Home ଜିବୀକା ଧନ୍ୟବାଦ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ

ଧନ୍ୟବାଦ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ

393
0

ଏବେ ଚାଷୀର ପନିପରିବା ପଚିବାକୁ ନାହିଁ ଡର,
ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କୁ ମିଳୁଛି ‘ ପରିବା କୁଲର’

ସୁନ୍ଦରଗଡ଼, ୨୧ ଅକ୍ଟୋବର ୨୦୨୦: ସୁନ୍ଦରଗଡ଼ ଜିଲ୍ଲାର କ୍ଷୁଦ୍ର ଚାଷୀଙ୍କ ପାଇଁ ବରଦାନ ପାଲଟିଛି ‘ ପରିବା କୁଲର ’ ବା ‘ଜିରୋ କୁଲିଙ୍ଗ ଚାମ୍ବର’।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କୁଲର ସେମାନଙ୍କ ଆର୍ଥିକ ସ୍ଥିତି ଓ ଜୀବନଧାରଣ ମାନରେ ବିଶେଷ ପରିବର୍ତ୍ତନ ଆଣି ପାରିଛି।

ପ୍ରଶାସନ ସହଯୋଗରେ ଚାଷୀମାନେ ନିଜ ଅଗଣା ବା ବାରିରେ ଏହି କୁଲର ନିର୍ମାଣ କରି ପନିପରିବା ସାଇତି ରଖୁଛନ୍ତି।

ଫଳରେ ଏବେ କ୍ଷେତରୁ ପରିବା ତୋଳିବା ପରେ ହେଉ କି ବଜାରରେ ବିକ୍ରି ନହୋଇ ବଳି ଯାଇଥିବା ପରିବାକୁ ସଂରକ୍ଷିତ କରି ରଖିବା ପାଇଁ ଚାଷୀଙ୍କୁ ସୁବିଧା ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା, କୁଆରମୁଣ୍ଡା ଓ ଟାଙ୍ଗରପାଲି ବ୍ଲକର ୫୦ରୁ ଅଧିକ ଚାଷୀ ନିଜ ବାରିରେ ଏହି କୁଲର ନିର୍ମାଣ କରିଛନ୍ତି। ଆଗକୁ ଏହି ବ୍ଲକ ଅଞ୍ଚଳରେ ଏପରି ଅଧିକ କୁଲର ନିର୍ମାଣ ହେବାକୁ ଯାଉଛି।

” ଏଥିରେ ଜିଲ୍ଲାର ଅଧିକରୁ ଅଧିକ ଚାଷୀ କିପରି ଯୋଡ଼ି ହେବେ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ।

ବିନା ବିଜୁଳି ଶକ୍ତିରେ ଏ ପରିବା କୁଲର ଚାଲି ପାରୁଛି। ଏଥିରେ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପନିପରିବା ସାଇତି ରଖିବାର କ୍ଷମତା ରହିଛି। ପ୍ରାୟ ୭ ଦିନ ଯାଏଁ ପନି ପରିବା ଏଥିରେ ସତେଜ ରହି ପାରୁଛି।

‘‘ପରିବା କୁଲରରେ ଚାଷୀମାନଙ୍କ ଫସଲ ସଂରକ୍ଷିତ ହୋଇ ରହିବା ଫଳରେ ବଜାରରେ ସେମାନଙ୍କୁ ଉଚିତ ଦର ମିଳି ପାରୁଛି। କରୋନା ଲକଡାଉନ ସମୟରେ ଯେତେବେଳେ ହାଟ ବଜାର ବନ୍ଦ ରହିଥିଲା ସେତେବେଳେ ଚାଷୀ ଏଥିରେ ପରିବା ସଂରକ୍ଷିତ କରି ରଖି ପାରିଥିଲେ। ଏହା ଆମ ପାଇଁ ଏକ ବଡ଼ ଅନୁଭବ’’, କହିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଭୈରବ ସିଂ ପଟେଲ।

‘ପରିବା କୁଲର’ ନିର୍ମାଣ ପାଇଁ ମୁମ୍ବାଇର ରୁକାଟ ଟେକ୍ନୋଲୋଜି ବୈଷୟିକ ସହାୟତା ଯୋଗାଇ ଦେଉଛି।

ଏନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦେଶପ୍ରେମୀ ଏବଂ ରୁକାଟ ମଧ୍ୟରେ ଏମଓୟୁ ସ୍ୱାକ୍ଷର କରାଯାଇଛି। ଏଥିପାଇଁ ଜିଲ୍ଲା ପାରିପାର୍ଶ୍ୱିକ ବିକାଶ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ସବଜି କୁଲର ହେଉଛି ଏକ ଧାତବ କକ୍ଷ ବା ଚାମ୍ବର। ଯାହାକୁ ରୁକାଟ ପକ୍ଷରୁ ବିକଶିତ କରାଯାଇଛି।

ଏହି ଚାମ୍ବରକୁ ସ୍ଥାପନ କରିବା ପାଇଁ ଚାଷୀ ଇଟା ସିମେଣ୍ଟ ବ୍ୟବହାର କରି ଗୋଟାଏ ପାଞ୍ଚ ଇଞ୍ଚିଆ କାନ୍ଥ ବିଶିଷ୍ଟ ଛୋଟିଆ କକ୍ଷଟିଏ ନିର୍ମାଣ କରିଥାଏ। ଏ କକ୍ଷଟିର ଗଭୀରତା ଏବଂ ଚଉଡା ପାଞ୍ଚ ଛଅଫୁଟ୍ ପର୍ଯ୍ୟନ୍ତ ହୋଇଥାଏ |

ଏ ସିମେଣ୍ଟ କକ୍ଷ ମଧ୍ୟରେ ରୁକାଟ୍ କମ୍ପାନୀ ଦ୍ୱାରା ବିକଶିତ ପରିବା ରଖିବା ପ୍ଲାଷ୍ଟିକ୍ ଚାମ୍ୱର ଟିକୁ ସ୍ଥାପନା କରାଯାଏ | ଏହି ପ୍ଲାଷ୍ଟିକ ଚାମ୍ୱର ଭିତରେ ପନି ପରିବାକୁ ରଖାଯାଏ |

ଏ ପ୍ଲାଷ୍ଟିକ ଚାମ୍ୱର ଏବଂ ସିମେଣ୍ଟ କକ୍ଷ ମଧ୍ୟରେ ସାମାନ୍ୟ ବ୍ୟବଧାନ ଥାଏ, ଏବଂ ଏହି ଶୁନ୍ୟ ସ୍ଥାନରେ ପାଣି ଭର୍ତ୍ତି କରି ଦିଆଯାଏ |

ସିମେଣ୍ଟ ଷ୍ଟ୍ରକଚର ଟିର ତଳ ଭାଗକୁ ପ୍ଲାଷ୍ଟର କରାଯାଇ ନଥାଏ, ଏହାର କାନ୍ଥକୁ କେବଳ ସିମେଣ୍ଟ ଯୋଡେଇ କରା ଯାଇଥାଏ, ପ୍ଲାଷ୍ଟର କରାଯାଇ ନଥାଏ |

ଫଳରେ ପାଣି ଖୁବ୍ ଧିରେ ଧିରେ ମାଟିରେ ଭେଦି ଯାଇଥାଏ ଏବଂ ମଝିରେ ମଝିରେ ଏଥିରେ ପାଣି ପୁରାଇବାକୁ ପଡିଥାଏ |

ଏହି କ୍ଷୁଦ୍ର କକ୍ଷଟି ଏକ ଶୀତଳଭଣ୍ଡାର ଭଳି କାମ କରୁଥିବାରୁ ଚାଷୀ ପାଇଁ ବରଦାନ ସଦୃଶ ହୋଇଥାଏ।

ଏ ପରିବା କୁଲର ପାଇଁ ଆବଶ୍ୟକ ପ୍ଲାଷ୍ଟିକ୍ ଚାମ୍ୱର ଓ ଅନ୍ୟାନ୍ୟ ସମସ୍ତ ଯନ୍ତ୍ରାଂଶ ସହ ପରିବା ରଖିବା ପାଇଁ ପ୍ଲାଷ୍ଟିକ ଝୁଡ଼ି ମଧ୍ୟ ରୁକାଟ ପକ୍ଷରୁ ଯୋଗାଇ ଦିଆଯାଇଥାଏ ।

ଗୋଟିଏ କୁଲର ପାଇଁ ଖର୍ଚ ହୁଏ 33 ହଜାର ଟଙ୍କା, ଯାହାକୁ ଜିଲ୍ଲା ପ୍ରଶାସନ ତାଙ୍କର ପେରିଫେରି ଡେଭେଲପମେଣ୍ଟ ଫଣ୍ଡ ଓ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡରୁ ଯୋଗାଇ ଦେଇ ଥାଆନ୍ତି |

କେବଳ ପାଞ୍ଚ ଇଞ୍ଚିଆ ସିମେଣ୍ଟ ଷ୍ଟ୍ରକଚରଟିକୁ ହିତାଧିକାରୀ ଚାଷୀ ନିଜ ହାତରୁ ପଇସା ଖର୍ଚ କରି ତିଆରି କରିଥାଏ |

ଏ ପରିବା କୁଲିଂ ଚାମ୍ୱର ପାଇଁ ଖର୍ଚ ହେଉଥିବା ଟଙ୍କା ଜିଲ୍ଲା ପ୍ରଶାସନ ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କ ମାଧ୍ୟମରେ ଯୋଗାଇ ଦେଇଥାଆନ୍ତି |

ପରିବା କୁଲର ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ସହ ଏହାର ଆବଶ୍ୟକ ମରାମତି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥାଏ।

‘‘ପନିପରିବା ବିକ୍ରି ନହୋଇ ବଳି ପଡ଼ିଲେ ତାହା ନଷ୍ଟ ହୋଇ ଯାଉଥିଲା। ଏହା ଫଳରେ ମୁଁ କ୍ଷତି ସହୁଥିଲି। କିନ୍ତୁ ଯେବେଠୁ ସବଜି କୁଲର ନିର୍ମାଣ କଲିଣି ସେବେଠୁ ପନିପରିବା ଆଉ ନଷ୍ଟ ହେଉନି। ଏଥିରେ ପରିବା ସତେଜ ରହୁଛି’’, କହିଛନ୍ତି ଚାଷୀ ଦିଗମ୍ବର ରଣା।

କେବଳ ‘ସବଜି କୁଲର’ ନୁହେଁ, ରୁକାଟ ଟେକ୍ନୋଲୋଜିର ବୈଷୟିକ ସହାୟତାକ୍ରମେ ଚାଷଜମିରେ ଜଳ ସଂରକ୍ଷଣ ପାଇଁ ‘ଜଳ କୁଣ୍ଡ’, ବୁନ୍ଦା ଜଳସେଚନ ବ୍ୟବସ୍ଥା, ପେଡାଲ ଚାଳିତ ପମ୍ପ ଏବଂ ହାତୀକୁ ଘଉଡ଼ାଇବା ପାଇଁ ସୌରଚାଳିତ ‘ପିକ୍ ରକ୍ଷକ’ ଲାଇଟ ମଧ୍ୟ ଚାଷୀମାନଙ୍କୁ ଯୋଗାଇ ଦେଉଛି ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ।

ପ୍ରଶାସନ ପକ୍ଷରୁ ଏ ସମସ୍ତ ଜିନିଷ ପାଇଁ ଆର୍ଥିକ ସହାୟତା ଦିଆଯାଉଛି।

ଏସବୁ ଚାଷୀ କଲ୍ୟାଣକାରୀ ଯୋଜନାକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବାକୁ ବହୁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ, ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ଟଙ୍କାକୁ କେବଳ କେତୋଟି ନିର୍ଦ୍ଧିଷ୍ଟ ବ୍ଲକରେ ବ୍ୟୟ ନକରି ଏହାକୁ ସମଗ୍ର ଜିଲ୍ଲାରେ ଏହିସବୁ ଚାଷୀ କଲ୍ୟାଣକାରୀ ଯୋଜନାରେ ବ୍ୟୟ କରିବାକୁ ସରକାର ଗୁରୁତ୍ୱର ସହ ବିଚାର କରି DMF ର ପେରିଫେରିକୁ ସମଗ୍ର ଜିଲ୍ଲାକୁ ପରିବ୍ୟାପ୍ତ କରିବା ଉଚିତ |

  • ରିପୋର୍ଟ : ବିଶ୍ୱରଞ୍ଜନ ମହାପାତ୍ର , ରାଉରକେଲା

LEAVE A REPLY

Please enter your comment!
Please enter your name here