ଏମିତି କରନ୍ତୁ ଶିକ୍ଷା ବିଭାଗ
ବିଭିନ୍ନ ସମୟରେ ସରକାରଙ୍କୁ ଏଇଗୁଡା ମୋର ପ୍ରସ୍ତାବ ,
ମୁଁ ଏବେ ତାରା ବାହିନୀପତି ଓ ବିରୋଧୀ ଦଳ ମାନଙ୍କର ପ୍ରସ୍ତାବର ଅପେକ୍ଷା ରଖୁଛି
ପ୍ରସ୍ତାବ – 1 ( 21 .06.2019 )
ଏବେ ରାଜ୍ଯରେ ବୋଧ ହୁଏ ପ୍ରାୟ ୫୫ ହଜାର ପ୍ରାଇମେରି ସ୍କୁଲ କୁ ୬୦ ହଜାର ଶିକ୍ଷକ ।
ସ୍କୁଲ ଗୋଟାକୁ ଭାଗ ପଡୁଛି ଜଣେ ଶିକ୍ଷକ ।
ଶ୍ରେଣୀ ପାଂଚଟା, ପ୍ରଥମରୁ ପଂଚମ ।
ପ୍ରାଇମେରୀ ସ୍କୁଲ ରେ ମୋଟ ପିଲା ପ୍ରାୟ ୩୦ ଲକ୍ଷ ।
ଅର୍ଥାତ୍ ସ୍କୁଲ ଗୋଟାକୁ ମୋଟ ପିଲା ୫୫ ଜଣ ।
ପାଂଚ ଟା ଶ୍ରେଣୀ ।
ପ୍ରତି ଶ୍ରେଣୀରେ ପଡିଲା ୧୧ ଟା ପିଲା ।
ଜଣେ ଶିକ୍ଷକ ପାଂଚଟା ଯାକ ଶ୍ରେଣିରେ ପଢେଇବ ।
ସ୍କୁଲ ଘର କୋଉଠି ତିନି ବଖରା, କେଉଁଠି ବଖରାଏ ।
ତଳେ ଦିଆଯାଇଥିବା ଫଟୋଟି ଦେଖନ୍ତୁ, କେମିତି ଜଣେ ଶିକ୍ଷକ ପାଂଚଟା ଶ୍ରେଣୀର ପିଲାଂକୁ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ମୁହାଁ ମଣ୍ଡଳୀ କରି ପାଠ ପଢୋଉଛନ୍ତି ।

ସେଥିରେ ଆମ ସଚିବ କହୁଛନ୍ତି ସିସିଟିଭି ଲଗେଇ ଦେବି, ସବୁ ସାବାଡ ହେଇଯିବ ।
ମୋର ପ୍ରସ୍ତାବ
ବରଂ ପ୍ରତି ପଂଚାୟତରେ ସର୍ବମୋଟ ଗୋଟିଏ ସ୍କୁଲ ରହୁ ।
ପ୍ରଥମରୁ ଦଶମ, ଗୋଟିଏ ଜାଗାରେ ।
ପ୍ରଥମରୁ ପଂଚମ ମର୍ଣିଂ ସିଫ୍ଟ, ଓ ଷଷ୍ଠରୁ ଦଶମ ଡେ ସିଫ୍ଟ ହେଉ ।
ମୋଟ ପଂଚାୟତ ସଂଖ୍ଯା ବୋଧହୁଏ ୬, ୨୩୪ ।
ମୋଟ ସ୍କୁଲ ହେଉ ୬,୨୩୪ । ଏହା ବଢି 6798 ହୋଇ ଗଲାଣି ବୋଲି କୁହାଯାଉଛି, ସେ ଯାହା ହେଉ ଉଦାହରଣ ସ୍ୱରୂପ ବୁଝିବାକୁ ସହଜ ହେବାପାଇଁ ମୋଟା ମୋଟି ଏମିତି ଉପସ୍ଥାପିତ କରାଯାଉ |
୩୦ ଲକ୍ଷ ପ୍ରାଇମେରୀ ପିଲାକୁ ୬ ହଜାର ସ୍କୁଲ ।
ସ୍କୁଲ ଗୋଟାକୁ ପିଲା ହେଲେ ୫୦୦ ।
ପାଂଚଟା ଶ୍ରେଣୀ ହେଲେ ଗୋଟିଏ ଶ୍ରେଣୀକୁ ପିଲା ହେଲେ ୧୦୦ ।
ଦୁଇଟି ସେକ୍ସନ ହେଲେ ପ୍ରତି ସେକ୍ସନକୁ ପିଲା ହେଲେ ୫୦ ।
ଅନ୍ଯ ପକ୍ଷରେ
୬ ହଜାର ସ୍କୁଲକୁ ଶିକ୍ଷକ ହେଲେ ୬୦ ହଜାର,
ପ୍ରତି ସ୍କୁଲକୁ ଶିକ୍ଷକ ହେଲେ ଦଶ ଜଣ ।
ପ୍ରତି କ୍ଲାସ କୁ ଶିକ୍ଷକ ହେଲେ ଦୁଇଜଣ ,
ଅର୍ଥାତ୍ ପ୍ରତି ସେକ୍ସନ୍ କୁ ଜଣେ ଶିକ୍ଷକ ।
ପୂର୍ବପରି ଜଣେ ଶିକ୍ଷକକୁ ପାଂଚଟା ଶ୍ରେଣୀ, ସେପରି ହେବନି,
ଶିକ୍ଷକ ଶାନ୍ତିରେ ପଢେଇବେ, ଆଗ୍ରହରେ ପଢେଇବେ, ଭଲ ପଢେଇ ପାରିବେ ।
ଅବଶ୍ଯ ଦୁଇଜଣ ଶିକ୍ଷକଂକୁ ଗଣିତ ବିଜ୍ଞାନ ସାହିତ୍ଯ ଇଂରାଜି ଏମିତି ୬ପ୍ରକାର ବିଷୟ ପଢାଇବାକୁ ପଡିବ, ଜଣକେ ତିନି ଭେରାଇଟି,
ପ୍ରାଇମେରୀ ସ୍କୁଲ ପାଠ , ଟିକିଏ କଷ୍ଟ କଲେ ପଢେଇ ହେବ, ଭଲଭାବେ ପଢେଇ ହେବ, ସରକାର ଅଧିକ ଶିକ୍ଷକ ନିଯୁକ୍ତି କରିବା ପର୍ଯ୍ଯନ୍ତ ଟିକିଏ କଷ୍ଟ ।
ଛୋଟ ପିଲା ଏତେ ବାଟ ଆସିବେ କେମିତି ?
ଏବେ ପ୍ରତି ଗାଁକୁ ରାସ୍ତା ଅଛି ।
ସରକାର ୬,୨୩୪ ବସ୍ କିଣିବେ,
ବସ୍ ସବୁ ଗାଁ ମୁଣ୍ଡରୁ ଦି ହେଲେ ରେ ପିଲାଂକୁ ନେଇ ଆସିବେ,
ପାଖ ପିଲାଂକୁ ଅଭିଭାବକ ନିଜେ ଛାଡି ଦେଇ ଯିବେ, ନେଇଯିବେ ।
ବସ କିଣାରେ ମଂତ୍ରୀଂକୁ ବି ଭଲ ଦି ପଇସା ମିଳିବ, ମଂତ୍ରୀ ଖୁସି ହେବେ ।
ସରକାର ତ ପିଲାଂକୁ ସାଇକେଲ ଦେଉଛନ୍ତି, ଷଷ୍ଠ ଶ୍ରେଣୀ ପିଲାଂକୁ ଦେବେ,
ସେଥିରେ ସେ ପାଂଚ ବର୍ଷ ଷଷ୍ଠରୁ ଦଶମ ପର୍ଯ୍ଯନ୍ତ ସ୍କୁଲ ଯିବ ।
ସ୍କୁଲ ଘର ?
ଏବେ ୫୫ ହଜାର ସ୍କୁଲପାଇଁ ହାରାହାରି ଦୁଇ ବଖରା ହିସାବରେ ୧,୧୦,୦୦୦ ବଖରା ଘର କରିଛ ବା କରିବ ।
ସ୍କୁଲ ସଂଖ୍ଯା ଯଦି ୬ ହଜାରକୁ କମିଗଲା ତା ହେଲେ ସ୍କୁଲ ପିଛା ୨୦ ବଖରା ପଡିଲାଣି , ଗୋଟାଏ ଜାଗାରେ ହେବ , ସୁନ୍ଦର ମଜବୁତ ଦେଖିଲା ଭଳି ହେବ ।
ଗାଡି ଘରପାଇଁ ପଇସା ଆସିବ କେଉଁଠୁ ?
ସମସ୍ତେ ଶୁଣିଥିବେ ଶାହା କମିଶନ ଗୋଟାଏ ପାଲା ଲଗାଇଥିଲେ ।
ସେଥିରୁ ଖଣି ମାଲିକଂକ ପାଖରୁ ୧୪ ହଜାର କୋଟି ଆଦାୟ ହୋଇକି ଅଛି ।
ସେମାନେ ସେ ପଇସାକୁ ରଖିକି ବଇଚନ୍ତି, OMBADC ଓମ୍ୱାଡସି ନାମରେ ଗୋଟାଏ କମ୍ପାନୀ ଖୋଲି ଛନ୍ତି, ଅରଣ୍ଯ ଭବନରେ ଅଫିସ ଖୋଲି କି ବସିଛନ୍ତି,
ପଇସା କେମିତି ଖର୍ଚ କରିବେ ବାଟ ଖୋଜୁଛନ୍ତି,
ଯୋଉ ବିଭାଗ ମାଗିବ ତାକୁ ପଇସା ଦେବେ,
ଯଦି ସବୁ ଜିଲ୍ଲାକୁ ନଦେବେ ସରକାର ତାଂକଠାରୁ ବିନା ସୁଧରେ ଉଧାର ଆଣି ପାରିବେ,
ଖଣି ଜିଲ୍ଲା ଯଥା ଯାଜପୁର, କେଉଁଝର, ସୁନ୍ଦରଗଡ ଇତ୍ଯାଦି ଜିଲ୍ଲାପାଇଁ ତ ସେମାନେ ସେମିତି ଦେଇ ଦେବେ ।
ଏହା ବାଦ୍ ନାଲକୋ ଏନଟିପିସି ଓଏମସି ବେଦାନ୍ତ ହିଣ୍ଡାଲକୋ ଆରଏସପି ଜିନ୍ଦଲ ରୁଂଗଟା ଇତ୍ଯାଦି କମ୍ପାନୀ ମାନଂକର ସି ଏସ୍ ଆର୍ ଫଣ୍ଡରେ କଲେକ୍ଟର କ୍ୱାର୍ଟରରେ ମାର୍ବଲ ବିଛୋଉଛି, ସେଠାରୁ ବି ପଇସା ଆଣି ସ୍କୁଲ ପାଇଁ ଗାଡି, ଘର କରି ପାରିବ ।
ଏହା ବାଦ୍ ରିଲିଫ ଫଣ୍ଡ ପରିକା ଫଣ୍ଡ ଟିଏ କରି ମାଗିଲେ ଅନେକ ବଦାନ୍ଯ ବ୍ଯକ୍ତି ପଇସା ଦେବେ, କିଛି ନହେଲେ ପୁରାତନ ଛାତ୍ର ଛାତ୍ରୀମାନେ ତ କିଛି ଦେବେ ।
ଏମିତି ଆହୁରି ଅନେକ କେଂଦ୍ରୀୟ ଯୋଜନା ଅଛି ।
ନୀର୍ବାଚନ ଜିତିବାପାଇଁ ଯେତିକି ମୁଣ୍ଡ ଖର୍ଚ କରୁଚ
ତାର ଶହେ ଭାଗରୁ ଭାଗେ ରାଜ୍ଯର ବିକାଶପାଇଁ ଖର୍ଚ କଲେ ବି ରାଜ୍ଯ ସୁନା ହେଇଯିବ ।
ଟିକିଏ ମୁଣ୍ଡ ଖର୍ଚ କର ହେ ମଂତ୍ରୀ ମହୋଦୟ ।
**** ******
ପ୍ରସ୍ତାବ -2 ( 15 .11.2019 )
ପ୍ରତି ପଂଚାୟତରେ ମାତ୍ର ଗୋଟିଏ ସ୍କୁଲ ରଖ |
ପ୍ରଥମରୁ ଦଶମ |
ଅନ୍ୟ ସବୁ ସ୍କୁଲ ବନ୍ଦ କରି ଦିଅ |
ପ୍ରତି ସ୍କୁଲକୁ ଗୋଟାଏ ନହେଲେ ତିନି ଚାରିଟା ବସ୍ ଦିଅ |
ପ୍ରଥମରୁ ସପ୍ତମ ପିଲା ବସ୍ ରେ ଯାଆନ୍ତୁ |
ଅଷ୍ଟମରୁ ସାଇକେଲ୍ |
ସ୍କୁଲ ଏମିତି ଜାଗାରେ କରିବ ଯେମିତ ସ୍କୁଲର ଦଶ ଏକର ଜମି ଥିବ |
ଚାରି ପାଂଚ ପ୍ରକାର ଖେଳ ପଡିଆ ହେବ |
ଦି ଏକର ଅର୍ଗାନିକ୍ ପନି ପରିବା ଧାନ ମାଣ୍ଡିଆ ବି ପିଲା କରିବେ |
ଫୁଲ ବଗିଚାଟେ ତ ନିଶ୍ଚୟ ହେବ |
ପ୍ରତି ସିଜିନରେ ପିଲା ଫୁଲ ଚାରା ଉତ୍ପାଦନ କରିବେ,
ସ୍କୁଲ ବଗିଚାରେ ଫୁଲ ଗଛ ଲଗେଇବେ, ଗୋଟାଏ ଦୁଇଟା ଚାରା ଘରକୁ ବି ନେବେ,
ମନ ଉପରେ, ପିଲାର ବ୍ୟକ୍ତିତ୍ୱ ଗଠନରେ, ସମାଜ ଉପରେ ଫୁଲର ପ୍ରଭାବ କଣ ଯଦି ନଜାଣିଛ ଯାଇ ଶ୍ରୀ ମା ଅରବିନ୍ଦଙ୍କୁ ପଚାର |
ଗୋଟାଏ ଏକର ନର୍ସରୀ ନିଶ୍ଚୟ ରହିବ,
ଆମ୍ୱ ପଣସ କମଳା ଲେମ୍ୱୁ ଅଁଳା ବେଲ ନିମ୍ୱ ବର ଓସ୍ତ ଚାରା ପିଲାଏ କରିବେ, ଲୋକଙ୍କୁ ପ୍ରତି ବର୍ଷ ଅଳପ ପଇସାରେ ବାଣ୍ଟିବେ |
ମଦ୍ରାସା, ମିଶନାରୀ , ସରସ୍ୱତୀ ସ୍କୁଲ ଫାର୍ସ ବନ୍ଦ କର |
ସବୁ ଧର୍ମର ସାର କଥାକୁ ନେଇ , 100 ମାର୍କର ଗୋଟାଏ କୋର୍ସ ପିଲାଙ୍କୁ ପଢ଼ାଅ |
ସବୁ ପିଲାଏ ସବୁ ଧର୍ମର ଦଶ ଦଶଟା ଲୋକ କଲ୍ୟାଣକାରୀ ସାର କଥା ଜାଣନ୍ତୁ, ତାହା ଜୀବନ ତମାମ ସେମାନଙ୍କ ଭଲ କାମରେ ଲାଗିବ,
ଅସାର କଥା ଗୁଡା
ହିନ୍ଦୁ ମହାସଭା, ମୁସଲମାନ ମହାସଭା, ଖ୍ରୀଷ୍ଟିୟାନ ମହାସଭା ନେତାମାନେ ଘୋଷୁ ଥାଆନ୍ତୁ, ତାଂକ ରାଜନୀତି ପାଇଁ କାମରେ ଆସିବ,
ପିଲାମାନଂକର ସେଥିରେ କିଛି କାମ ନାହିଁ |
ପିଲାଏ ବୁଝି କାମରେ ଲଗେଇ ପାରିବା ପରି ଏମିତି
ସର୍ବ ଧର୍ମ ସାରକଥା ବହିଟିଏ ଯଦି ଲେଖି ନ ପାରିବ,
ମତେ କହିବ, ମୁଁ ଲେଖିଦେବି |
ଇସ୍କୁଲରେ ଭାରତୀୟ ପିଲା ପଢ଼ନ୍ତି,
ସେମାନଙ୍କୁ ହିନ୍ଦୁ ମୁସଲିମ୍ ଖ୍ରୀଷ୍ଟିୟାନ୍ ପିଲା ହିସାବରେ ଗଣିବା ମାନସିକତା ଛାଡ |
ସବୁ ସ୍କୁଲରେ ମାଷ୍ଟର ଫୁଲ୍ ରହିବେ |
ଫୁଲ୍ ମାଷ୍ଟର ଜଣେ ବି ରହିବେନି |
ଯେଉଁ ଦଳୀୟ କର୍ମୀମାନଙ୍କୁ ଗଣ ଶିକ୍ଷକ କରିଚ,
ସେମାନଂକୁ ଆଉଥରେ ବାଛ,
ଯଦି ତାଂକ ଭିତରୁ ମୁଠାଏ ଅଧେ ଧାନ ମିଳୁଛନ୍ତି ତ ରଖ ,
ବାକି ସବୁଯାକ ଅଗାଡିଂକୁ ତୁରନ୍ତ ଭି ଆର୍ ଏସ୍ ଦିଅ,
ସେମାନେ ଯାଆନ୍ତୁ ଦଳର ବୋକଚା ବୋହିବେ,
ସ୍କୁଲକୁ ଶିକ୍ଷକ ଦରକାର,
ଦଳୀୟ ବୋକଚା ବୁହା ନୁହେଁ |
ଭଲ ଦରମା ଦେଇ ଭଲ ଶିକ୍ଷକ ନିଅ |
ଶିକ୍ଷକ ଦରମା ଡାକ୍ତର ଦରମା ସମାନ କର |
ପ୍ରତି ପାଂଚ ବର୍ଷରେ ଥରେ ଶିକ୍ଷକର ଜ୍ଞାନ ଓ ସାମାଜିକ ସାଇକୋଲୋଜି ଟେଷ୍ଟ କର |
ଠିକ୍ ଥିଲେ ରଖ,
ନ ହେଲେ ଅଳିଆ ହଟା |
ସ୍କୁଲ ଟା ମଣିଷ ତିଆରି କାରଖାନା,
ଏତିକି ହେଜ ହେ ଅମଣିଷ ସରକାର |
*** *****
ପ୍ରସ୍ତାବ- 3 ( 20.11.2020 )
ଦେଢ଼ଶହ କୋଟି ଲୋକ, ପ୍ରତ୍ୟେକ ଲୋକ ପ୍ରତିଦିନ ଚାନ୍ଦା ଦେବେ GST ନାମରେ,ଖଇନି ଖାଇଲେ GST, ବିଡି ଟାଣିଲେ GST, ଲୁଣ ଖାଇଲେ GST, ରାସ୍ତାରେ ଚାଲିଲେ ବି GST,
ତମେ ତାକୁ ଠୁଳେଇ 1.5 କୋଟି ଚାକିରିଆଙ୍କୁ ବାଣ୍ଟ 7th pay ଦରମା ହିସାବରେ, ମାସକୁ ଲକ୍ଷେରୁ ପାଞ୍ଚ ଲକ୍ଷ ହିସାବରେ, ଏପଟେ ପଢା ଖର୍ଚକୁ ବର୍ଷକୁ 60 ହଜାର କରୁଚ, ତାହେଲେ କାହାର ପିଲା ସେଠି ପଢ଼ିବେ ?
କେବଳ ଏଇ 1.5 କୋଟି ପରିବାରର ପିଲା ?
ନହେଲେ ଗୋଟାଏ କାମ କର, ତମେ ଏଇ ଦେଢ କୋଟି ପରିବାର ଭାରତରେ ରୁହ, ବାକି ସମସ୍ତେ କୁଆଡେ ଯାଆନ୍ତୁ,
କୁଆଡେ ଯିବାକୁ ବି ରାସ୍ତା ରଖିନ,
ତାର ତ ଜମି ବି ନଥିବ, ବିଲ ଥିଲେ ବିଲକୁ ଯାଆନ୍ତା,
ଜଙ୍ଗଲକୁ କାଳେ ପଳେଇବ, ସେଠିକି ତ ପୁରେଇ ନ ଦେବା ପାଇଁ ଆଇନ କରି ଫରେଷ୍ଟ ଗାର୍ଡ ଜଗେଇଛ,
ସରକାରକୁ ଦିନକୁ 54 ଦାନ କରିକି ବି ଲୋକଟା ଭାବୁଚି Where shall I go ???
ମନେ ରଖ ମୂଲିଆ ପାଉଥିବା ମଜୁରୀ 300 ରୁ 54 ଦେଉଛି ପ୍ରତିଦିନ, ତା ପେଟରୁ କାଟି ଦେଉଛି,
ଚାକିରିଆ ବର୍ଷକୁ ମଜୁରୀ ନବ ଦଶ ଲକ୍ଷ , ସେଥିରୁ ଦବ 50 ହଜାର, ବଳକା ଦରମାରୁ ଦିଏ ଚିମୁଟାଏ, ତା ପୁଣି ବହୁ କୁନ୍ଥୁକୁନ୍ଥୁ ରେ,
ଗରିବର ପିଲାକୁ ଦି ଅକ୍ଷର ପଢ଼ିବାକୁ ଦିଅ ହେ, କାହିଁକି ଏ ଛତୁ ଫୁଟିଲା ପରି ପ୍ରାଇଭେଟ୍ ଇସ୍କୁଲ ଗୁଡା ଖୋଲି ପିଲାଙ୍କ ଭିତରେ ଗୋଟେ ଧନୀ ଗରିବ ଭେଦଭାବ ସୃଷ୍ଟି କରୁଛ ? ସବୁ ପିଲା ତ ପିଲା, ଜଣଙ୍କୁ ପ୍ରାଇଭେଟ୍ ଇସ୍କୁଲ ଖଣ୍ଡ ସାଗର ଜଣକୁ ସରକାରୀ ଇସ୍କୁଲ ଅଇଁଠା ପତର ?
ସବୁ ପିଲା ସମାନ, ସବୁ ପିଲା ଭାରତର ପିଲା , ସବୁ ପିଲାର ଶିକ୍ଷା ସୁଯୋଗ ଅଧିକାର ସମାନ ହେବା କଥା କି ନୁହେଁ ? ତମେ ଧନୀ ଗରିବ ଆଧାରରେ କାହିଁକି ସେମାନଙ୍କୁ ଭାଗ ଭାଗ କରୁଚ ?
ଏ ଶିକ୍ଷା କ୍ଷେତ୍ରରେ ଏବେ ସମତା ନ ଆଣିଲେ , ଏ ବିସମ ବିଷମ ଧାରା ଜାରୀ ରହିଲେ ଆଉ ଦଶ ବକ୍ଷ ପରେ ଦେଖିବାକୁ ମିଳିବ,
ଆଇ ଏ ଏସ ପିଲା ପଢୁଚି କିଟ୍ ସାଇ ଇଣ୍ଟର ନାସନାଲରେ ,
ଧନୀ ବେପାରୀ ପିଲା ପଢୁଚି ମହିମା ଓଡିଏମ୍ ରେ,
ହିନ୍ଦୁ ପିଲା ପଢୁଚି ସରସ୍ୱତୀ ଇସ୍କୁଲରେ ,
ବାହ୍ମୁଣ ପିଲା ପଢୁଚି ସଂସ୍କୃତ ଟୋଲ ରେ,
ପଠାଣ ପିଲା ପଢୁଚି ମଦ୍ରାସାରେ,
ଖ୍ରୀଷ୍ଟିଆନ ପିଲା ପଢୁଚି ମିସନାରୀ ଇସ୍କୁଲରେ ,
ପାଣ ପିଲା ମୂଲିଆ ପିଲା ପିଅନ ପିଲା ସିକୁରିଟି ଗାର୍ଡ ପିଲା ପଢୁଚି ସରକାରୀ ଇସ୍କୁଲରେ





ଏଇଟା କଣ ଅଖଣ୍ଡ ଭାରତ ଗଢିବାର ମୂଳଦୁଆ ? ବିଶ୍ୱଗୁରୁ ହେବାର ବିଶ୍ୱ ଜ୍ଞାନ ?
ଗୋଟିଏ ଦେଶ , ଗୋଟିଏ ଶିକ୍ଷା ନୀତି କଣ ଅସମ୍ଭବ ?
ମାଳ ମାଳ ପ୍ରାଇଭେଟ୍ ସ୍କୁଲ ଖୋଲିବାକୁ କିଏ ଅନୁମତି ଦେଉଛି ? କାହିଁକି ଦେଉଛି ? କେଉଁ ଆଧାରରେ ଦେଉଛି ?
ହଁ ,ମୂର୍ଖଙ୍କ ପରିକା ଯୁକ୍ତି କରନି ଯେ ଯିଏ ଦେଇ ପାରୁଛନ୍ତି ପ୍ରାଇଭେଟ୍ ଇସ୍କୁଲ ବାଲା ତାଙ୍କଠୁ ନେଉଛନ୍ତି,
ଧନୀ ଠାରୁ ନେଉଛନ୍ତି
କିହୋ ବାବୁ ସମସ୍ତେ ତ ନିଜ ନିଜ ସାମର୍ଥ୍ୟ ଅନୁସାରେ ରାଷ୍ଟ୍ର ନିର୍ମାଣ ପାଇଁ କାମ କରୁଚନ୍ତି,
ଜଣକର ରୋଜଗାର 9 ହଜାର ଆଉ ଜଣଙ୍କର 90 ହଜାର ହେବ କାହିଁକି ?
90 ହଜାର ଦରମା ନେବା ଲୋକଟାର କଣ ଦଶଟା ମୁଣ୍ଡ 20 ଟା ହାତ ନା କଣ ?
କେହି ଗାଁ ବାରି ପଡା ଅକଲ କଣା ପାତର ପରି ଯଦି ଯୁକ୍ତି କରିବ
ମୁଲିଆ କଣ ଓଟିରେ ଅପରେସନ୍ କରି ପାରିବ ?
ମୁଁ ପଚାରୁଛି ଡାକ୍ତର କଣ 43 ଡିଗ୍ରୀ ଖରାବେଳେ 33 kv ଇଲେକ୍ଟ୍ରୀ ଟାୱାରରେ ଚଢି ତାର ଯୋଡି ପାରିବ ?
ଚାରି ଅଚା ହଳ ବୁଲେଇ ପାରିବ ?
ଦିନକୁ ଦିଗୁଣ୍ଠ ବାଦାମ କୋଡି ପାରିବ ?
ଆଜି ଦିନରେ ଭାରତର ମୁଣ୍ଡ ପିଛା ମାସିକ ଆୟ 11 ହଜାର 245 ଟଙ୍କା ବୋଲି କୁହାଯାଉଛି, ଆମେ ତ ସମସ୍ତେ ଭାରତୀୟ , ଭାରତ ବାସୀ ଭାଇ ଭାଇ , ରୋଜଗାର ଟା କାହିଁକି ଜଣଙ୍କର ପାହାଡ ଆର ଜଣଙ୍କର ଘୁଙ୍ଗୁରୀ ଘାଇ ?
ତେଣୁ ସମସ୍ତଙ୍କ ମୂଲ ସମାନ କରି ଦିଅ ତ !
ତା ପରେ ଯୋଜନା କରି ଯେତେ ପ୍ରାଇଭେଟ୍ ଇସ୍କୁଲ ଖୋଲୁଚ ଖୋଲ, ଦେଖିବା କେତେ ପିଲା ସେଠିକି ଯାଉଛନ୍ତି ଆଉ ସେଥିରୁ କେଇଟା ଚାଲୁଛି,
ସେତିକି ବେଳେ ବୁଝି ପାରିବ ଯୋଜନା କେମିତି କରିବାକୁ ହୁଏ,
ଶିକ୍ଷକ ତ ଶିକ୍ଷକ , ସରକାରୀ ସ୍କୁଲରେ ଜଣଙ୍କର ଦରମା 60 ହଜାର, ଜଣଙ୍କର 6 ହଜାର
ପ୍ରାଇଭେଟ୍ ଇସ୍କୁଲରେ ଡିଏଭି ଶିକ୍ଷକ ଦରମା 40 ହଜାର , ସରସ୍ୱତୀ ସ୍କୁଲ ଶିକ୍ଷକ 4 ହଜାର,
ମା ଶୁକୁଆଖାଇ ଇସ୍କୁଲ ଶିକ୍ଷକ ଦରମା ତିନି ମାସକୁ ଥରେ ଦେଢ ହଜାର
ପିଲାଙ୍କ ଭିତରେ ଭେଦ, ଶିକ୍ଷକ ଭିତରେ ଭେଦ
ତମେ ଗୁଡା ସତରେ ବୁଦ୍ଧିମାନ ଯୋଜନା ପ୍ରଣୟନକାରୀ ନା ବାଡି ପଡା କଣା ପାତ୍ର ପରିକା ଗୋଟେ ଗୋଟେ ଅକଲ ଅନ୍ଧ ?
What is Right to Education of an innocent child ?
Why such an undeclared discrimination in education for the innocent Indian children on the basis of poverty property caste creed and religion?
Can’t we adopt a
One Nation one Education Policy free from all such discriminations ?
Can Naveen babu do it ?
ନହେଲେ ଗେଟାଏ କାମ କର
ଓଡିଶାର ସବୁ ସ୍କୁଲକୁ ଇନ୍ଦିରାଗାନ୍ଧୀ ବ୍ୟାଙ୍କ ନାସନାଲାଇଜ୍ କଲା ପରିକା ସେମିତି କଣ ଗୋଟେ କରି ସରକାରୀ ସ୍କୁଲ ଡିକ୍ଲାର କରି ଦିଅ,
ସବୁ ଶିକ୍ଷକଙ୍କ ଦରମା ସମାନ କରି ଦିଅ, ମାସକୁ 30 ହଜାର, 50 ହଜାର 60 ହଜାର ଯାହା ଭାବୁଚ କର, ଗୋଟାଏ ଫ୍ଲାଟ୍ ରେଟ୍
ଗୋଟେ ଏଜୁକେସନ ଫଣ୍ଡ କର
ଯାହାର ଯେତେ ରୋଜଗାର ତାର 5 ପର୍ସେଣ୍ଟ ଏଜୁକେସନ କଣ୍ଟ୍ରିବ୍ୟୁସନ ବାବଦକୁ କାଟି ନିଅ, ସିଏ ମୂଲିଆ ହେଉ କି ବେପାରୀ କି ଆଇ ଏ ଏସ
ସେ EC କୁ ସେ ଫଣ୍ଡରେ ଜମା କର
ଦରମା ଅଭାବ ହେବନି କି ନିଷ୍ପାପ ଶିଶୁଟି ପ୍ରତି ଶୈକ୍ଷିକ ଅବିଚାର ବି ହେବନି
ସମସ୍ତେ ସମାନ ଶିକ୍ଷା ସୁଯୋଗ ପାଇବେ
ତା ଭିତରୁ କିଏ କଲାମ ହେବ କିଏ କଲମ ଧରିବ କିଏ କଣ୍ଟି ଧରିବ କିଏ କଣ୍ଟା ଧରିବ ଧରୁ କି ହେଉ, ତାର ପ୍ରକୃତି ଦତ୍ତ ସାମର୍ଥ୍ୟ ଓ ପ୍ରବୃତ୍ତିଗତ ସ୍ୱ ଇଚ୍ଛା ଅନୁସାରେ,
ଗୋଟିଏ ରାଷ୍ଟ୍ରନିର୍ମାଣ ପ୍ରକ୍ରିୟାରେ ସମସ୍ତଙ୍କର ଆବଶ୍ୟକତା ଥାଏ ସିଏ ପ୍ଲମ୍ୱର ହେଉ କି ପ୍ରାଇମ ମିନିଷ୍ଟର, ସମସ୍ତଙ୍କର ଭୁମିକା ଗୁରୁତ୍ୱପୂର୍ଣ୍ଣ ଓ ସମାନ ସମ୍ମାନନୀୟ
ବେଲା ପିଚାରେ କଣା କରି ତା ଡାହାଣରେ ପାତ୍ର ଲେଖିଦେଲେ ସେଇଟା ନା ଖାଦ୍ୟ ପାତ୍ର ହୋଇ ପାରିବ ନା ଅଖାଦ୍ୟ ପାତ୍ର, ତେଣୁ ମୋର ବିନମ୍ର ଅନୁରୋଧ ଅକଲ କଣା ପାତ୍ର ହୋଇ ଦୟାକରି ମୋ ଓଡିଶା ବାସୀଙ୍କ ସାମନାରେ ଢାଉଁ ଢାଉଁ ହୁଅନି, ସେଗୁଡାକୁ ଶୁଣି କେହି ତୁମକୁ ପ୍ରଶଂସା କରି ସମୟ ନଷ୍ଟ କରିବାକୁ ଚାହିଁବେ ନି
ଶିଶୁ ସରଳ
ଦୟାକରି ତାଙ୍କ ସରଳତାକୁ ବୁଝିବାକୁ ଚେଷ୍ଟା କର
ତାଙ୍କର ଦ୍ୱେଷ ରହିତ ପବିତ୍ର ମନକୁ ବୁଝିବାକୁ ଚେଷ୍ଟା କର
ତାଙ୍କୁ ବାଛବିଚାର ଫାନ୍ଦରେ ଛନ୍ଦିବାକୁ ନାନାଦି ଫନ୍ଦିଫିକର କରନି
**** ** *
ପ୍ରସ୍ତାବ – 4 ( 22.11.2020 )
ତାରା ବାହିନୀ ପତିଙ୍କ ପୁତୁରା ଝିଆରୀ ନାତି ନାତୁଣି ବନ୍ଧୁ ବାନ୍ଧବଙ୍କ ପିଲାମାନେ ସବୁ କୋଉ କୋଉ ସରକାରୀ ସ୍କୁଲରେ ପଢୁଛନ୍ତି ?
ବରଂ ତାରାବାହିନୀ ପତି କୁହନ୍ତୁ ପିଅନ ଠୁ ପ୍ରିନସିପାଲ ସେକ୍ରେଟାରୀ, ୱାର୍ଡ ମେମ୍ୱରଙ୍କଠୁ କ୍ୟାବିନେଟ୍ ମନ୍ତ୍ରୀ ସମସ୍ତଙ୍କ ପିଲା ସରକାରୀ ସ୍କୁଲରେ ନପଢିଲେ ମୁଁ ହେଲମେଟ୍ ପିନ୍ଧି ମୁଣ୍ଡ ପିଟି ପିଟି ପୋଡିୟମ ଭାଙ୍ଗିଦେବି, ଯେମିତି ମୋ ମୁଣ୍ଡକୁ ସାମାନ୍ୟତମ ଆଞ୍ଚ ବି ଆସିବ ନାହିଁ
ତାରା ବାହିନୀ ପତି କୁହନ୍ତୁ
କଣ କଲେ ଧନୀ ଗରିବ ପିଲା ଉଭୟ ସମାନ ଶିକ୍ଷା ସୁଯୋଗ ପାଇ ପାରିବେ
ବିଧାନସଭା ଭିତରେ ଭାଲୁ ନାଟ କରିବା ଅପେକ୍ଷା ଶିକ୍ଷା ସମସ୍ୟାର ସମାଧାନ ନିମିତ୍ତ ପୁରା 147 ମିଶି ଲୋକଙ୍କୁ ଗୋଟେ ସୁଚିନ୍ତିତ ରିଟିନ୍ ନୋଟ୍ ଦିଅନ୍ତୁ ମାନ୍ୟବର ବିଧାୟକମାନେ,
ତା ଉପରେ ଏକ ଲୋକମତ ଲୋଡନ୍ତୁ,
ଯଦି ସେ ନୋଟ୍ ଟି ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେଲା, ଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ କୁହନ୍ତୁ ସେହି ଅନୁସାରେ କାମ କରିବାକୁ
ତାରା ବାବୁ ତାଙ୍କ ଲେଖାଟା କେବେ ଦେବେ ପବ୍ଲିକ୍ ଡୋମେନ କୁ ?
ନାଟ କଲେ ଭୋଟ ବଢିବ , ସେ ସ୍ଥିତି ଆଜି ଦିନରେ ନାହିଁ
**** * **
ବିଭିନ୍ନ ସମୟରେ ସରକାରଙ୍କୁ ଏଇଗୁଡା ଥିଲା ମୋର ପ୍ରସ୍ତାବ ,
ମୁଁ ଏବେ ତାରା ବାହିନୀପତି ଓ ବିରୋଧୀ ଦଳ ମାନଙ୍କର ପ୍ରସ୍ତାବର ଅପେକ୍ଷା ରଖୁଛି
ପ୍ରସ୍ତାବ- 5 ( 22.11.2020 )
ଅପ୍ରସ୍ତୁତ ସ୍କୁଲ ମିଶ୍ରଣ ଏକ ଭୟଙ୍କର ଭୁଲ୍
ବରଂ ଚଳିତ ବର୍ଷ ପାଇଁ ଆଜିର ବିଦ୍ୟାଳୟ ମିଶ୍ରଣ କାର୍ଯ୍ୟକ୍ରମକୁ ସଥଗିତ ରଖାଯାଉ
ବର୍ଷକ ଭିତରେ ସରକାର ପ୍ରତି ପଞ୍ଚାୟତରେ ପ୍ରଥମରୁ ଦଶମ ଗୋଟିଏ ମଡେଲ ସ୍କୁଲର ସମ୍ପୂର୍ଣ୍ଣ ଭିତ୍ତିଭୂମି ପ୍ରସ୍ତୁତ କରନ୍ତୁ ,
ସମ୍ପୁର୍ଣ୍ଣ ଭିତ୍ତିଭୁମି ବୋଇଲେ
ଆବଶ୍ୟକତା ଅନୁରୂପ ସ୍କୁଲ ବିଲଡିଂ,
ଲାଇବ୍ରେରୀ, ଲାବୋରାଟୋରୀ, ଭୋକେସନାଲ ଫାସିଲିଟିଜ୍, ମିନି ମିଉଜିୟମ୍, ଖେଳପଡିଆ, ନ୍ୟୁଟ୍ରିସନାଲ ଗାର୍ଡେନ୍, ସ୍କୁଲ ବସ୍
ଓ
ତଦନୁରୂପ ଆବଶ୍ୟକୀୟ ଶିକ୍ଷକ ଚୟନ
ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ସରକାର ବର୍ଷକ ମଧ୍ୟରେ ସମ୍ପୂର୍ଣ୍ଣ କଲାପରେ ସ୍କୁଲ ମିଶ୍ରଣ କରି ଦିଅନ୍ତୁ,
କାହାରି କିଛି ଅସୁବିଧା ହେବନି, ସୁତରାଂ ଆପତ୍ତି ମଧ୍ୟ ରହିବ ନାହିଁ
ଏପରି ଭିତ୍ତିଭୁମୀ ନିର୍ମାଣପାଇଁ ସରକାର ଯେତେ ଆବଶ୍ୟକ ସେତେ ଋଣ କରନ୍ତୁ , ଆଦୌ ମନା ନାହିଁ
ବିନା ଭିତ୍ତିଭୁମୀରେ ମିଶ୍ରଣ
ପ୍ରାଇଭେଟ୍ ସ୍କୁଲ ମାଲିକ ମାନଙ୍କୁ ପ୍ରୋତ୍ସାହିତ କରିବ ଏବଂ ଯେଉଁ କୃଷକ ମୂଲିଆ ଶ୍ରେଣୀର ଅଭିଭାବକମାନେ ପ୍ରାଇଭେଟ୍ ସ୍ତୁଲ ଫିସ୍ ଦେବାକୁ ଅସମର୍ଥ ସେମାନଙ୍କ ପିଲାମାନେ ମୁର୍ଖ ହେବେ
ବିକଳ୍ପ ଭିତ୍ତିଭୁମୀ ପ୍ରସ୍ତୁତ ନକରି ମିଶ୍ରଣ ପ୍ରାଥମିକ ଶିକ୍ଷା ପ୍ରତି ଏକ ଅନ୍ତର୍ଘାତି କାର୍ଯ୍ୟ ଓ ଘରୋଇ ଶିକ୍ଷା ବେପାରୀଙ୍କୁ ବେପାର ସୁଯୋଗ ଦେବା ପାଇଁ ଏକ ଫନ୍ଦି ବୋଲି ପରିଗଣିତ ହେବ
- ଲକ୍ଷ୍ମୀଧର ନାୟକ



