Home ଖାଦ୍ୟ ଓ ସ୍ୱାସ୍ଥ୍ୟ ଦାନ୍ତ ଯେବେ ଘଷି ବସିବୁ ନିମ ଗଛଟିଏ ଲଗା

ଦାନ୍ତ ଯେବେ ଘଷି ବସିବୁ ନିମ ଗଛଟିଏ ଲଗା

63
0

ଟୁଥ୍ ପେଷ୍ଟକୁ ନା ,
ଚାଲ ନିମକାଠିରେ ଦାନ୍ତ ଘଷିବା-
‘ଟୁଥପେଷ୍ଟରେ ବିଷ’ !

ସେଥିରେ ଟ୍ରାଇକ୍ଳୋଜେନ ନାମକ ରାସାୟନିକ ଉପାଦାନ ରହିଥିବା କୁହାଯାଉଛି। ଏ ଖବରଟି ପଢିଲାପରେ ଯେ କେଉଁ ଲୋକର  ଚିନ୍ତା ବଢିଯିବ।

ଏବେ ସହରରୁ ଗାଁ ସବୁଠି ଟୁଥ୍ ପେଷ୍ଟର ଆଦର। ଭଳିକି ଭଳି ଆଡଭାର୍ଟାଇଜମେଣ୍ଟ ଦେଖି ନିଜର ଷ୍ଟାଟସ୍ ଅନୁସାରେ ଆମ୍ଭେ ପେଷ୍ଟ ବାଛିନେଉଛୁ।ବ୍ୟବହାର କଲାପରେ ଯେମିତି ଟିଭିରେ ଦେଖିଥିଲୁ ଆମକୁ ସେମିତି ଲାଗୁଛିବୋଲି କହିହେଉଛୁ।

କେଉଁ ପେଷ୍ଟରେ ଟ୍ରାଇକ୍ଲୋଜାନ ଅଛି କି ନା ଆମେ ବା
ଜାଣିବା କେମିତି? ଏହା ସରକାରଙ୍କ ଦାୟିତ୍ୱ ଯେ ବଜାରରେ ମିଳୁଥିବା ସମସ୍ତ ଦ୍ରବ୍ୟର ପରୀକ୍ଷା କରି ସ୍ୱାସ୍ଥ୍ୟହାନି କାରକ ଦ୍ରବ୍ୟ ସମ୍ପର୍କରେ ସଚେତନତା ସ୍ରୁଷ୍ଟିକରିବା।

ଏଥିସହ ସମ୍ପୃକ୍ତ ବିଷାକ୍ତ ଦ୍ରବ୍ୟକୁ ନିଷେଧ କରି ତାର ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିବା।

ଗବେଷକ ମାନେ ଯାହା କହଁନ୍ତି,ଏହି ଟ୍ରାଇକ୍ଳୋଜାନ୍ ପ୍ରଭାବରୁବ୍ୟବହାରକାରୀର ଯକୃତ ଓ ଅନ୍ତଶ୍ରାବୀ ଗ୍ରନ୍ଥୀର  କ୍ଷତି ଘଟୁଛି। ଦୀର୍ଘଦିନଧରି ଏହି ଟୁଥ୍ ପେଷ୍ଟ ବ୍ୟବହାର ଫଳରେ ଦୁଶ୍ଚିନ୍ତା, ମାନସିକ ଅବସାଦ ବଢୁଛି। ଏପରିକି କ୍ୟାନସର ହେବାର ଆଶଙ୍କାବି ରହିଛି।

ଏକ ବେସରକାରୀ ସଂସ୍ଥା ତରଫରୁ ଏକ ଅଧ୍ୟୟନ କରାଯାଇଥିଲା। ଏଗାର ପ୍ରକାର ନମୁନା ସଂଗ୍ରହ ହୋଇଥିଲା।ଟୁଥପେଷ୍ଟର କବକ ଓ ଜୀବାଣୁ ବିରୋଧି ଉପାଦାନର ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଟ୍ରାଇକ୍ଳୋଜିନ୍ ଉପାଦାନ ରହିଥିବା ଜଣାପଡିଲା।

ତେଣୁ ଟୁଥପେଷ୍ଟ ଯେ ନିରାପଦ ନୁହେଁ ଏବେ ଏହି ସନ୍ଦେହ ଆମମାନଙ୍କ ମୁଣ୍ଡକୁ ଘାରିଲାଣି। ତେବେ ଏହାର ବିକଳ୍ପ କଣ ହୋଇପାରେ ?

ଦାନ୍ତକାଠି ହିଁ ଏଥିରୁ ଆମକୁ ରକ୍ଷା କରିପାରିବ ବୋଲି ଅନେକଙ୍କ ମତ।

ଆବାହମାନ କାଳରୁ  ଲୋକେ ଦାନ୍ତକାଠିର ବ୍ୟବହାର କରୁଥିଲେ। ଗାଁ ଗହଳିରେ ଲୋକେ ଏବେ ବି ଦାନ୍ତ ଘଷିବା ପାଇଁ ବିଭିନ୍ନ ଗଛର କାଠି ବ୍ୟବହାର କରୁଛନ୍ତି।

ତେବେ ଯେଉଁ କେତୋଟି ଗଛର କାଠିକୁ ଦାନ୍ତ ଘଷିବାରେ ବ୍ୟବହାର କରାଯାଏ, ସେଥିମଧ୍ୟରୁ ନିମ ଗଛର କାଠିର ବା ନିମ କାଠିରେ ଭରପୂର ଔଷଧୀୟ ଗୁଣ ରହିଥିବା କୁହାଯାଏ।

ଆୟୁର୍ବେଦ ଅନୁସାରେ, ନିମ ଗଛରେ ୧୩୦ରୁ ଅଧିକ ଯୌଗିକ ପଦାର୍ଥ ରହିଛି। ଏହାର ଛେଲି, ଡାଳ ଏବଂ ପତ୍ର ବିଶେଷ ଉପକାରୀ। ସେଥିରେ କ୍ୟାନ୍‌ସର୍‌ ପ୍ରତିରୋଧ ଗୁଣ ଭରପୁର ହୋଇ ରହିଛି।

ଏଥିରେ ଆଣ୍ଟିବ୍ୟାକ୍ଟେରିଆ, ଆଣ୍ଟିସେପ୍ଟିକ୍‌, ଆଣ୍ଟିଭାଇରାଲ୍‌ ଏବଂ ଆଣ୍ଟି ଅକ୍ସିଡାଣ୍ଟ୍ ଗୁଣ ରହିଥିବାରୁ ମଣିଷ ଜୀବନପାଇଁ ବହୁ ଉପକାରୀ।

ନିମ କାଠି ଘଷିବା ଦ୍ୱାରା ଦାନ୍ତକୁ  ସୁରକ୍ଷା ମିଳିଥାଏ। ନିମ ଗଛର ଡାଳ ବା କାଠିରେ ଯେଉଁ ଔଷଧୀୟ  ଗୁଣ ରହିଛି,ତାହାକୁ ଚୋବାଇ ବ୍ରଶ୍‌ ଭଳି କରିବାଦ୍ୱାରା ତାହାର ପ୍ରଭାବ ପଡ଼ିଥାଏ। ଏହି ପ୍ରକ୍ରିୟା ଦ୍ୱାରା ଆପଣଙ୍କ ଦାନ୍ତ କୋଣ  ସଫା ହୋଇଯାଏ।

ନିମରେ ଆଣ୍ଟିମାଇକ୍ରୋବିଅଲ୍‌ ଗୁଣ ଥିବା ଯୋଗୁ ଏହାକୁ ଚୋବାଇବା ଦ୍ୱାରା ପାଟିର ଦୁର୍ଗନ୍ଧ ମଧ୍ୟ ଦୂର ହୁଏ। ଏହାର କଡ଼ା ଓ ପିତା ସ୍ୱାଦ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ସହ ଲଢ଼ି ଏହାକୁ ଦୂର କରିଥାଏ।

ଏହା ସହ ନିମରେ ଥିବା କେମିକାଲ୍ ଦାନ୍ତର ହଳଦିଆ ପଣକୁ ଦୂର କରିଥାଏ। ଯେଉଁ କାମ ଟୁଥ୍‌ପେଷ୍ଟ୍‌ କରିପାରେ ନାହିଁ, ତାହା ନିମ କାଠି ହିଁ କରି ଦେଖାଇଥାଏ।

କିପରି ବ୍ୟବହାର କରିବେ ସେ ବିଷୟରେ ପ୍ରଥମେ ଆସନ୍ତୁ ଜାଣିବା । ସାଧାରଣତଃ ନିମ ଗଛର ପତଳା ଡାଳକୁ ଦାନ୍ତ ଘଷିବା ପାଇଁ କାଠି ରୂପେ ବ୍ୟବହାର କରାଯାଏ। ଏହି କାଠିର ଗୋଟିଏ ପଟକୁ ଚୋବାନ୍ତୁ। ଏହାକୁ ବ୍ରଶ୍‌ ଭଳି ପ୍ରସ୍ତୁତ କରିବା ପରେ ଏଥିରେ ଦାନ୍ତ ଘଷନ୍ତୁ।

ନିମ କାଠିକୁ ଚୋବାଇବା ଦ୍ୱାରା ସେଥିରେ ଥିବା ଔଷଧୀୟ ଗୁଣ ବାହାରକୁ ବାହାରିବ। ଚୋବାଇବା ସମୟରେ ମୁହଁରୁ ଲାଳ ମଧ୍ୟ ବାହାରିବ। ଏହି ଲାଳ ଆପଣଙ୍କ ଜିଭ ସମ୍ପର୍କରେ ଆସିବାପରେ ନିମରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍‌ ଏଜେଣ୍ଟ୍ ଆପଣଙ୍କ ମୁହଁରେ ଥିବା ହାନିକାରକ ଜୀବାଣୁକୁ ନଷ୍ଟ କରି ଦେବ। ଚୋବାଇ ସାରିବା ପରେ ଲାଳକୁ ବାହାରେ ଫୋପାଡ଼ି ଦିଅନ୍ତୁ।

ସବୁଠୁ ବଡକଥା ହେଲା ନିମ କାଠିରେ ଦାନ୍ତ ଘଷିବା ସମୟରେ ସାବଧାନତା ଅବଲମ୍ୱନ କରିବା ଉଚିତ, କାରଣ ଏଥିରେ ଥିବା ଫାଇବର୍‌ ଆପଣଙ୍କ ଦାନ୍ତର ମାଂସପେଶୀକୁ ଖଣ୍ଡିଆ କରିବାର ସମ୍ଭାବନା ରହିଛି। ଏଥିପାଇଁ ବ୍ରଶ୍‌ କରିବା ପରେ ଦାନ୍ତ ମଝିରେ ଫସି ରହିଥିବା ନିମ ତନ୍ତୁକୁ ବାହାର କରିଦିଅନ୍ତୁ।

ଟଙ୍ଗ୍‌ କ୍ଲିନର୍‌ର  କାମ ମଧ୍ୟ କରେ ନିମକାଠି। ଆପଣ ନିମର କାଠିକୁ ଜିଭ ଛେଲା ଭାବରେ ବ୍ୟବହାର କରି ପାରିବେ।

ଦାନ୍ତକୁ ବ୍ରଶ୍‌ କରି ସାରିବା ପରେ ଏହାର କାଠିକୁ ଦୁଇଫାଳ କରି ଏହାକୁ ଜିଭରେ ବ୍ୟବହାର କରିବା ଉଚିତ। ଏହା ଦ୍ୱାରା ଆପଣଙ୍କ ଜିଭରେ ଥିବା ଜୀବୀଣୁ ମଧ୍ୟ ନଷ୍ଟ ହୋଇଥା’ନ୍ତି।

ବାଇଗିଡା ଦାନ୍ତକାଠି ମଧ୍ୟ ବହୁ ଉପକାରୀ। ପାଇରିଆ ରୋଗର ଏହା ମହୌଷଧି। ଅନେକ ଲୋକ ପିଜୁଳି ଓ କରଞ୍ଜ ଦାନ୍ତକାଠିରେ ଦାନ୍ତ ଘଷିଥାନ୍ତି। ସେଥିରେ ମଧୁମେୟ ରୋଗରୁ ଉପସମ ମିଳୁଥିବା କଥା ମଧ୍ୟ କୁହାଯାଉଛି |

ହଁ ଏସବୁ ପ୍ରକୃତି ପ୍ରଦତ୍ତ ଜିନିଷର ଉପଯୋଗ କରନ୍ତୁ ମନା ନାହିଁ, କିନ୍ତୁ ଏ ସବୁ ଦାନ୍ତକାଠି ବ୍ୟବହାର କରିବାକୁ ଚାହୁଁଥିଲେ ଆପଣମାନେ ଏସବୁଥିରୁ ଗୋଟିଏ ଗୋଟିଏ ଗଛ ଲଗାନ୍ତୁ, କିମ୍ୱା ଏପରି ଗଛ କେଉଁଠି ଉଠିଥିଲେ ତାର ଯତ୍ନ ନିଅନ୍ତୁ |

କୁହାଯାଏ ଧର୍ମୋ ରକ୍ଷତି ରକ୍ଷତଃ, ଅର୍ଥାତ ଯିଏ ଧର୍ମ ରକ୍ଷାକରେ ଧର୍ମ ତାହାଙ୍କୁ ରକ୍ଷା କରନ୍ତି, ଧର୍ମ ଅର୍ଥ ଗୁଣ ଅଥବା କର୍ତ୍ତବ୍ୟ , ଯେମିତି କୁହାଯାଏ ଜଳର ଧର୍ମ ନିମ୍ନଗାମୀ ହେବା, ଏହିପରି ବ୍ୟବହାରିକ ଅର୍ଥରେ ଧର୍ମକୁ ବୁଝିବାକୁ ହୁଏ, ସେହି ନ୍ୟାୟରେ ପ୍ରକୃତିକୁ ରକ୍ଷାକରିବା ମଣିଷର ଧର୍ମ ବା କର୍ତ୍ତବ୍ୟ ହୋଇଗଲେ ପ୍ରକୃତି ମଣିଷର ଜୀବନ ଜୀବିକାକୁ ରକ୍ଷା କରିବାରେ ସହାୟକ ହୋଇଥାଏ |

ଏହା ଏକ ପାରିବାରିକ ଅର୍ଥନୀତି ମଧ୍ୟ | ଆପଣ ଯଦି ମାସକୁ ଗୋଟିଏ ପଚାଶଟଙ୍କିଆ ଟୁଥପେଷ୍ଟ ବ୍ୟବହାର କରୁଥାଆନ୍ତି ତାହେଲେ ବର୍ଷକୁ ଏ ବାବଦକୁ ସିଧା ସିଧା 600 ଟଙ୍କା ସଞ୍ଚୟ ହୁଏ , ଟୁଥ ବ୍ରସ ଜିଭ ଛେଲା ଦାମ୍ ଅଲଗା |

ନିମ୍ୱକାଠି ବାୟୋଡିଗ୍ରେଡେବୁଲ, ଅର୍ଥାତ୍ ଏହାକୁ ଖତ ଗଦାରେ ପକାଇଦେଲେ ଏହା ଖତ ହୋଇଯାଏ, କିନ୍ତୁ ପ୍ଲାଷ୍ଟିକ ବ୍ରସ କଣ ହୁଏ  ? ଭାରତର ଶହେ କୋଟି ଲୋକ ବର୍ଷକୁ ଚାରି ଚାରିଟି ବ୍ରସ ବ୍ୟବହାର କଲେ 400 କୋଟି ସଂଖ୍ୟକ ପ୍ଲାଷ୍ଟିକ ବ୍ରସ ଭାରତ ବର୍ଷରେ କେଉଁଠି ନା କେଉଁଠି ଜମା ହୋଇ ପରିବେଶକୁ ପ୍ରଦୁଷିତ କରିବାରେ ସହାୟକ ହୁଏ କି ନାହିଁ ?

  • ପ୍ରଭାକର ମିଶ୍ର, senior lecturer in commerce, Choudwar College

LET US  GO BACK TO FUTURENeem

LEAVE A REPLY

Please enter your comment!
Please enter your name here