Home ୨୪ ଘଣ୍ଟା ୨୪ ଖବର ଚନ୍ଦ୍ରପୃଷ୍ଠରେ ମାନବ ବସତି ସ୍ଥାପନ କରିବାର ଆଶା ଉଜ୍ଜୀବିତ ହୋଇଛି

ଚନ୍ଦ୍ରପୃଷ୍ଠରେ ମାନବ ବସତି ସ୍ଥାପନ କରିବାର ଆଶା ଉଜ୍ଜୀବିତ ହୋଇଛି

15
0

-୨୪ ଘଣ୍ଟା ୨୪ ଖବର –

୨୮ ଅକ୍ଟୋବର ୨୦୨୦, ବର୍ଷର ୩୦୨ତମ ଦିବସ, ୪୪ତମ ବୁଧବାର

୧. ଦେଶର ଯେକୌଣସି ବ୍ୟକ୍ତି ଏବେ ଜମ୍ମୁ-କଶ୍ମୀରରେ ଜମି କିଣି ସେଠାରେ ଘରଦ୍ୱାର କରି ରହିପାରିବେ । ଗୃହ ମନ୍ତ୍ରାଳୟ ଦ୍ୱାରା ଏନେଇ ମଙ୍ଗଳବାର ଏକ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଚାଷ ଜମି କ୍ଷେତ୍ରରେ ଏହି ନିୟମ ଲାଗୁ ହୋଇପାରିବ ନାହିଁ ବୋଲି ଗୃହ ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି।

୨. ଭାରତରେ କରୋନା ସ୍ଥିତି ଦିନକୁ ଦିନ ସୁଧୁରିବାରେ ଲାଗିଛି। ଦୈନିକ ସଂକ୍ରମଣ ସଂଖ୍ୟା କମି ଚାଲିଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ବଢିଚାଲିଛି। ଦେଶରେ ଏବେ ଆରୋଗ୍ୟ ହାର ୯୦ ପ୍ରତିଶତ ଟପିଯାଇଛି । ମାତ୍ର ପାର୍ବଣ ଋତୁରେ କେତେକ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ପରିଲକ୍ଷିତ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

୩.ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅନଲକ ୫.୦ର ନିୟମାବଳୀ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଏହା ସହିତ ଚଳିତ ପାର୍ବଣ ଋତୁରେ କୋଭିଡ ଗାଇଡଲାଇନର କଡ଼ାକଡ଼ି ପାଳନ ଲାଗି ପଦକ୍ଷେପ ନେବାକୁ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ଜଣାଇଛନ୍ତି।

୪. ଭାରତ ଗସ୍ତରେ ଆସିଥିବା ଆମେରିକା ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପେଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ କରିବା ଅବସରରେ କହିଛନ୍ତି ଯେ, ଅଖଣ୍ଡତା ପାଇଁ ଭାରତ ନେଉଥିବା ପଦକ୍ଷେପକୁ ଆମେରିକା ସମର୍ଥନ କରୁଛି। ଗତ ଜୁନ୍ ମାସରେ ଲଦାଖର ଗଲୱାନ୍ ଘାଟି ହିଂସାକାଣ୍ଡରେ ମୃତ ୨୦ ଭାରତୀୟଙ୍କ ପ୍ରାଣବଳୀକୁ ମନେ ପକାଇଥିଲେ।

୫. ଏବେ ଦୁର୍ନୀତି ନିବାରଣ ସପ୍ତାହ ଚାଲିଛି | ଅକ୍ଟୋବର 27ରୁ ନଭେମ୍ୱର 2 ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ଦୁର୍ନୀତି ନିବାରଣ ବିଭାଗକୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟପାଇଁ ଅଭିନନ୍ଦନ ଜଣାଇବା ସହ ଦୁର୍ନୀତି ନିବାରଣ ପ୍ରକ୍ରିୟାକୁ ଆହୁରି ଅଧିକ ଉତ୍ତରଦାୟୀ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି | ରାଜ୍ୟର ପ୍ରତ୍ୟେକ ଜନସେବକ ସର୍ବାଧିକ ସାଧୁତା ଓ ସ୍ୱଚ୍ଛତା ସହିତ ଜନସେବା ଯୋଗାଇଦେବା ପାଇଁ ନିଷ୍ଠାପର ଭାବେ କାର୍ଯ୍ୟକରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପୋଷଣ କରିଛନ୍ତି |

୬. ପିଡିପି ମୁଖ୍ୟ ମେହବୁବା ମୁଫତି ଏବଂ ନେସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଧାରା ୩୭୦ ଏବଂ ଭାରତୀୟ ଜାତୀୟ ପତାକା ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଜାତୀୟ ରାଜନୀତି ସରଗରମ । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉଭୟ ମେହବୁବା ମୁଫତି ଏବଂ ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧ‌ରେ କଟୁ ଟିପ୍ପଣୀ ଦେଇଛନ୍ତି। ଉଭୟଙ୍କର ଭାରତରେ ରହିବାର କୌଣସି ଅଧିକାର ନାହିଁ, ବରଂ ସେମାନେ ତୁରନ୍ତ ପାକିସ୍ଥାନ ଚାଲିଯାଆନ୍ତୁ।

୭. କୋଇଲା ଦୁର୍ନୀତିରେ ଜଡିତ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲୀପ ରାୟଙ୍କୁ ବଡଧରଣର ଆଶ୍ୱସ୍ତି ମିଳିଛି। ତାଙ୍କ ୩ ବର୍ଷର ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ଏହି ଦଣ୍ଡାଦେଶକୁ ସସ୍‌ପେଣ୍ଡ କରିଛନ୍ତି।

୮. ଚନ୍ଦ୍ରପୃଷ୍ଠରେ ମାନବ ସଭ୍ୟତା ବସତି ସ୍ଥାପନ କରିବାର ଆଶା ଉଜ୍ଜୀବିତ ହୋଇଛି। କାରଣ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଚନ୍ଦ୍ରପୃଷ୍ଠରେ ପାଣିର ସନ୍ଧାନ ପାଇଛି। ପର୍ଯ୍ୟବେକ୍ଷଣ ଯାନ ’ସୋଫିଆ’ ଜରିଆରେ ଜଳ ସନ୍ଧାନ କରାଯାଇଥିବା ନାସା କହିଛି।

୯. ଜୁଲାଇ ୨୦୧୮ରେ ଦୁର୍ନୀତି ନିବାରଣ ଆଇନ (ପିସିଏ)ରେ ସଂଶୋଧନ ପରେ ସିବିଆଇ ଦ୍ୱାରା ପଞ୍ଜୀକୃତ ହେଉଥିବା ଦୁର୍ନୀତି ମାମଲା ସଂଖ୍ୟା ହ୍ରାସ ପାଇଛି। କେନ୍ଦ୍ରୀୟ ଭିଜିଲାନ୍‌ସ କମିଶନଙ୍କୁ ସିବିଆଇ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ଗତ ବର୍ଷ ରେକର୍ଡ ହୋଇଥିବା ମାମଲା ସଂଖ୍ୟା ୨୦୧୭ (ସଂଶୋଧନର ଏକ ବର୍ଷ ପୂର୍ବରୁ) ତୁଳନାରେ ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇଛି।

୧୦. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି ଯେ ‘ଭ୍ରଷ୍ଟାଚାରର ବଂଶବାଦ’ (ଡାଇନାଷ୍ଟିକ୍‌ କରପସନ୍‌) ସଂପ୍ରତି ଦେଶ ପାଇଁ ଏକ ପ୍ରମୁଖ ଆହ୍ଵାନ ପାଲଟିଛି। ଏବଂ ଦେଶର ଅନେକ ରାଜ୍ୟରେ ଏହା ରାଜନୈତିକ ପରମ୍ପରାର ଏକ ଅଂଶ ବିଶେଷ ହୋଇପଡ଼ିଛି।

୧୧. ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର ପାଇଁ ଆଲ୍ଲାବାଦ୍‌ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହି ମାମଲାର ଯାଞ୍ଚ୍‌ ସିବିଆଇ କରୁଥିବା ବେଳେ ଆଲ୍ଲାବାଦ୍‌ ହାଇକୋର୍ଟଙ୍କୁ ଏହାର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍‌ଏ ବୋବ୍‌ଡେ ନେତୃତ୍ବାଧୀନ ଏକ ୩ ଜଣିଆ ଖଣ୍ଡପୀଠରେ ପୀଡ଼ିତାଙ୍କ ପରିବାର ତଥା ସାକ୍ଷୀଙ୍କ ସୁରକ୍ଷା ସମେତ ମାମଲାର ସମସ୍ତ ଦିଗ ଆଲ୍ଲାବାଦ୍‌ ହାଇକୋର୍ଟ ତୁଲାଇବେ ବୋଲି କୁହାଯାଇଛି।

୧୨. ମହଙ୍ଗା ପଡିଲା ଫେସ୍‌ବୁକରେ ବନ୍ଧୁତା। ପ୍ରେମ ନିବେଦନକୁ ନା ଓ ବିବାହକୁ ମନା କରିବାରୁ ଟେଲି ଅଭିନେତ୍ରୀଙ୍କୁ ଛୁରାମାଡ। ଛୁରାମାଡରେ ଅଚେତ ଅଭିନେତ୍ରୀ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅଭିଯୁକ୍ତ ଫେରାର୍ ଅଛି।

୧୩. ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ କର୍ଣ୍ଣାଟକ ହାଇକୋର୍ଟ ମଙ୍ଗଳବାର ଦୁଷ୍କର୍ମ ଅପରାଧରେ ସଂପୃକ୍ତ ଅପରାଧୀମାନଙ୍କ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ପ୍ରଣୟନ କରିବାକୁ ଉଭୟ ବିଧାନସଭା ଓ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି।

୧୪. ଏଣିକି ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବା ଦରକାର ପଡିବ ନାହିଁ। ମାତ୍ର ଗୋଟିଏ ପୋର୍ଟାଲ www.scholarship.odisha.gov.inରେ କ୍ଲିକ୍‌ କଲେ ପିଲାମାନେ ସେମାନଙ୍କ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ଏହାଦ୍ଵାରା ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ୬ଟି ବିଭାଗ ପକ୍ଷରୁ ୨୧ଟି ଛାତ୍ରବୃତ୍ତି ଦିଆଯାଇଥାଏ।
୧୫. ସମ୍ବଲପୁର ବିଶ୍ୱବିଦ୍ୟାଳୟର ୨୦୧୮-୨୦ ବିଏଡ୍‌ ପରୀକ୍ଷାରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସୁନାମ ଆଣିଛି । ମହାବିଦ୍ୟାଳୟର ଛାତ୍ରୀ ବର୍ଷା ନାଏକ ୧୪୭୫ ମାର୍କ ରଖି ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଥିବା ବେଳେ ଶ୍ରେଷ୍ଠ ୧୦ ଜଣ ମଧ୍ୟରେ ସୁନ୍ଦରଗଡ଼ର ୭ ଜଣ ରହି ମହାବିଦ୍ୟାଳୟ ଓ ସୁନ୍ଦରଗଡ଼ ପାଇଁ ଗୌରବ ଆଣିଛନ୍ତି।

୧୬. କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ୧୯୮୮ ବ୍ୟାଚ୍ ଆଇଏଏସ୍ ପରାଗ ଗୁପ୍ତାଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ୨୦୧୦ ବ୍ୟାଚ୍ ଆଇଏଏସ୍ ମାନସୀ ନିମ୍ଭାଲଙ୍କୁ ଓଏସଏଏମ୍ ବୋର୍ଡର ସଦସ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଏହାସହିତ ତାଙ୍କୁ ଟିଡିକଲ ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ୧୯୯୩ ବ୍ୟାଚ ଆଇଏଏସ ତଥା ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଅତିରିକ୍ତ ଭାବରେ ବହନ କରୁଥିବା ସିଡ଼ିଏ ଦାୟିତ୍ଵ ଜି.ମାଥିଭାଥନନଙ୍କୁ ପ୍ରଦାନ କରାଯାଇଛି। ଶ୍ରୀ ମାଥିଭାଥନନ୍ ଏବେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଦାୟିତ୍ଵରେ ଅଛନ୍ତି। ୨୦୧୪ ବ୍ୟାଚ୍ ଆଇଏଏସ୍ ଡକ୍ଟର ୟେଦୁଲା ବିଜୟଙ୍କୁ ଓରେଡାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏବେ ସେ ଯୋଜନା ଓ ସଂଯୋଜନ ବିଭାଗର ଉପସଚିବ ଭାବେ କାର୍ଯ୍ୟ କରୁଛନ୍ତି।

୧୭. ଆଦିତ୍ୟ ଆଲୁମିନାର ଠିକା ସଂସ୍ଥା ବରୋଦରା ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟର ମାନବ ସମ୍ବଳ ଓ ପ୍ରଶାସନିକ ଅଧିକାରୀ ଗୌତମ ରେଡ୍ଡିଙ୍କଠାରୁ ପ୍ରଥମେ ଦାଦାବଟି ଆଦାୟ ଓ ପରେ ଆକ୍ରମଣ କରି ୨୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗରେ ଠେଲକୋଇ ପୁଲିସ୍‌ ୨୦୧୯ ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଡର୍ବା ଗ୍ରାମର ବାଳକୃଷ୍ଣ ରୋହିଦାସ(୩୨), ଭାଇ ରାଜେଶ ରୋହିଦାସ(୩୦) ଓ ଜଣେ ନାବାଳକକୁ ଗିରଫ କରିଛି ।

୧୮. ଗତକାଲି ବଟି ଆଦାୟ ଭଳି ଅଭିଯୋଗରେ ରାଜଧାନୀରୁ ଗିରଫ ହୋଇଥଲେ ୫ ସାମ୍ବାଦିକ । ଏହି ଘଟଣାର ଦିନକ ପରେ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଗଂଜାମ ଜିଲ୍ଲାର ୩ ସାମ୍ବାଦିକଙ୍କୁ ପୋଲିସ ଅଟକ ରଖିଛି । ସୂଚନା ଅନୁସାରେ ୩ ଜଣଙ୍କ ମଧ୍ୟରୁ ୨ ଗିରଫ ହୋଇଥିଲାବେଳେ ଜଣେ ଫେରାର ଅଛି।

୧୯. ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୦୧୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଓଡିଶାରେ ବର୍ତ୍ତମାନ ସୁଦ୍ଧା ୨,୮୩,୯୪୨ କରୋନା ସଂକ୍ରମିତ ମାମଲା ରହିଥିବା ବେଳେ ମୋଟ୍ ୨,୬୮,୧୧୫ ସୁସ୍ଥ ହୋଇଛନ୍ତି । ୧୨୭୨ ଜଣଙ୍କ ମୃତ୍ୟୁ ହୋଇଛି।

୨୦. କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଚାଇଲ୍ଡ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଫିସର (ସିଡିପିଓ) ସ୍ନିଗ୍ଧାରାଣୀ ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏକ ବିଲ୍ କରାଇ ଦେବାକୁ ସ୍ନେହଲତା ଦଳପତିଙ୍କ ଠାରୁ ସେ ୧,୭୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ।

୨୧. ଖୋର୍ଦ୍ଧା ସାରୁଅରେ ଜମି କେଳେଙ୍କାରୀ ମାମଲାରେ ଓଟିଭି ଏମଡି ଜାଗି ମଙ୍ଗତପଣ୍ଡାଙ୍କ ଅଡୁଆ ବଢିଛି। ସାରୁଅ ମହିଳା ସମିତିରୁ ଅଧ୍ୟକ୍ଷାଙ୍କ ସହ ସମିତି କର୍ମକର୍ତ୍ତାମାନେ ଇସ୍ତଫା ଦେଇଛନ୍ତି। ସମିତିର ସଭାପତି ଜୟନ୍ତୀ ସାହୁ, କୋଷାଧ୍ୟକ୍ଷ ରଶ୍ମିତା ମହାଭୋଇ ଓ ଅନ୍ୟ ୪ ସଦସ୍ୟ ଇସ୍ତଫା ଦେଇଛନ୍ତି।

୨୨.ଶ୍ରୀମନ୍ଦିର ଦ୍ୱାରର ରୁପା ଛାଉଣି ପ୍ରସଙ୍ଗ ନେଇ ପୁରୀରେ ମଙ୍ଗଳବାର ବୈଠକ ହୋଇଛି। ନୀଳାଚଳ ଭକ୍ତ ନିବାସରେ ଏହି ବୈଠକ ଆୟୋଜିତ ହୋଇଥିଲା। ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବୈଠକରେ ଯୋଗ ଦେଇଥିଲେ। ବୈଠକରେ ବିଭିନ୍ନ ନିଯୋଗର ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ।

୨୩. ପୁରୀ ଶ୍ରୀମନ୍ଦିରର ବାଇଶି ପାହାଚର ମରାମତି ହେବ। ଏନେଇ ମଙ୍ଗଳବାର ପ୍ରତ୍ନତତ୍ତ୍ୱ ବିଭାଗର ଏକ ଟିମ୍ ବାଇଶି ପାହଚର ଅନୁଧ୍ୟାନ କରିଛନ୍ତି। ଦୁର୍ବଳ ପାହଚଗୁଡ଼ିକ ଚିହ୍ନଟ କରାଯାଇଛି। ଆବଶ୍ୟକ ପଡିଲେ, ଦୁର୍ବଳ ପଥର ବଦଳରେ ନୂଆ ପଥର ଲଗା ଯିବା ନେଇ ବ୍ୟବସ୍ଥା କରାଯିବ । ସେହିପରି ମହାଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିର ମରାମତି ନେଇ ମଧ୍ୟ ଯାଞ୍ଚ କରାଯାଇଛି।

୨୪. ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ରେ ପ୍ରଚାର କରିବେ। ନବୀନ ଆସନ୍ତାକାଲି (ବୁଧବାର) ତିର୍ତ୍ତୋଲ ଉପ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଆସନ୍ତା ୨୯ ତାରିଖ (ଗୁରୁବାର) ବାଲେଶ୍ୱର ସଦର ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ।

LEAVE A REPLY

Please enter your comment!
Please enter your name here