ୟାକୁ ବନ୍ଦ କରିବାକୁ, ତା15.04.2014ରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଶ୍ରୀ ନରେନ୍ଦ୍ର ମୋଦିଜୀ, ଝାଡଖଣ୍ଡ ପ୍ରଦେଶର ହଜାରିବାଗର ଏକ ନିର୍ବାଚନୀ ସଭାରେ କହିଥିଲେ-
‘ ଆମେ ଚାଷୀଙ୍କ ଉତ୍ପାଦିତ ଫସଲର ସର୍ବନିମ୍ନ ମୂଲ୍ୟ ( MINIMUM SUPPORT PRICE-MSP), ଚାଷର ସମସ୍ତ ଖର୍ଚ୍ଚକୁ ହିସାବକୁ ନେଇ , ତା ଉପରେ 50% ଲାଭ ରଖି ସ୍ଥିର କରିବୁ’ । ଏହା , ‘ଉତ୍ପାଦିତ ଫସଲର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ ‘ ପାଇଁ ଗଠିତ’ ଏମ.ଏସ. ସ୍ୱାମୀନାଥନ କମିଟି ସୁପାରିଶର C-2 ଫର୍ମୁଲା ହିସାବ’ରେ କୁହା ଯାଇଥିଲା।

ସେହି କମିଟି ତିନୋଟି ଫର୍ମୁଲା ବାବଦରେ କହିଥିଲେ, ଯଥା – (କ) A-2–ବିହନ+ ସାର+କୀଟନାଶକ + ଔଷଧ+ଘର ଲୋକଙ୍କ ମଜୁରୀକୁ ଛାଡି ଅନ୍ୟ ମଜୁରି+ଜମି ଲିଜରେ ଆଣିଥିଲେ ସେ ଖର୍ଚ୍ଚ + କୃଷି ଯନ୍ତ୍ରପାତି ଓ ଗୋଦାମଘର ଉପରେ Depriciation ଯେତିକି, ଉତ୍ପାଦିତ ଫସଲର ମୂଲ୍ୟ ତାର ଦେଢଗୁଣ ହେବ। ଏଥିରେ ଚାଷୀଙ୍କ
ଘରଲୋକ ମଜୁରୀ ଲାଗିଲେ, ତାହା ହିସାବକୁ ନିଆ ଯାଏ ନାହିଁ ଯଦିଓ ସେମାନେ ବାହାରେ ଖଟିଥିଲେ ମଜୁରୀ ପାଇଥାନ୍ତି

(ଖ) A-2+F.L- ( FAMILY LABOUR) ଏଥିରେ A-2 ଖର୍ଚ୍ଚ ସହ ପରିବାରର ମଜୁରୀ ମିଶିଥାଏ, ଉତ୍ପାଦିତ ଶସ୍ଯର ମୂଲ୍ୟ ନିର୍ଦ୍ଧାରଣ ପାଇଁ କିନ୍ତୁ ଚାଷୀ ଯଦି ନିଜ ଜମିରେ ଚାଷ ନକରି ଅନ୍ୟକୁ ଲିଜରେ ଦିଅନ୍ତି, ତେବେ ସେଥିପାଇଁ ପାଉଥିବା ଅର୍ଥର ପରିମାଣ ଏଥିରେ ମିଶି ନଥାଏ

(ଗ) C-2- ଏହା ଜରିଆରେ A-2+F.L ଫର୍ମୁଲା ସହିତ ନିଜ Capital Assets (ଜମିକୁ ଛାଡି)ର ସୁଧ + ଜମିର ଲିଜ ମୂଲ୍ୟ(ସରକାରୀ ଖଜଣାଦେୟକୁ ଛାଡି) ଇତ୍ୟାଦି ସମସ୍ତ ଖର୍ଚ୍ଚ ହିସାବକୁ ନିଆଯାଇ ତାହାର ଦେଢଗୁଣରେ ଉତ୍ପାଦିତ ଫସଲର ଦର ଧାର୍ଯ୍ୟ କରାଯାଇଥାଏ। ଏହା ହିଁ ଯଥାଯଥ ହିସାବର ଫର୍ମୁଲା।

2011 ମସିହାରେ ମୋଦିଜୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥାଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କୁ ଚିଠିଟିଏ ଲେଖି ଦାବି କରିଥିଲେ ଯେ-
‘ଉତ୍ପାଦିତ ଫସଲର ନ୍ୟୁନତମ ମୂଲ୍ୟ ନିର୍ଦ୍ଧାରଣ ପାଇଁ କୌଣସି ଲିଖିତ ନିର୍ଦ୍ଦେଶନାମା ନାହିଁ।ଯାହା ବା ଚାଲିଛି, ଯେଉଁମାନେ ନିର୍ଧାରିତ ମୂଲ୍ୟ ଠାରୁ କମରେ କିଣୁଛନ୍ତି, ସେମାନଙ୍କ ଉପରେ ଦଣ୍ଡର ବ୍ୟବସ୍ଥା ନାହିଁ। ତେଣୁ ସଂସଦରେ ଏ ବାବଦରେ ଯଥାଯଥ ନିୟମ ପ୍ରଣୟନ କରାଯାଉ’।

ଚକ ଘୁରିଗଲା ଓ 2014 ମଇ ମାସରେ ସ୍ୱୟଂ ମୋଦିଜୀ ପ୍ରଧାନମନ୍ତ୍ରୀ ହେଲେ ଓ ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରିବା ବାବଦରେ ସଂସଦରେ ନିୟମ ପାରିତ କଲେ ନାହିଁ। ବରଂ, ଏହା ଉପରେ ସୁପ୍ରିମକୋର୍ଟରେ ହୋଇଥିବା ଏକ ମୋକଦ୍ଦମା ଉପରେ ତାଙ୍କ ସରକାରଙ୍କ ତରଫରୁ ସତ୍ୟପାଠରେ କୁହା ଯାଇଥିଲା ଯେ-
‘ ଏହା ସମ୍ଭବପର ନୁହେଁ ‘।

2019 ମସିହା ନିର୍ବାଚନ ପୂର୍ବରୁ ପୁଣି ଚାଷୀଙ୍କ ଭୋଟ ପାଇଁ ଦୁଇହଜାର ଅଠର ମସିହା ଜୁଲାଇମାସ ଚାରି ତାରିଖରେ ସେ ସ୍ୱାମୀନାଥନ କମିଟିର A-2+FL ଫର୍ମୁଲାରୁ ବି କମରେ ‘ ସର୍ବନିମ୍ନ ସହାୟକ ମୂଲ୍ୟ’ ଲାଗୁ କରେଇଥିଲେ କିନ୍ତୁ ବିଧିବଦ୍ଧ ନିୟମ ନହେବାରୁ ଉତ୍ପାଦିତ ଫସଲ ପାଇଁ ବାବୁମାନେ ଯାହା ବି ମୂଲ୍ୟ ଧାର୍ଯ୍ୟ କରୁଛନ୍ତି, ତାହା ତୁଳନାରେ ଯଥେଷ୍ଟ କମ ମୂଲ୍ୟରେ ଚାଷୀ ବିକୁଛନ୍ତି ଯେହେତୁ କିଣାଳିମାନେ ବଡଲୋକ, ବେଶି ଚାନ୍ଦାଦାତା ଓ ଆଇନ ଜରିଆରେ ସେମାନଙ୍କ ପାଇଁ ଦଣ୍ଡ ବିଧାନ ଅର୍ଥସର୍ବସ୍ଵ ରାଜନୀତିର ପରିପନ୍ଥୀ । ଅର୍ଥାତ, ‘ତୋ ବାକ୍ୟ ତୁହି ରକ୍ଷାକର, ଅସତ୍ୟ ନୁହେଁ ସୌଦାଗର’ ଭଳି ମହାନ ବାଣୀଟିକୁ ମୋଦିଜୀ ଅଣଦେଖା କଲେ ।

ତା 01 .12 .2020ରିଖ ପୂର୍ବାହ୍ନ ଏଗାରଘଟିକା ସମୟରେ ଭୁବନେଶ୍ଵରର ବାପୁଜୀନଗର ଅଂଚଳରୁ ଔଷଧ ଧରି ଫେରିଲା ବେଳେ ଲୋଏର ପିଏମଜିର ଧାରଣାସ୍ଥଳ ଆରମ୍ଭରେ ‘ ନବ ନିର୍ମାଣ କୃଷକ ସଂଗଠନ ‘ ତରଫରୁ
‘ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନୁଆ କୃଷି ଆଇନ ରଦ୍ଦ ଦାବୀରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ସମର୍ଥନରେ ‘ଲେଖାଥିବା ବ୍ୟାନରଟିଏ ଆଗରେ କିଛି ଲୋକ ବସିଥିବାର ଦେଖି, ତା 21.06.1985 ରିଖରୁ ଆଜି ଯାଏ ଚାଷୀଙ୍କ ଅବସ୍ଥା ବାବଦରେ କିଛି ଘଟଣା, ଆକ୍ଷେପମୂଳକ ବକ୍ତବ୍ଯ ମନେ ପଡି ଯାଇଥିଲା, ଯେଉଁଗୁଡିକର ବର୍ଣନା ନିମ୍ନରେ;

(କ) ତାହା ଥିଲା ତା 21.06.1985 ରିଖ, ଯେଉଁଦିନ ତତ୍କାଳୀନ ଯୁବ ପ୍ରଧାନମନ୍ତ୍ରୀ ଶ୍ରୀ ରାଜୀବ ଗାନ୍ଧୀ, ତାଙ୍କ ପତ୍ନୀଙ୍କ ସହ କଳାହାଣ୍ଡି ଜିଲ୍ଲାର ବଙ୍ଗମୁଣ୍ଡା ଗ୍ରାମକୁ ଆସିଥିଲେ ‘ ଚରମ ଦାରିଦ୍ର୍ଯ ଯୋଗୁ ସେ ଗ୍ରାମର ଶ୍ରୀମତୀ ଫାନସ ପୁଞ୍ଜି , ତାଙ୍କ ନାବାଳିକା ନଣନ୍ଦ ବନୀତାଙ୍କୁ ବିକ୍ରି କରିଥିବା” ଖବର ପାଇ।

ସେ ଆସିଲେ ଓ ଗଲେ। ବନିତା ବିଭା ହୋଇ ସେଇ ଦାରିଦ୍ର୍ଯର ତାଡନାରେ ନିଜ ଛୁଆ ବିକିବା ପାଇଁ ଉଦ୍ୟମରତ ହୋଇଥିବା ଖବରଟିଏ ପ୍ରକାଶିତ ହୋଇଥିଲା।

(ଖ) ଚକ ଘୁରି ଚାଲିଲା ଓ ତା 21.07.2008 ରିଖରେ ତାଙ୍କ ତନୟ ତଥା ସେତେବେଳେ କଂଗ୍ରେସର ଉପାଧ୍ୟକ୍ଷ ଥିବା ଶ୍ରୀ ରାହୁଲ ଗାନ୍ଧୀ ସଂସଦରେ ମହାରାଷ୍ଟ୍ରର ବିଦର୍ଭ ଅଂଚଳର ଶ୍ରୀମତୀ କଳାବତୀ ବନ୍ଦୋରକରଙ୍କ ଦୁଃଖ ବାବଦରେ ବର୍ଣ୍ଣନା କରିଥିଲେ ଯାହାଙ୍କ ସ୍ୱାମୀ ଶ୍ରୀ ପର୍ଶୁରାମ ବନ୍ଦୋରକର , କିଛି ଦିନ ପୂର୍ବରୁ ଚାଷରେ କ୍ଷତି ସହି ଆତ୍ମହତ୍ୟା କରିଥିଲେ ଓ ରାହୁଲଜୀ, ଶ୍ରୀମତୀ କଳାବତୀଙ୍କ ପାଖକୁ ଦୌଡିଯାଇ, ନିଜ ବାପାଙ୍କ ତେଇଶି ବର୍ଷ ତଳର ଫାନସ ପୁଞିଙ୍କୁ ଆଶ୍ୱସନା’ ମୁଁ ଅଛି’ କୁ ଦୋହରାଇଥିଲେ। ଅଥଚ, ଚାଷରେ କ୍ଷତି ସହି କଳାବତୀଙ୍କ ଜ୍ୱାଇଁ 2010 ମସିହାରେ ଆତ୍ମହତ୍ୟା କରିଥିଲେ।

(ଗ) ‘ନା, ଏ କଂଗ୍ରେସିଆଙ୍କ କଥା ନୁହେଁ, ମୋଦିଜୀ ହିଁ ଚାଷୀଙ୍କ ସମସ୍ୟା ଦୂର କରିବେ ‘ ମନୋଭାବ ନେଇ ଚାଷୀକୂଳ ଯଥେଷ୍ଟ ଭୋଟ ଦେଇ ମୋଦିଜୀଙ୍କ ସରକାର ଗଢାଇଲେ । ଅଥଚ, ତା 25 .07.2015 ରିଖରେ ତାଙ୍କରି କୃଷିମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହ କହିଥିଲେ ‘ ପ୍ରେମ ଓ ଯୌନକ୍ରିୟାରେ ବିଫଳ ହୋଇ ( ନଂପୁଷକ ଥାଇ) ଚାଷୀ ଆତ୍ମହତ୍ୟା କରୁଛନ୍ତି’।

(ଘ) ତା ପୂର୍ବରୁ ତା 29.04.2015 ରିଖରେ ମୋଦିଜୀଙ୍କ ଦଳ ଶାସିତ ହରିୟାଣାର କୃଷିମନ୍ତ୍ରୀ ଶ୍ରୀ ଓମ୍ ପ୍ରକାଶ ଧାନକଡ କହିଥିଲେ ‘ ଆତ୍ମହତ୍ୟା କରୁଥିବା ଚାଷୀ ଭୀଋ ଓ କାପୁଋଷ।ସେମାନେ ଦୟାର ପାତ୍ର ନୁହନ୍ତି’।

(ଙ) ତା 21.07.2016 ରିଖରେ ମୋଦିଜୀଙ୍କ ଦଳ ଶାସିତ ମଧ୍ୟପ୍ରଦେଶର ତତ୍କାଳୀନ ଗୃହମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ସିଂ ଠାକୁର ବିଧାନସଭାରେ କହିଥିଲେ ‘ ମିଳିଥିବା ତଥ୍ୟ ଅନୁଯାୟୀ ଚାଷୀଙ୍କ ଆତ୍ମହତ୍ୟା ଭୌତିକକାଣ୍ଡ ଯୋଗୁ’ ଅର୍ଥାତ ଭୂତ ବେକ ମୋଡି ମାରୁଛି।

(ଚ) ତା 03.12.2014 ରିଖରେ ମହାରାଷ୍ଟ୍ରରୁ ନିର୍ବାଚିତ ବିଜେପିର ସାଂସଦ ଶ୍ରୀ ସଞ୍ଜୟ ଧୋତ୍ରେ କହିଥିଲେ ‘ସେମାନେ ତାଙ୍କ କଥା ବୁଝନ୍ତୁ, ମଲେ ମରନ୍ତୁ’।

(ଛ) ତା 08.04.2015 ରିଖରେ ବିଜେପିର ବଡନେତା ଶ୍ରୀ କୈଳାଶ ବିଜୟବର୍ଗେ କହିଥିଲେ ‘ ଫସଲ ନଷ୍ଟ ଯୋଗୁ ଚାଷୀ ଆତ୍ମହତ୍ୟା କରୁ ନାହାନ୍ତି। ଅନ୍ୟ କାରଣମାନ ଅଛି’।

(ଜ) ଏନ.ସି.ପି ତରଫରୁ ଏବେ ମହାରାଷ୍ଟ୍ରର ଉପ- ମୂଖ୍ୟମନ୍ତ୍ରୀଥିବା ଶ୍ରୀ ଅଜିତ ପାୱାର ତା 08.04.2013 ରିଖ ବେଳକୁ ସେଠାର ଜଳସେଚନ ମନ୍ତ୍ରୀ ଥିଲେ। କେନାଲରେ ପାଣି ନ ଆସନ୍ତେ ଓ ଚାଷୀମାନେ ସେ କଥା ଉଠାନ୍ତେ , ସେ କହିଥିଲେ ‘ ମୁଁ ପରିସ୍ରା କରି ଜଳାଶୟଗୁଡିକ ଭରିବି କି?’।

(ଝ) କେନ୍ଦ୍ରରେ ଥିବା ଭାରି ଦକ୍ଷ ମନ୍ତ୍ରୀ ଶ୍ରୀ ନିତୀନ ଗଡକରି
ତା 05.05.2015 ରିଖରେ କହିଥିଲେ ‘ ମୁଁ ବଗିଚାରେ ପରିସ୍ରା କରେ ଯାହା ସାରର କାମ ଦିଏ।”

( ଞ) ତା 09.05.2020 ରିଖରେ ମହାରାଷ୍ଟ୍ରର କୃଷିମନ୍ତ୍ରୀ ଥିଲେ ବିଜେପିର ବରିଷ୍ଠ ନେତା ଶ୍ରୀ ଏକନାଥ ଖଡସେ ଯିଏ ଏବେ ଶ୍ରୀ ଶରଦ ପାୱାରଙ୍କ ଏନସିପି ଦଳରେ। ସେତେବେଳେ ସେ କହିଥିଲେ ‘ଚାଷୀ ଆତ୍ମହତ୍ୟାର ନିର୍ଦ୍ଦିଷ୍ଟ ସମାଧାନ ପନ୍ଥା ନାହିଁ ‘।

ଖାଲି ଯେ ଚାଷୀମାନଙ୍କ ପ୍ରତି ଏପରି ବର୍ବର ଆକ୍ଷେପ, ତାହା ନୁହେଁ। ଦଳିତମାନଙ୍କ ଉଦ୍ଦେଶ୍ୟରେ

(କ) ତା 20 .06.2016 ରିଖରେ ମହାରାଷ୍ଟ୍ରର ତତ୍କାଳୀନ ବିଜେପି ବିଧାୟକ ଶ୍ରୀ ରବୀନ୍ଦ୍ର ଚୌହାଣ କହିଥିଲେ ‘ ସେମାନେ ନର୍ଦମାର ଘୁଷୁରିଛୁଆ ଯେଉଁମାନଙ୍କ ଉନ୍ନତି ପାଇଁ ମୋଦିଜୀ ବହୁତ କିଛି କରୁଛନ୍ତି’।

(ଖ) 2015 ମସିହା ଅକ୍ଟୋବର ମାସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭି.କେ.ସିଂ, ହରିୟାଣାରେ ଦୁଇଜଣ ଦଳିତ ପିଲାଙ୍କୁ ପୋଡି ମାରି ଦିଆଯିବା ଉପରେ କହିଥିଲେ
‘ ଏହା କୁକୁର ଉପରକୁ ଟେକାମାଡ଼ ଭଳି ଛୋଟ ଘଟଣାଟିଏ ‘।

(ଗ) ତା17.11.2018 ରିଖରେ, ହରିୟାଣାରେ ଝିଅପିଲାଙ୍କ ଧର୍ଷଣ ଉପରେ ସେଠାର ମୂଖ୍ୟମନ୍ତ୍ରୀ କହିଥିଲେ ‘ 80 -90% ଧର୍ଷଣ ରାଜିରୁଜାରେ ହୋଇଥାଏ। ସେମାନଙ୍କ ଭିତରେ ଗଣ୍ଡଗୋଳ ହେଲେ ସବୁ ବିଗିଡି ଯାଏ’।

(ଘ) ଜଣେ ଦିବଙ୍ଗତ ନେତା କହିଥିଲେ‘ MOLESTATION ନିହାତି ଛୋଟ କଥା’।

(ଙ) ଆଉ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଥିଲେ ‘ ମହିଳା ଓ ଦଳିତମାନଙ୍କ ଉପରେ ମାଡ ହେଲେ ସେମାନେ ନିୟନ୍ତ୍ରଣ ଭିତରେ ଋହନ୍ତି’ ।

ଏବେ ଚାଲିଥିବା ଚାଷୀ ଆନ୍ଦୋଳନ ଉପରେ
(କ) ସେଇ ଧନକଡ ମହାଶୟ (ଉପର ‘ଘ’ ବର୍ଣିତ ) କହିଛନ୍ତି
‘ ଏମାନେ କୁଅର ବେଙ୍ଗ ହୋଇ ରାଜାଙ୍କ ସଙ୍ଗେ ଲାଗିଛନ୍ତି |

(ଖ) ସେଠାର ମୂଖ୍ୟମନ୍ତ୍ରୀ କହିଛନ୍ତି ‘ ସେମାନେ ଖଲିସ୍ଥାନୀ ଓ ସଂତ୍ରାସବାଦୀ’ ଯଦିଓ ଆନ୍ଦୋଳନକାରୀ ଚାଷୀମାନେ ପୋଲିସମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି ।

(ଗ) ଦଳୀୟ IT CELL ତରଫରୁ ତ ଅସଂଖ୍ୟ ଅପପ୍ରଚାର ଓ ଆକ୍ଷେପ ଚାଲିଛି।

ତେବେ ସେ ଯାହା ହେଉ, 2011 ମସିହାରେ ଗୁଜୁରାଟର
ମୂଖ୍ୟମନ୍ତ୍ରୀ ଥାଇ ଯେଉଁ ମୋଦିଜୀ ସଂସଦ ଦ୍ୱାରା ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ଉପରେ ନିୟମ ପାରିତ ହେବା ପାଇଁ ଦାବି କରିଥିଲେ, 2020 ମସିହାରେ ଚାଷୀଙ୍କ ସେହି ଦାବି ଉପରେ ପ୍ରଧାନମନ୍ତ୍ରୀ ହୋଇଥିବା ସେହି ମୋଦିଜୀ କାହିଁକି ଠିକ ସେଇ ଦାବିର ଅଣଦେଖା କରୁଛନ୍ତି, ତାହାର ଉତ୍ତର ମିଳୁନାହିଁ।

ପୁଞ୍ଜିପତିମାନଙ୍କ ସ୍ୱାଧୀନତା ରହିଛି ନିଜ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରିବାକୁ । ଉତ୍ପାଦନ ଖର୍ଚ୍ଚ ତୁଳନାରେ ଖାଉଟିଙ୍କ ପାଇଁ କିଣା ମୂଲ୍ୟ ଯଥେଷ୍ଟ ଅଧିକ ନ ହେବା ପାଇଁ CONSUMER GOODS
( MANDATORY PRINTING OF COST OF PRODUCTION AND MAXIMUM RETAIL PRICE ) ACT- 2006ରେ ବ୍ୟବସ୍ଥା ରହିଛି ଯେ ‘ଜିନିଷ ଥିବା ପ୍ରତ୍ୟେକ ପ୍ୟାକେଜ, ବୋତଲ ଉପରେ ଉତ୍ପାଦନ ମୂଲ୍ୟ ତଥା ସର୍ବାଧିକ ବିକ୍ରି ମୂଲ୍ୟ ‘ ରହିବ। କିନ୍ତୁ କୌଣସି ପ୍ୟାକେଜ୍ ଉପରେ ‘ ଉତ୍ପାଦନ ଖର୍ଚ୍ଚ ‘ ଲେଖାଥିବାର କେହି ଦେଖିଛନ୍ତି କି ?

ପୁଞ୍ଜିପତିମାନେ ନିଜ ଉତ୍ପାଦିତ ଜିନିଷର ସର୍ବାଧିକ ମୂଲ୍ୟ ନିର୍ଦ୍ଧାରଣ କରନ୍ତି କିନ୍ତୁ ଚାଷୀମାନେ ସେମାନଙ୍କର ଉତ୍ପାଦନର ସର୍ବନିମ୍ନ ସହାୟକ ଦର ନିର୍ଧାରଣ ପାଇଁ ସାମ୍ବିଧାନିକ ନିୟମ ପ୍ରଣୟନ ପାଇଁ ଦାବି କଲେ, ପାଣି/ ବେତମାଡ ଖାଇବା ସହ
‘ ଖଲିସ୍ଥାନୀ/ ପାକିସ୍ଥାନୀ’ ପ୍ରମାଣପତ୍ର ପାଆନ୍ତି।

ପୁଞିପତିମାନେ ମୋଟେ ଦାବି ନକରି ବି ବାର୍ଷିକ ଲକ୍ଷ ଲକ୍ଷ କୋଟି ଟଙ୍କାର ଟିକସ ଓ ଋଣ ଛାଡ ପାଆନ୍ତି ଯାହାକୁ
ଶୁଦ୍ଧ ଭାଷାରେ ‘ ପ୍ରୋତ୍ସାହନ’ କୁହାଯାଏ । ଅଥଚ, ଚାଷୀ ବହୁତ କମ ପରିମାଣର ଠିକ ସେହି ଦାବି ପାଇଁ ରାସ୍ତାକୁ ଓଲ୍ହେଇଲେ ବି ସେମାନଙ୍କ ପାଇଁ ବ୍ୟବସ୍ଥା ତ ହୁଏ ନାହିଁ, ବରଂ ପୁଞିପତିଙ୍କ ପାଇଁ ‘ ପ୍ରୋତ୍ସାହନ ‘ କହୁଥିବାମାନେ ଚାଷୀଙ୍କ ଦାବି ଉପରେ କୁହନ୍ତି ‘ଏହା ଘୃଣ୍ୟ ରିହାତି ପାଇଁ ଦାବି ଯାହା ଅର୍ଥନୀତିକୁ ବରବାଦ କରିବ’।

ଶାସନକୁ ଆସିବାକୁ ଅଜସ୍ର ଖର୍ଚ୍ଚଦାତାଙ୍କ ଋଣ ପରିଶୋଧ ନକରି ଭବିଷ୍ୟତ ପାଇଁ ଅସୁବିଧାରେ ପଡିବାକୁ ତଥା ପର ଜନ୍ମରେ ଚାନ୍ଦାଦାତାଙ୍କ ବିଲରେ ଲଙ୍କାଗଛ ହୋଇ ଜନ୍ମନେବାକୁ (ଋଣ ପରିଶୋଧ ନକରି ମଲେ, ଆର ଜନ୍ମ ପାଇଁ ଏପରି ଦଣ୍ଡ ମିଳେ ବୋଲି କୁହାଯାଏ) ଚାଲାକ ମହାମହିମମାନେ ଫସଲ ମୂଲ୍ୟାଙ୍କନ ପାଇଁ ସାମ୍ବିଧାନିକ ନିୟମ ପାଇଁ ଇଛା ନକରିବା ଏକଦମ ଯୁକ୍ତିଯୁକ୍ତ ବୋଲି ଧରିନିଆଯାଉ।

ଏବଂ, ଏପରି କାହିଁକି, ହୁଏତ ଏହାର ଉତ୍ତର ଓଡିଶା ବୌଦ୍ଧିକ ଜଗତର ଅନ୍ୟତମ ଉଜ୍ବଳ ନକ୍ଷତ୍ର ଶ୍ରୀ ଚିତ୍ତ ରଞନ ଦାସ ,
ତା 08.12 .1990ରିଖରେ ତାଙ୍କ ରଚିତ ‘ସରକାରୀ ପଣ୍ଡାତନ୍ର’ ( BUREAUCRACY) ପ୍ରବନ୍ଧରେ, ଆଜିକୁ ତିରିଶି ବର୍ଷ ତଳେ ସେତେବେଳର ପରିସ୍ଥିତିକୁ ତର୍ଜମା କରି ଲେଖିଦେଇଥିଲେ ଯାହାର କିଛି ଅଂଶ ହେଉଛି –
‘ ଠାକୁରଙ୍କର ହାତଗୋଡ ନଥାଏ ମାତ୍ର ପଣ୍ଡାମାନେ ଥାଆନ୍ତି । ଠାକୁରମାନେ ସବୁବେଳେ ଅଚଳ କିନ୍ତୁ ପଣ୍ଡାମାନେ ସଚଳ ।ସେହିପରି ସରକାର ମୋଟେ ଚାଲୁନଥାଉ ପଛେ ସାନରୁ ଆରମ୍ଭ କରି ବଡ ହାକିମମାନେ ସଦା ସଚଳ ।

  • ଦରିଦ୍ର ଦେଶର ଶାସନ- ବିଧାତାଙ୍କ ଅପାର କୃପା ବଳରେ ଏହି ପଣ୍ଡାମାନଙ୍କ ହାତରେ ସବୁ ରହିଛି। କଲମ ଅଗରେ ଯେତେ ରହି ନାହିଁ, ଖିଆଲ ଆଗରେ ହୁଏତ ତା’ଠାରୁ ଅଧିକ ପରିମାଣରେ ଅଛି।

ସେମାନଙ୍କ ଭୋଗ-ଅଂଶଗୁଡିକ ଯେତିକି ପରିମାଣରେ ବଢୁଛି, କାହିଁ ଦେଶର ଦୂରାବସ୍ଥା ତାହାର ଦଶ ଭାଗରୁ ଭାଗେ ଅନୁପାତରେ ମଧ୍ୟ ଦୂର ହେଉନାହିଁ ତ !

  • ପ୍ରଜାମାନଙ୍କ ଲାଗି ସେମାନଙ୍କୁ ମୁତୟନ କରାଯାଇଛି ସିନା,ମାତ୍ର ସେମାନେ ପ୍ରଜାମାନଙ୍କ ଛାତି ଉପରେ ହାତୀ ଉପରେ ବସି ବାଟ ଚାଲୁଛନ୍ତି ,ଠାକୁରଙ୍କୁ ଉଢୁଆଳ କରି ରଖିଛନ୍ତି ‘ । ମୋ କଥା- ସ୍ୱାଧୀନତା ପରଠାରୁ ଏ ପର୍ଯ୍ୟନ୍ତ ଚିତ୍ତଭାଇଙ୍କ ବର୍ଣିତ ପଣ୍ଡାମାନଙ୍କ ଦରମା ଦେଢଶହ ଗୁଣ ବଢିଥିବା ସ୍ଥଳେ ଚାଷୀଙ୍କର ଆୟ ବଢିଛି ମାତ୍ର ଉଣେଇଶି ଗୁଣ। ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ଚାଷୀଙ୍କୁ ଦିଆଗଲେ, ଦେଢଶ ଗୁଣ ଦରମା ବୃଦ୍ଧିର ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ବାବଦରେ ଅଧିକ ଖର୍ଚ୍ଚ କରିବାକୁ ପଡିବ । ରୋଜଗାରର ତାରତମ୍ୟ କମ ହୋଇଯିବା ତଥା ଆଢୁଆଳରେ ଥିବା ଠାକୁରଙ୍କ ଉପରେ ମଧ୍ୟବିତ୍ତ ଶ୍ରେଣୀର ଅସନ୍ତୋଷ ଜନିତ ଭୋଟ କମିଯିବା ଭୟରେ ପଣ୍ଡାଏ ଚାଷୀଙ୍କ ଦାବୀ ନଶୁଣିବାକୁ , ସେମାନଙ୍କ ଉପରେ ନିର୍ଭରଶୀଳ ଠାକୁରଙ୍କ କାନରେ ଗୁପ୍ତରେ ଫୋଡି ଦେଇଛନ୍ତି କି ?

ପୁନଃଶ୍ଚ, ତିନିଜଣ ମହାନ ଓଡିଆଙ୍କ ରଚିତ ତିନୋଟି
ସବୁସମୟ ପାଇଁ ଅତି ପ୍ରଯୁଜ୍ୟ ଢଗସମୂହ ମନେ ପଡିଯାଏ, ଯେଉଁଗୁଡିକ ନିମ୍ମରେ।
ସେମାନଙ୍କ ଅମ୍ଳାନ ସ୍ମୃତିରେ ଶତକୋଟି ପ୍ରଣାମ ଅର୍ପଣ କରୁଛି।

(କ) କହି ଦିଅନ୍ତି ପରକୁ- ବୁଦ୍ଧି ନ ଦିଶଇ ଘରକୁ
(ଖ) ବଡ ଥିଲେ ପଚାରି- ସାନ ଥିଲେ ବିଚାରି।
(ଗ) ଏକା ମାଧିଆ ବାଇଶ ପଳ।

ଏବେ ସେହି ଢଗ ତିନୋଟିର ‘ସାଂପ୍ରତିକ ଚାଷୀ ଆନ୍ଦୋଳନ ‘ ଉପରେ ପ୍ରାସଙ୍ଗିକତାକୁ ନେଇ ସମ୍ୟକ୍ ଆଲୋଚନା ନିମ୍ମରେ ,ଉପରେ ବର୍ଣିତ ଆଲୋଚନାକୁ ଛାଡି।

‘କ ଢଗଟି ‘ ଉପରେ

‘ଭାରତୀୟ କିଶାନ ସଂଘ ( BKS) ‘ ହେଉଛି ମୋଦିଜୀଙ୍କ ନିଜ ଘର ବା ପରିବାର ‘ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ’ ର ଅନ୍ୟତମ ସଦସ୍ୟ। ସେହି ସଙ୍ଗଠନର ସାଧାରଣ ସମ୍ପାଦକ ଶ୍ରୀ ବଦ୍ରି ନାରାୟଣ ଚୌଧୁରୀ ତା 05.12.2020ରିଖରେ ମୋଦିଜୀଙ୍କ ବିଚାର ପାଇଁ ନିମ୍ନୋକ୍ତ ପ୍ରସ୍ତାବଗୁଡିକ ରଖିଛନ୍ତି;

(1) ଚାଷୀଙ୍କ ଉତ୍ପାଦିତ ଫସଲ ହୋଲସେଲ ମାର୍କେଟ ବା ତା ବାହାରେ ଯେପରି ‘ ସର୍ବନିମ୍ନ ସହାୟକ ମୂଲ୍ୟ ‘ରୁ କମ ଦାମରେ ବିକା ନହୁଏ, ତାର ବ୍ୟବସ୍ଥା କରାଯାଉ।
(2011 ମସିହାରେ ମୋଦିଜୀଙ୍କ ଆହ୍ବାନ- ଏଥିପାଇଁ ସାମ୍ବିଧାନିକ ବ୍ୟବସ୍ଥା କରାଯାଉ- ବାବଦରେ ମୋଦିଜୀ ଓ ଚୌଧୁରୀଜୀ ନୀରବ ରହିଛନ୍ତି)

(2)ସବୁ ଚାଷୀଙ୍କ ପାଇଁ ଉପଲବ୍ଧ ହେଉଥିବା ସରକାରୀ ପୋର୍ଟାଲ୍ ( portal) ଖୋଲାଯାଇ ସେଥିରେ ସବୁ ବ୍ୟବସାୟୀମାନଙ୍କ ରେଜିଷ୍ଟ୍ରେସନ କରାଯାଉ।

(3) ବିକ୍ରୀ ହେଉଥିବା ଫସଲର ମୂଲ୍ୟ ନିର୍ଦିଷ୍ଟ ସମୟସୀମା ଭିତରେ ଦିଆଯିବାକୁ ବ୍ୟବସ୍ଥା ହେଉ ଓ ଏଥିପାଇଁ
ବ୍ୟାଙ୍କଗ୍ୟାରେଣ୍ଟି ବ୍ୟବସ୍ଥା ରହୁ ।

(4) ଚାଷୀଙ୍କ ଫସଲ ବିକା ଉପରେ ଉପୁଜୁଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ପ୍ରତି ଜିଲ୍ଲାରେ
” କୃଷି ଟ୍ରିବୁନାଲ ‘ ଗଠିତ ହେଉ।

ସେ ଚୌଧୁରୀ ପୂର୍ବରୁ INDIA TODAY ମାଗାଜିନକୁ
ତା 19.09.2020ରିଖରେ ଦେଇଥିବା ସାକ୍ଷାତକାର ( ରାଜ୍ୟସଭାରେ ଦୁଇଟି ବିଲ ପାରିତ ହେବା ପୂର୍ବଦିନ)ର ସାରାଂଶ ହେଉଛି

(କ) ଆମେ ଚାଷୀଙ୍କ ସହ ଅଛୁ ଓ ରହିବୁ। ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବାକୁ ନିୟମ ହେବା ଉଚିତ, ନଚେତ୍ ସରକାର ଜାମିନ ରହିବା କଥା।
ଏବର ବିଲ୍ ରେ ଚାଷୀ ଅସୁବିଧାରେ ପଡିଲେ ସମାଧାନର ବ୍ୟବସ୍ଥା ନାହିଁ ( THE ENTIRE DISPUTE REDRESSAL SYSTEM IS FAULTY).

ଏହା କର୍ପୋରେଟମାନଙ୍କ ସ୍ୱାର୍ଥରେ ଓ ଚାଷୀଙ୍କୁ ଆହୁରି ହଇରାଣରେ ପକାଇବ।

(ଖ) ଦେଶର 80% ଚାଷୀ କ୍ଷୁଦ୍ର ଓ ନାମ ମାତ୍ର ବର୍ଗର। ‘ଗୋଟିଏ ଦେଶ, ଗୋଟିଏ ବଜାର ‘ନିତୀ ସେମାନଙ୍କ ସ୍ୱାର୍ଥରେ ନୁହେଁ। ଏହା ବଡ ପୁଞିପତି ଓ ବଡଚାଷୀଙ୍କ ଲାଭ ପାଇଁ ଉଦ୍ଦିଷ୍ଟ।

ଗତ ଦୁଇଟି ବଜେଟରେ କୁହାଯାଇଥିବା 22000 ମଣ୍ଡି କାହିଁ ? ବାସ୍ତବତା ସହିତ ସଂପର୍କ ନଥିବା ବାବୁମାନେ କୃଷି ଓ ଖାଦ୍ୟ ବିଭାଗ ଦାୟିତ୍ବରେ ରହି ଏସବୁ ପାଲା କରୁଛନ୍ତି।

(ଗ) ଆମ ସହ ସଂଶ୍ଲିଷ୍ଟ 50000 ଚାଷୀ ପ୍ରଧାନମନ୍ତ୍ରୀଙ୍କୂ ଚିଠି ଲେଖି ‘ ଏ ପ୍ରକାର ଆଇନ ଆମକୁ ଦରକାର ନାହିଁ ‘ ବୋଲି ଜଣାଇଥିଲେ । RSS ଓ ବିଜେପିରେ ଥିବା ବନ୍ଧୁମାନଙ୍କୁ ଜଣେଇଛୁ ଯେ ‘ ଏଥିରେ ଥିବା ଚାରୋଟି ଦୁର୍ବଳତା ଆମ ପାଇଁ ଗ୍ରହଣୀୟ ନୁହେଁ ‘

(ଘ)ଆମେ ସରକାରଙ୍କ ଲୋକଙ୍କୁ ଭେଟିଥିଲୁ ଓ କଥାବାର୍ତ୍ତା ବେଳେ ଲାଗୁଥିଲା ଯେ ସେମାନେ ଆମ କଥାରେ ସମ୍ମତ ଅଛନ୍ତି ଯାହାର ପ୍ରତିଫଳନ ଘଟି ନାହିଁ।

ଏହା SELECT COMMITTEEକୁ ପଠାଯିବାକୁ ଆମେ ଦାବୀ କରିଥିଲୁ।ଦରକାର ହେଲେ ଆମେ ଚାଷୀଙ୍କ ସହ ମିଶି ଅହିଂସା ଆନ୍ଦୋଳନ କରିବୁ।

ମୋଦିଜୀ ଏହାଙ୍କ କଥା ବି ନ ଶୁଣି ଏ ଢଗଟିକୁ ଅକାମୀ କରିଦେଇଛନ୍ତି।

‘ଖ ଢଗଟି’ ଉପରେ :

ମୋଦିଜୀଙ୍କ ଜନ୍ମ ତାରିଖ ହେଉଛି ତା 17.09.1950 ରିଖ ଏବଂ ଏବକୁ ଦିବଙ୍ଗତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀମତି ସୁଷମା ସ୍ୱରାଜ ଜନ୍ମ ହୋଇଥିଲେ ତା 14.02.1952ରିଖରେ।

ବୟସରେ ସାନ ହେଲେ ବି କେନ୍ଦ୍ର ରାଜନୈତିକ ଜୀବନରେ ସୁଷମାଜୀ, ମୋଦିଜୀଙ୍କ ଠାରୁ ବରିଷ୍ଠ । ସେ ମଧ୍ୟ ଏକଦା ପ୍ରଧାନମନ୍ତ୍ରୀ ପଦର ଦାବିଦାର ଥିବାରୁ ମୋଦିଜୀ ତାଙ୍କୁ ବୈଦେଶିକ ବିଭାଗର ମନ୍ତ୍ରୀପଦ ଦେଇଥିଲେ ମଧ୍ୟ ନିଜେ ସେ ବିଭାଗର ସବୁ କଥା ବୁଝିଥିଲେ ଓ ମେଡେମ କେବଳ ଅନ୍ୟ ଦେଶରେ କୌଣସି ଭାରତୀୟ ଅସୁବିଧାରେ ପଡିଲେ, ତାଙ୍କ ସମସ୍ୟାର ସମାଧାନ କଥା ବୁଝୁଥିଲେ।

ତେବେ ସେ ଯାହା ହେଉ, କେନ୍ଦ୍ର ରାଜନୀତିରେ ମୋଦିଜୀଙ୍କ ତୁଳନାରେ ତାଙ୍କ ବରିଷ୍ଠତାକୁ ବିଚାରକୁ ନେଇ, ଢଗଟିର ‘ ବଡ ଥିଲେ ପଚାରି’ ଅଂଶଟି ଅନୁସାରେ, ମ୍ୟାଡାମ, ଲୋକସଭାରେ ବିରୋଧୀ ଦଳ ନେତ୍ରୀ ଥାଇ ସଂସଦରେ ଚାଷୀମାନଙ୍କ ସ୍ୱାର୍ଥରେ ଯାହା କହିଥିଲେ ତାହା ନିମ୍ମରେ;

ଗାନ୍ଧୀଜୀଙ୍କ ‘ଗ୍ରାମସ୍ୱରାଜ’ ଉପରେ ପ୍ରତିଷ୍ଠିତ କଂଗ୍ରେସଦଳ ନେତୃତ୍ବରେ UPA-II ସରକାର ‘ ବିଭିନ୍ନ ଖୁଚୁରା ବ୍ୟବସାୟରେ 51% ବିଦେଶୀ ପୁଞ୍ଜିନିବେଶ ‘ ଉପରେ 2011 ମସିହାରେ ସଂସଦରେ ବିଲଟିଏ ଆଣନ୍ତେ, ସ୍ୱଦେଶୀ ମନ୍ତ୍ରରେ ଦୀକ୍ଷିତ ବୋଲି ଦାବି କରୁଥିବା ବିଜେପିର ତତ୍କାଳୀନ ଲୋକସଭାରେ ବିରୋଧୀ ଦଳ ନେତ୍ରୀ ସୁଷମା ସ୍ୱରାଜଜୀ ( ଏବକୁ ଦିବଙ୍ଗତ) ତା04 .12.2012ରିଖରେ ଲୋକସଭାରେ ଦୀର୍ଘ ଭାଷଣ ଦେଇ କହିଥିଲେ ‘ ନେହିଁ ଚଲେଗା’।

ସେହି ଦୀର୍ଘ ଭାଷଣରେ,ସେ ‘କାହିଁକି ସାଧାରଣ ଚାଷୀମାନେ ବଡ ବଡ ଘରୋଇ ବ୍ୟବସାୟୀମାନଙ୍କ ସହ ସିଧା ବ୍ୟବସାୟ କରିପାରିବେ ନାହିଁ ‘ ଉପରେ ଯାହା କହିଥିଲେ ତାହାର ସାରାଂଶ ନିମ୍ମରେ;

‘2011 ମସିହାରେ ସଂସଦର ଶୀତକାଳୀନ ଅଧିବେଶନରେ ଆମେ ଓ ଶାସନରେ ଥିବା କିଛି ଦଳ ‘ କ୍ଷୁଦ୍ର ବ୍ୟାପାରରେ 51% ବିଦେଶୀ ପୁଞ୍ଜିନିବେଶ ‘ ବିଲକୁ ବିରୋଧ କରିଥିଲୁ।

ତତ୍କାଳୀନ ଗୃହର ନେତା ଶ୍ରୀ ପ୍ରଣବ ମୂଖାର୍ଜୀ କହିଥିଲେ ଆମେ ରାଜ୍ୟଗୁଡିକର ମୂଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତାମାନଙ୍କ ସହ ଆଲୋଚନା କରି ଏ ବାବଦରେ ପଦକ୍ଷେପ ନେବୁ। କିନ୍ତୁ ତାହା ହେଲା ନାହିଁ ଓ ଟିଭିରୁ ଶୁଣିଲି ଯେ ସରକାର ସେହି ବିଲଟି ପାରିତ କରିବାକୁ ଯାଉଛନ୍ତି। ସରକାର କହୁଛନ୍ତି ଏହା ଉପଭୋକ୍ତା ତଥା ଚାଷୀଙ୍କ ସ୍ୱାର୍ଥ ସମ୍ବଳିତ।

ବଡ ବଡ କଂପାନି ଯଥା WORLDMART, TESCO ଇତ୍ୟାଦି ଆସିଲେ ଉପଭୋକ୍ତା ଶସ୍ତାରେ ଜିନିଷ ତ ପାଇବେ, ଚାଷୀ ବି ଅଧିକ ଦାମରେ ଫସଲ ବିକି ଅଧିକ ରୋଜଗାର କରିବେ ବୋଲି ଯୁକ୍ତି ରଖାଯାଇଛି ।

ଭାରତର ପ୍ରତ୍ୟେକ ଅଂଚଳରେ କ୍ଷୁଦ୍ର ବ୍ୟାପାରୀଗଣ ଅଛନ୍ତି ଯେଉଁମାନେ ପ୍ରତିଯୋଗିତାର ସମ୍ମୁଖୀନ ହୋଇ ଅଳ୍ପ ଲାଭରେ ଜିନିଷ ବିକିଥାନ୍ତି ।
ବଡ ବେପାରୀ PREDATORY PRICING ଧାରା ଆପଣେଇ ଥାଆନ୍ତି ଅର୍ଥାତ ପ୍ରଥମେ ଶସ୍ତାରେ ବିକନ୍ତି, ଛୋଟ ବେପାରୀ ପ୍ରତିଯୋଗିତା କରିନପାରି ବେପାର ଛାଡନ୍ତି ଓ ତାପରେ ବଡ ବେପାରୀ ବଜାରକୁ ସଂପୂର୍ଣ୍ଣ ଅକ୍ତିଆର କରି ଦର ବଢାନ୍ତି। ଏମାନେ ନିଜ କର୍ମଚାରୀଙ୍କୁ ଅଳ୍ପ ଦରମା ଦେଇ ନିଜର ଲାଭ ପରିମାଣ ଅତୁଟ ରଖିଥାନ୍ତି। ‘

ତା ପରେ ସେ ଏହି ପରି ଶୋଷଣ ଉପରେ ଆନ୍ତର୍ଜାତୀୟ ସ୍ତରରେ ହେଉଥିବା ଆନ୍ଦୋଳନ ଉପରେ ଆଲୋକପାତ କରି କହିଥିଲେ ‘ ଇଉରୋପର ଖାଉଟି ଓ ଚାଷୀ ଏପରି ସମସ୍ୟାର ସମ୍ମୁଖୀନ ହୋଇ ଜୋରଦାର ଆନ୍ଦୋଳନ କଲାପରେ 2008 ମସିହା ଫେବୃୟାରୀ ମାସରେ ଇଉରୋପିଆନ ସାଂସଦ ( EUROPEAN PARLIAMENT)ରେ ଗୋଟିଏ ଘୋଷଣାପତ୍ର ଗୃହୀତ ହୋଇଥିଲା ଯାହା ହେଉଛି

‘ LARGE SUPER MARKETS ARE ABUSING THEIR BUYING POWERS TO FORCE DOWN PRICES TO UNSUSTAINABLE LEVELS. FARMERS ARE AGITATING ACROSS EUROPE .’

ତା ପରେ ପୁଣି ସେ ‘ଅମୁଲ ସମବାୟ ସଂସ୍ଥା’ର ଉଦାହରଣ ଦେଇ , ଗୁଜୁରାଟ ସମବାୟ ଦୁଗ୍ଧ ଉତ୍ପାଦନକାରୀ ମହାସଂଘ ( Gujurat Co-op Marketing Milk Federation ) ସଭାପତି ମିଃ ସୋଡିଙ୍କର ଏକ ବକ୍ତବ୍ଯ”କୁ ଦୋହରାଇଥିଲେ ଯାହା ହେଉଛି-

‘ Farmers get the least return from the modern state and the profits , benefits go to large retailers as they constantly dry down prices

ଅର୍ଥାତ୍ ଚାଷୀ ଫସଲର କମ ମୂଲ୍ୟ ପାଅନ୍ତି, ଲାଭ ଯାଏ ବଡ ବେପାରୀଙ୍କ ହାତକୁ’।

ତାପରେ ଶ୍ରୀମତି ସ୍ୱରାଜ , ପଞ୍ଜାବରେ ପେପସୀକଂପାନୀ ଦ୍ୱାରା ଚାଷୀଙ୍କୁ ଶୋଷଣର ଉଦାହରଣ ଦେଇ କହିଥିଲେ ‘ପେପସୀକଂପାନୀ ତରଫରୁ କୁହାଯାଇଥିଲା ଥଣ୍ଡାପାନୀୟ କାରଖାନା ବନେଇବା ସହିତ ଆମେ ଚିପସ ଓ ବିଲାତିଭାଇଗଣ ସସ ତିଆରି ପାଇଁ ଚାଷୀଙ୍କ ଠାରୁ ଆଳୁ ଓ ଟମାଟୋ ନେବୁ ।

କାରଖାନା ବସିବା ପରେ କଂପାନି ତରଫରୁ କୁହାଗଲା ‘ ଏଠା ଆଳୁ ଛୋଟ ଓ ମିଠା ହୋଇଥିବାରୁ ଚିପସ ପାଇଁ ଓ ଟମାଟୋ ଖଟା ହୋଇଥିବାରୁ ସସ ପାଇଁ ଉପଯୁକ୍ତ ନୁହେଁ ‘ ଓ ବିଦେଶରୁ ଜାହାଜମାନଙ୍କରେ ବିଦେଶୀ ଆଳୁ ଓ ଟମାଟୋ ଆସିବା ଆରମ୍ଭ ହୋଇଥିଲା ।

ଗୋଟିଏ ଟ୍ରକ ସେଓ ଫଳରେ ଗୋଟିଏ ପଚା ବାହାରିଲେ ପୁରା ଟ୍ରକକୁ ଫେରାଇ ଦିଆଯାଇଛି । କୃଷକମାନଙ୍କ ଲାଭ ମଧ୍ୟସ୍ଥି ପ୍ରଣାଳି ବିଲୋପ ହେଲେ ହିଁ ହେବ।

ଆଖୁଚାଷୀଙ୍କ ଅବସ୍ଥା ତ ଆମେ ଦେଖୁଛନ୍ତି , ଚିନିକଳ ମାଲିକ ଦେଇଥିବା
‘ ଏତେ କୁଇଣ୍ଟାଲ ଆଖୁ ପାଇଛୁ’ କାଗଜକୁ ଧରି ସେମାନେ ବୁଲୁଛନ୍ତି, ଟଙ୍କା ମିଳୁନାହିଁ ।

ଆମର ସ୍ଥାନୀୟ ବେପାରୀ ଆମ ଚାଷୀଙ୍କ ଏଟିଏମ । ରାତି ଅଧରେ ଚାଷୀଙ୍କର ଦରକାର ପଡିଲେ ସେମାନେ ଉଧାର ଦେଇ ଚାଷୀଙ୍କୁ ହଇରାଣରୁ ରକ୍ଷା କରିଥାନ୍ତି। ବଡ ବେପାରୀ ସେମିତି ସାହାଯ୍ୟ କରିବେ ନାହିଁ ‘।

ସେହିପରି ଆଉ ଜଣେ ବରିଷ୍ଠ ବିଜେପି ନେତା ଥିଲେ ଶ୍ରୀ ଅଋଣ ଜେଟଲିଜୀ , ଯିଏ ତା 06.12.2012ରିଖରେ ରାଜ୍ୟସଭାର ବିରୋଧୀ ଦଳ ନେତା ଥାଇ କହିଥିଲେ
‘କଂଗ୍ରେସ ସରକାରଙ୍କର ଏ ବିଲ ଛୋଟ ମଧ୍ୟସ୍ଥିଙ୍କୁ ହଟେଇ ୱାଲମାର୍ଟ, ଟେସ୍କୋ ,ଆମାଜନ ଆଦି ବଡ ମଧ୍ୟସ୍ଥିଙ୍କୁ ଆଣିବ’।

ଦୁଇଜଣ ଦିବଙ୍ଗତ ଦଳୀୟ ବରିଷ୍ଠଙ୍କ ପରାମର୍ଶକୁ ମୋଦିଜୀ ଖାତିର ନକରି ବଡ ମଧ୍ୟସ୍ଥିଙ୍କ ସ୍ୱାର୍ଥରେ ନିୟମ କରି ଏହି ଢଗଟିର ପ୍ରଥମ ଭାଗକୁ ଟକ୍ କରି ଗିଳିଦେଇ ହଜମ କରିଦେଲେ।

ଏହି ଢଗଟିର ଅନ୍ୟ ଅଂଶଟି ହେଉଛି ‘ସାନ ଥିଲେ ବିଚାରି’ । ଖୋଦ୍ ସଂଘ ପରିବାର ଭିତରେ ମୋଦିଜୀଙ୍କ ନେତୃତ୍ବରେ ପରିଚାଳିତ ‘ବିଜେପି ବଡଭାଇ’ ହେଲା ବେଳକୁ ‘ସ୍ୱଦେଶୀ ଜାଗରଣ ମଂଚ’ସାନଭାଇ।
ଏହି ବିଲ ଉପରେ ସେହି ସଂସ୍ଥାର ସହ -ଆବାହକ ଶ୍ରୀ ଅଶ୍ୱନୀ ମହାଜନ, ତା22.09.2020 ରିଖରେ ‘ଦି ହିନ୍ଦୁ ‘ ସମ୍ବାଦପତ୍ର ସହ ଏକ ସାକ୍ଷାତକାରରେ କହିଥିଲେ ଯେ ‘ ଏହି ବିଲ୍ ଗୁଡିକରେ କିଛି ବିସଙ୍ଗତି ଥିବାରୁ ସେଗୁଡିକର ସମାଧାନ କରାଯାଇ ନୁଆ ବିଲ ଅଣାଯାଉ’ ଯାହାକୁ ବି ମୋଦିଜୀ ଖାତିର କରୁ ନାହାନ୍ତି ଓ ଏ ଢଗଟି ବି ଫୁସ୍ ହୋଇ ଯାଇ କେବଳ
‘ଗ ଢଗଟି- ଏକା ମାଧିଆ ବାଇଶ ପଳ’ ବଳବତ୍ତର ରହୁଛି।

ଶ୍ରୀ ଚିତ୍ତ ରଞନ ଦାସଙ୍କ ଦ୍ୱାରା
ତା 07.07.1990 ରିଖରେ ଲିଖିତ ” କ୍ରିୟାଶୀଳ ରାଜନୀତି “
ଲେଖାର ଶେଷ ଅଂଶରେ ସେ ଲେଖିଛନ୍ତି ” ମଣିଷ ପକ୍ଷରେ ନ୍ୟାୟ ରହିଥାଏ, ମାତ୍ର ତା ପାଖରେ ଶକ୍ତି ନଥାଏ। ତାକୁ ରକ୍ଷା କରିବେ ବୋଲି ବହୁ ଅପଶକ୍ତି ତାକୁ ଦୁର୍ବଳ ଓ ସହାୟହୀନ କରି ରଖିଥାନ୍ତି। ହୁଏତ ବାହାରକୁ ଉପରମାନଙ୍କ ପାଖକୁ ଖବର ଯାଇପାରେ ନାହିଁ ଏବଂ ଏଣେ ଜୀବନର ଡଙ୍ଗରଟି ଉଜୁଡ଼ି ଯାଏ।–“

  • ତୁଷାରକାନ୍ତ ଶତପଥୀ, ଭୁବନେଶ୍ୱର

LEAVE A REPLY

Please enter your comment!
Please enter your name here