ଆନ୍ଦୋଳନର ଆଭିମୁଖ୍ୟ ବଦଳାଅ
ଆଗକୁ ଗୋଟେ ନୂଆ ଧରଣର ଆନ୍ଦୋଳନ କର
ଏ ଶିଳ୍ପପତି ମନେ ମନେ ଗୁଡ ଖାଉଛନ୍ତି,
ଆମ ଖଣିରେ ଆମକୁ ମୂଲିଆ କରି ଆମରି ହାତରେ ଖୋଳି ନେବେ,
ଧୁଆଁ ଧୂଳି ପିଇବୁ ଆମେ,
ବାବୁ ମୋ ଖଣିଜ ନେଇ ସାଇକେଲ ତିଆରି କରିବ ଲୁଧିଆନାରେ, ନାନୋ କରିବ ଗୁଜୁରାଟରେ ।
ଓଡିଶାରେ ଶିଳ୍ପ କରିବ ନି ତ ?
ହଉ ନକର ।
ଖାଲି ଆମ ଲୁହା ପଥର ଖୋଳି କି ନବ ?
ଆମେ ଛାଡିବୁନି ।
ଆମ ଦୁର୍ମୁଲ୍ଯ ବକସାଇଟ୍ କୁ ଖୋଳି ନେଇ ବିଦେଶୀଙ୍କ ହାତରେ ଟେକି ଦେବ କିଲୋ ୪୨ ଟଙ୍କାରେ,
ସେମାନେ ବିଶ୍ୱ ସାରାର ଡଲାର ଗୋଲାମ ଛୁଆମାନଙ୍କୁ ଡାକିନେଇ,
ତାଙ୍କରି ଶ୍ରମକୁ ଟେକ୍ନୋଲୋଜି କରି ,
ଆମକୁ ବିକିଦେବେ କିଲୋ ୪୨ ହଜାର ଟଙ୍କାରେ ,
ସେଇଟାକୁ ମଟର ସାଇକେଲ ଇଞ୍ଜିନ୍ କରି କି ରାଫେଲ୍ ଡେଣା କରି,
ଆଉ ଆମେ ତୁମକୁ ରାଷ୍ଟ୍ରନିର୍ମାଣକାରୀ ଶିଳ୍ପପତି କହି ରେଡ କାର୍ପେଟ୍ ପକେଇ ଫୁଲମାଳ ପକେଇବୁ ?
ଯେତେବେଳେ ମୋ ଦେଶର ଆର୍ଥିକ ମେରୁଦଣ୍ଡ ନଇଁ ଯାଇ, ଆମେରିକା ପାଦତଳେ ନାକ ଘସୁଥିଲା
କିଲେ ଖଣ୍ଡି ଗହମ,
ଲିଟରେ ସୋୟାବିନ ତେଲପାଇଁ,
ମୋ ଓଡିଶା ଜନନୀ ସେତେବେଳେ ଛାତି ଚିରି ଦେଇଥିଲା,
ଅଜାଡି ଦେଇଥିଲା ତାର ହୃଦୟରେ ସାଇତା ଅମୂଲ୍ଯ ରତ୍ନ –
ଲୁହା ପଥର, ମାଙ୍ଗାନିଜ୍, କ୍ରୋମାଇଟ୍, ବକସାଇଟ୍, ଏମିତି କେତେ କ’ଣ ।
ତମେ ତାକୁ ନେଲ,
ମୋ ଦେଶର ନଇଁଯାଇଥିବା ଆର୍ଥିକ ମେରୁଦଣ୍ଡ ସଳଖି ଛିଡା ହେଲା,
ତମେ ସବୁ ସବଳ ହେଲ,
ଓଡିଶା ପ୍ରତି କୃତଜ୍ଞତା ଜ୍ଞାପନ କରିବା ପରିବର୍ତ୍ତେ ଓଲଟା ଆଙ୍ଗୁଠି ଦେଖେଇ କହୁଚ,
ଗରୀବି ଦେଖିବ ତ ଓଡିଶା ଯାଅ !
ଇଏ ତମ statesmanship ର ପରିଭାଷା !!
ଗୋଟାଏ ନାଲକୋ,
ମୋ ଓଡିଶାର ବକସାଇଟ ଭଳି ଦୁର୍ମୁଲ୍ଯ ସମ୍ପଦକୁ କେବଳ ଖୋଳିକରି,
ସେଥିରୁ ନାଲି କାଦୁଅ ସଫାକରିବା ପାଇଁ ତାକୁ ତରଳେଇ,
ତରଳେଇବାକୁ ଦରକାର ହେଉଥିବା ବିଜୁଳି ଶକ୍ତି ପାଇଁ
ମୋ ଓଡିଶାର ଲକ୍ଷ ଲକ୍ଷ ଟନ୍ କୋଇଲାକୁ ପୋଡି ପାଉଁଶ କରି,
ଢେଙ୍କାନାଳ, ଅନୁଗୁଳ, ଝାରସୁଗୁଡା ଲୋକଙ୍କ ଭବିଷ୍ଯତ ପିଢୀର ଭବିଷ୍ଯତକୁ ପାଉଁଶରେ ପୋତି,
ଦୁର୍ମୁଲ୍ଯ ଆଲୁମିନାକୁ ଟେକି ଦେଉଛି ବିଦେଶୀଙ୍କ ହାତରେ ।
କିଲୋ ୪୨ ଟଙ୍କାରେ ।
ଆଲୁମିନାରୁ ବିଦେଶୀମାନେ ଆଲୁମିନିୟମ କରନ୍ତି,
ଏ ଆଲୁମିନାକୁ ସେମାନେ ୧୯୨ ପ୍ରକାରେ ବ୍ଯବହାର କରିବା ଜାଣନ୍ତି,
ରସ ଡେକଚି ଠୁ ରକେଟ୍, ରାଫେଲ୍ ପର୍ଯ୍ଯନ୍ତ ।
ଆମ ନବରତ୍ନ କମ୍ପାନୀ ନାଲକୋ,
ଆମ ଶିଳ୍ପ ରତ୍ନ ବେଦାନ୍ତ ,
ଏହାର ସାତ ପ୍ରକାର ବ୍ଯବହାର ବି ଜାଣନ୍ତି ନାହିଁ,
କେବଳ ପୋତା ସମ୍ପତ୍ତିକୁ ବିକିଦେଇ ଏମାନେ ନବ ରତ୍ନ ।
ବକସାଇଟ୍ ପରି ଦୁର୍ଲଭ ପଦାର୍ଥ ଭାରତରେ ଆଉ କେଉଁଠି ନାହିଁ, ଓଡିଶାକୁ ଛାଡି ଦେଲେ ,
ଗନ୍ଧମାର୍ଦନ, ବାଫଲି ମାଳି, ଶାଶୁବୋହୁମାଳି
ଏମିତି ଆଉ କେଇଖଣ୍ଡ ପାହାଡ ଅଛି,
ଖୋଳି ବିକିଦେଲେ ପଚାଶ ଷାଠିଏ ବର୍ଷରେ ସରିଯିବ,
ତା ପରେ ?
ବିଶ୍ୱ ଦରବାରରେ ଯାହାଙ୍କୁ ଆଜି ଆମେ ଓଡିଶା ଜନନୀର ମସ୍ତକ , ବାଫଲିମାଳି ପାହାଡକୁ ଚୁରି ଆଲମୁନା ପାଉଡର କରି ବିକି ଦେଉଛୁ,
ଭବିଷ୍ୟତରେ ତାଙ୍କରି ପାଖରେ ଖଣ୍ଡେ ଇଲେକଟ୍ରି ତାର ପାଇଁ ଗୋଡ ଭାଙ୍ଗି ମଧ୍ଯ ଛିଡା ହେବାକୁ ପଡିବ ।
ମୋ କହିବା କଥା,
ଭାରତର ଆଜି ସେ ସ୍ଥିତି ତ ନାହିଁ,
ଯେ ଯାହା ପଛେ ବିକ୍ରୀ ହେଉଛି ହେଉ, ଆଗ ଦେଶର ଅର୍ଥନୀତି ବଞ୍ଚୁ,
ସେ ସ୍ଥିତି ଯେତେବେଳେ ଥିଲା, ଓଡିଶା ସେତେବେଳେ ତାର ଛାତି ଚିରି ଲହୁ ଦେଇଥିଲା,
ତାକୁ ପିଇ ମରାଠା ଗୁଜୁରାଟ ଦ୍ରାବିଡ ବଙ୍ଗ ସମସ୍ତେ ସବଳ ହେଲ,
ଏବେ ତ ଓଡିଶାର ଏ ଋଣ ଶୁଝ ,
ଆମେରିକା ଭଳି ବିକଶିତ ଦେଶମାନେ ପୃଥିବୀ ସାରାର ଟେକ୍ନୋଲୋଜି, ବ୍ରେନକୁ ମଜୁରୀ ଦେଇ କିଣି ନେଇ ଯାଉଛନ୍ତି,
ତମେ ସେଥିରୁ ଗଣ୍ଡାଏ ଛ’ଟା ଲେଖା କିଣି,
ଓଡିଶାରେ ତମ ଏ ” ବକ୍ଷ ବିଦାର ଶିଳ୍ପ ” ସାଙ୍ଗକୁ ମେଞ୍ଚାଏ ” ସୃଷ୍ଟି ସମ୍ଭାର ଶିଳ୍ପ ” ( down stream industry ) ବସୋଉନ !
ଲକ୍ଷ ଲକ୍ଷ ଓଡିଆ ପିଲା ଏ ସର୍ଜନାରେ ସାମିଲ ହୋଇ ପେଟ ପୋଷନ୍ତେ,
ରାଜ୍ଯ ଦେଶର ଅର୍ଥନୀତିକୁ ସମୃଦ୍ଧ କରନ୍ତେ,
ବିଦେଶ ଯାଇ ନିର୍ଯାତିତ ହୁଅନ୍ତେ ନାହିଁ ।
ହେ ନାଲକୋ, ବାଲକୋ, ବେଦାନ୍ତ, ଇମଫା !
ହେ ଅନୀଲ , ଜିନ୍ଦଲ, ବିର୍ଲା, ବୈଜୟନ୍ତ !
ତମେ ଓଡିଶା ମାଆର ଛାତି ଚିରି
କାଲି ବି ରକ୍ତ ପଇଉଥିଲ,
ଆଜି ବି ପିଉଛ,
ପୁଣି ଆଗକୁ ପିଇବାର ଯୋଜନା ବି ରଖୁଛ,
ସାବଧାନ୍
ଆଗକୁ ତୁମକୁ ଆଉ ସେପରି କରିବାକୁ ଦିଆ ଯିବନି,
ତୁମେ ଯଦି ତୁମ ମୁଳ ଶିଳ୍ପର ଉତ୍ପାଦିତ କଞ୍ଚାମାଲକୁ down stream industry ମାଧ୍ଯମରେ ତାହାର ଶେଷ ବ୍ଯବହାର ପର୍ଯ୍ଯନ୍ତ ନେଇ ପାରିବ,
ତାହେଲେ ଆମେ ତୁମକୁ ଓଡିଶା ନିର୍ମାଣକାରୀ,
ରାଷ୍ଟ୍ର ନିର୍ମାଣକାରୀର ସମ୍ମାନ ଦେବୁ,
ନହେଲେ ଓଡିଶା ଜନନୀର ଲହୁପିଆ-ଗର୍ଭବିଦାର ଅସୁର ବୋଲି ବାଟରେ ଘାଟରେ ଭର୍ତ୍ସନା କରିବୁ,
ଦରକାର ପଡିଲେ , ସୁବିଧା ହେଲେ , ତୁମର ଏ ଗର୍ଭ ବିଦାର ଶିଳ୍ପ ଦୁଆରେ ତୁମକୁ ତାଲାପକେଇ ବାଧ୍ଯ ବି କରିବୁ down stream industry କରିବାକୁ ।
ସରକାର ଶିଳ୍ପପତି ସାବଧାନ୍ ,
ଦରମା ବଢାଅ, ଭତ୍ତା ବଢାଅ, ମେଡିକାଲ ସୁବିଧା ଦିଅ, – ଏପରି ଆନ୍ଦୋଳନର ଯୁଗ ଆଉ ନାହିଁ,
ଏବେ ଶ୍ରମିକ ବୁଝି ସାରିଲାଣି ଯେ
ପରିବାର ପୋଷିବା ପାଇଁ ସେ ମୂଲ ଲାଗୁନି,
ବରଂ ରାଷ୍ଟ୍ର ନିର୍ମାଣ ପାଇଁ ସେ ତାର ଶ୍ରମ ବିନିଯୋଗ କରୁଛି
ଏବଂ ସେ ପ୍ରକ୍ରିୟାରେ ପାଞ୍ଚ ପ୍ରାଣି ପୋଷା ହେଉଛନ୍ତି,
ଯେଉଁମାନେ ପୁଣି ଭବିଷ୍ଯତରେ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ସାମିଲ ହେବେ ।
ଯେଉଁଦିନ ଶ୍ରମିକ ସଙ୍ଗଠନମାନେ ଏଇ ଅତି ସାଧାରଣ କଥା ଭିତ୍ତିଭୂମି ଉପରେ ଦୃଢ ଭାବେ ଛିଡା ହୋଇଯିବେ,
ସେତେବେଳେ ସବୁ ଶିଳ୍ପପତିଙ୍କୁ ସେମାନେ ବାଟକୁ ନେଇ ଆସି ପାରିବେ ।
- ଲକ୍ଷ୍ମୀଧର ନାୟକ