Home କଥା ଅଦାତା ବଂଶ ଦୋଷେଣ, କର୍ମ ଦୋଷେଣ ଦାରିଦ୍ର୍ୟତା

ଅଦାତା ବଂଶ ଦୋଷେଣ, କର୍ମ ଦୋଷେଣ ଦାରିଦ୍ର୍ୟତା

29
0

ଗୋଟିଏ ସହରରେ ମାର୍କ ନାମକ ଜଣେ ଲୋକ ଥାଏ । ସେ ଯେତିକି ଧନୀ, ସେତିକି କୃପଣ । କେହି କେବେ ତାହାଠୁଁ କୌଣସି ଉପକାର ପାଇଥିବାର ଜଣା ନଥିଲା ।

ଦିନେ ମାର୍କ ସହର ରାସ୍ତାରେ ଯାଉଛି, ଜଣେ ଅତିଶୟ ଗରୀବ ଲୋକ ତା’ ଆଗରେ ହାତ ପତାଇ କହିଲା, “ବାବୁ, ମୁଁ ଦୁଇଦିନ ହେଲା କିଛିବି ଖାଇନାହିଁ । ମୋତେ ଗୋଟିଏ ପଇସା ଦିଅନ୍ତୁ । ମୁଠେ ଖାଇନିଏ ।”

 ଲୋକଟିର ଚେହେରା ଦେଖିଲେ ବୁଝିହେବ ସେ ସତ କହୁଛି । ସେ ଯୁଗରେ ଗୋଟିଏ ପଇସାରେ ଜଣେ ମୋଟାମୋଟି ଓଳିଏ ଖାଇ ପାରୁଥିଲା । କିନ୍ତୁ ମାର୍କ ତା’ କଥା ଶୁଣି ନ ଶୁଣିବାର ଭାବ ଦେଖାଇ ସେଠାରୁ ଚାଲିଗଲା । ମାର୍କ ପଛେ ପଛେ ଆଉ ଜଣେ ସହରବାସୀ ଆସୁଥାଏ । ସେ ସହରର ଦେବାଳୟରେ ଚୌକିଦାର କାମ କରୁଥାଏ ଓ ଅତି ସାମାନ୍ୟ ପଇସା ପାଏ । ସେ ଗରୀବ ଲୋକ ହାତରେ ପଇସାଟିଏ ଥୋଇଦେଲା ।

  ମାର୍କ ଏଥିରେ ବହୁତ ଅପମାନ ବୋଧ କଲା । ସେ ବୁଲିପଡି ଚୌକିଦାରକୁ କହିଲା, “ଆରେ ଭାଇ, ମୁଁ କ’ଣ ତାକୁ ଦେଇ ନଥାନ୍ତି? କିନ୍ତୁ ମୋ ପାଖରେ ଖୁଚୁରା ନଥିଲା ।”

ଚୌକିଦାର କହିଲା “ସତେ? ଯଦି ଦେବାକୁ ଇଚ୍ଛା, ତେବେ ମୋଠୁ ପଇସାଟିଏ ଧାର ନିଅନ୍ତୁ । ଗରୀବ ଲୋକଟି ପଇସାଏ ସ୍ଥାନରେ ଦୁଇପଇସା ପାଇଗଲେ କ୍ଷତି କ’ଣ?”

“ଆରେ ହଁ ହଁ … ଏଇଟା ତ ବଢିଆ କଥା ।” ଏହା କହି ମାର୍କ ଚୌକିଦାରଠୁ ପଇସାଟିଏ ନେଇ ସେ ଗରୀବ ଲୋକକୁ ଦେଲା । ଚୌକିଦାରକୁ ସେ କହିଲା “ମୁଁ କାହାରି ପାଖରେ ଋଣୀ ହୋଇ ରହିବାକୁ ପସନ୍ଦ କରେନାହିଁ । ଆଗାମୀ କାଲି ଆସି ତମ ପଇସା ନେଇଯିବ ।”

ପରଦିନ ଚୌକିଦାର ଯାଇ ମାର୍କ ଘରେ ପହଁଚିବା ମାତ୍ରେ ମାର୍କ ଖୁବ୍ ବ୍ୟସ୍ତ ହୋଇ କହିଲା, “ଆରେ ଭାଇ, ତମେ ଆସିଗଲଣି? ବର୍ତ୍ତମାନ ମଧ୍ୟ ମୋ ପାଖରେ ଖୁଚୁରା ନାହିଁ । କାଲିକି ଆସ । ପଇସା ରଖିଦେଇଥିବି ।”

ଚୌକିଦାର ଆସି ପରଦିନ ପହଁଚିବାରୁ ମାର୍କ କହିଲା, “ଗୋଟାଏ କାମ କର । ମୋ ପାଖରେ ସ୍ୱର୍ଣ୍ଣମୁଦ୍ରା ଅଛି । ଗୋଟିଏ ସ୍ୱର୍ଣ୍ଣମୁଦ୍ରାର ମୂଲ୍ୟ ଶହେ ଟଙ୍କା । ତମେ ଅନେଶତ ଟଙ୍କା ଅନେଶତ ପଇସା ଦିଅ । ଆଉ ଏ ସ୍ୱର୍ଣ୍ଣମୁଦ୍ରାଟିଏ ନେଇଯାଅ ।”

ସ୍ୱର୍ଣ୍ଣମୁଦ୍ରାଟିଏ କୌଣସି ଦୋକାନରେ କିଛି କିଣାକିଣି ନକରି ଖାଲି ସେମିତି ଭଙ୍ଗାଇଲେ ଦୁଇ ପଇସା ବଟି ଦେବାକୁ ପଡୁଥାଏ ବୋଲି ଚୌକିଦାରକୁ ତ ଜଣାଥିଲା । ମାର୍କ ଗୋଟିଏ ମାତ୍ର ପଇସା ଦେଇ ବର୍ତ୍ତମାନ ସେ କାମଟି କରାଇନେବାକୁ ଚାହୁଁଛି ବୋଲି ବୁଝିବାକୁ ଚୌକିଦାରକୁ ଆଉ ବିଳମ୍ବ ହେଲା ନାହିଁ । ମାର୍କ ତେଣେ ତରତର ହୋଇ ଘର ଭିତରକୁ ଯାଇ ସ୍ୱର୍ଣ୍ଣମୁଦ୍ରାଟିଏ ଆଣି ଚୌକିଦାରକୁ ତାହା ଦେଖାଇଲା ।

“ବାବୁ, ମୋଠି ଏତେ ଟଙ୍କା କାହୁଁ ଆସିବ? ମୁଁ ବରଂ କାଲିକି ଆସିବି ।” ଏତିକି କହି ଚୌକିଦାର ସେଠାରୁ ଚାଲିଗଲା ।

ପରଦିନ ଚୌକିଦାର ଆସୁଥିବାର ଦେଖି ମାର୍କ ତା’ ସ୍ତ୍ରୀକୁ କହିଲା, “ଲୋକଟା ଏଡେ ଦୁଷ୍ଟ, ଗୋଟାଏ ପଇସା ପାଇଁ ତିନି ତିନିଥର ଆସିଲାଣି । ମୁଁ ଶୋଉଛି । ତମେ ବସି କନ୍ଦାକଟା କର, ସତେ ଅବା ମୁଁ ମରିଯାଇଛି ।”

ଏଣେ ମାର୍କ ନିର୍ଜୀବ ଭାବରେ ଶୋଇ ରହିଲା ଓ ତା’ ସ୍ତ୍ରୀ କାନ୍ଦିବାର ଛଳନା କଲା । ଚୌକିଦାର ଏହା ଦେଖି କହିଲା, “ଆହା, ବାବୁ ମରିଗଲେ? ଆମ ଧର୍ମ ଅନୁସାରେ ମରିଯିବାର ଏକଘଂଟା ଭିତରେ ଶବକୁ ସ୍ନାନ କରାଇବା କଥା । ମୁଁ ପାଣି ଆଣୁଛି ।” ଏହା କହି ସେ ଚୌକିଦାର ମାର୍କର ରୋଷେଇ ଘରେ ପଶି ଚୁଲିରୁ ଗରମ ପାଣି ଆଣି ସେସବୁ ସେ ମାର୍କ ଉପରେ ଢାଳିଲା । ମାର୍କ ହଲଚଲ ହେଲାନାହିଁ ସତ, କିନ୍ତୁ ତା’ମୁହଁରେ କଷ୍ଟ ଭାବ ଫୁଟି ଉଠିଲା । ଏଥର ତା’ ଛଳନା ସମ୍ପର୍କରେ ଚୌକିଦାରର ଆଉ କିଛିବି ସନ୍ଦେହ ରହିଲା ନାହିଁ । ସେ ମାର୍କର ସ୍ତ୍ରୀକୁ କହିଲା, “ଭଉଣୀ, ଆମ ଧର୍ମ ଅନୁସାରେ ସୂର୍ଯ୍ୟାସ୍ତ ପୂର୍ବରୁ କବର ଦିଆ ହୋଇ ନ ପାରିଲେ ଶବକୁ ଦେବାଳୟ ପରିସର ଭିତରେ ରଖିବା କଥା । ମୁଁ ଏହାକୁ ନେଇ ଯାଉଛି । କାଲି ସକାଳେ କବର ଦେବା ।” ଏହା କହି ସେ ଶବାଧାର ଆଣି ମାର୍କକୁ ତହିଁ ଭିତରେ ପୁରାଇ ଦେବାଳୟ ଭିତରକୁ ନେଇଗଲା । ଭାବିଥିଲା, ଭୋକ କଲେ ମାର୍କ ବଳେ ଉଠି ବସିବ ଓ ନିଜ ଛଳନା ପାଇଁ ସେ ତାକୁ କ୍ଷମା ମାଗିବ । କିନ୍ତୁ ମାର୍କ ତା’ର ନିଶ୍ଚିନ୍ତ ହୋଇ ଶୋଇ ରହିଲା ।

ରାତିରେ ଚାରିଜଣ ଚୋର ଦେବାଳୟରେ ପଶିଲେ । ସେମାନେ ବାହାରୁ ଅନେକ ଟଙ୍କା ପଇସା ଚୋରି କରି ଆଣିଥିଲେ । ସେଠାରେ ବସି ସେସବୁକୁ ସେମାନେ ନିଜ ନିଜ ମଧ୍ୟରେ ବାଂଟିଲେ । ବଳକା ରହିଲା ଗୋଟିଏ ଛୁରୀ । ସେ ଗୋଟିକ କିଏ ନେବ, ଏହି ଆଲୋଚନା ହେଉଥାଏ, ଚୌକିଦାର ଗୋଟିଏ ସ୍ତମ୍ଭ ପଛରୁ କହିଲା, “ଆରେ, ଏତକ ବୁଝୁନାହଁ? ଏଠି ପଡିଥିବା ଶବକୁ ଯିଏ କାଟିବ, ଛୁରୀଟି ତା’ର ହେବ!”

ଏହାକୁ କୌଣସି ଦୈବବାଣୀ ଭାବି ଚୋରମାନେ ଚକିତ ହୋଇ ଅନାଇବା ବେଳକୁ ମାର୍କ ଉଠି ବସି କହିଲା, “ମୋତେ କାଟିବ?”

ଭୂତ ଏହା କହୁଛି ଭାବି ଚୋରମାନେ ସେଠୁ ଦୌଡି ପଳାଇଲେ । ମାର୍କ ଶବାଧାର ଭିତରୁ ବାହାରି ଚୌକିଦାରକୁ କହିଲା, “ଆରେ ଭାଇ, ତୁମକୁ ଏତେ କଷ୍ଟ ଦେବାରୁ ମୁଁ ଅତ୍ୟନ୍ତ ଦୁଃଖିତ । ତେବେ ଲାଭ ବି ବହୁତ ହେଲା । ଚୋରମାନେ ଯେତେ ଟଙ୍କା ପଇସା ଛାଡି ଯାଇଛନ୍ତି, ତାକୁ ବର୍ତ୍ତମାନ ଆମେ ଅଧା ଅଧା ବାଂଟି ନେବା । କଣ ରାଜି?”

ଚୌକିଦାର – ହଁ ସେଇଆ ତ ହବ ଅଧା ଅଧା କରିବା

ମାର୍କ – ରାଜି ତ

ଚୌକିଦାର – ହଁ ହଁ ରାଜି

ତା ପରେ ଦୁହେଁ ତାହା ଅଧା ଅଧା ବଣ୍ଟାବଣ୍ଟି କରିନେବା ପରେ ଚୌକିଦାର କହିଲା, “ଆଚ୍ଛା ବାବୁ, ଏଥର ମୋର ଏକ ପଇସାଟି ଦିଅ…”

ମାର୍କ କହିଲା – “ଆମ ଭିତରେ ସର୍ତ୍ତ ଥିଲା ଯେ ଏଇ ଟଙ୍କାଗୁଡା ହିଁ ଅଧା ଅଧା ବାଣ୍ଟିକରି ନେବା । ଆଉ ତୁମେ ବି ସର୍ତ୍ତରେ ରାଜି ହୋଇଥିଲ । ହେଲେ ଏବେ ତୁମେ ଜଦି ଏଥିରୁ ପଇସାଟିଏ ନେଇଯିବ, ତାହେଲେ ଅଧା ଅଧା କଉଠି ହେଲା? ହ ହଉ । ତୁମେ କାଲି ଯେମିତି ହେଲେ ଦେଖା ହୁଅ । ବାତ୍ୟା ହେଉ କି ବନ୍ୟା ହେଉ କାଲିକି ତୁମ କଥା ବୁଝିଦେବି |

LEAVE A REPLY

Please enter your comment!
Please enter your name here