Home କଥା ଅପ୍ରିଲ ମାସ ; ଦିନ ଦୁଇଟା

ଅପ୍ରିଲ ମାସ ; ଦିନ ଦୁଇଟା

27
0

ଜେଠୀ (ଜ୍ୟୈଷ୍ଠୀ) ସାଁଗିଆଟା କ’ଣ ପ୍ରାୟ ଲୋକେ ଜାଣନ୍ତିନି । ତେଣୁ ମୋ’ ନାମ ଶୁଣିଲେ ପଚାରନ୍ତି, “ଜେଠୀ ମାନେ, ଆପଣ କି ଜାତି ?”


ସମାଜରୁ ମଇଳା ସଫା କରୁଥିଵା ଜାତି ** ବୋଲି ମୁଁ ନିଜର ପରିଚୟ ଦିଏ । ଏମିତି ଉତ୍ତରରେ ଲୋକେ କାହିଁକି କେଜାଣି ତୁନି ହୋଇଯାଆନ୍ତି ।


କିଛି ଲୋକେ ମୋତେ ତାରକସି ସାଧଵ ବୋଲି ପୂର୍ଵରୁ ଜାଣନ୍ତି ଏଵଂ ଏମିତି ମିଛରେ ମଇଳା ସଫାକାରୀ ଅଛୁଆଁ ଜାତିର ପରିଚୟ ଦେଵାକୁ ମନା କରନ୍ତି । ମୁଁ କହେ, “ଡାକ୍ତରର କାମ ତ ରୋଗୀଙ୍କ ମଳ, ମୂତ୍ର, ଝାଡ଼ା, ଵାନ୍ତିକୁ ନେଇ । କର୍ମ ଅନୁସାରେ ଜାତି ବୋଲି ଗୀତାରେ କୁହାଯାଇଛି ଏଵଂ ରୋଗକୁ ସଫା କରୁଛି ବୋଲି ତ ମୁଁ ** ଅଟେ । ତା’ ଛଡ଼ା ଗୋଟିଏ ଅସ୍ପୃଶ୍ୟ ଜାତିର ପରିଚୟ ନେଇ ଜୀଵନକୁ ମୁଁ ଅନୁଭଵ କରିଵାକୁ ଚାହେଁ ଏଵଂ ଦୁନିଆ ମୋତେ କେମିତି ଦେଖୁଛି ତାହା ଜାଣିଵାକୁ ଚାହେଁ ।


ରୋଗ ଜୀଵାଣୁ ସଫା କରି ଡାକ୍ତର ଯଦି ସମାଜରେ ଉଚ୍ଚ ପରିଗଣିତ ତେଵେ ମଇଳା ସଫାକାରୀ ନିଚ୍ଚ କେମିତି ହେଲେ ? ଜାତି ଆଧାରରେ ମଣିଷ ମଣିଷ ମଧ୍ୟରେ ଭେଦ ଆଣୁଥିଵା ଵ୍ୟକ୍ତି ଦୂରେଇଯିଵା ମୋ’ ପାଇଁ ମଙ୍ଗଳ । ତାଙ୍କ ଦୃଷ୍ଟିରେ ଲାଞ୍ଛିତ ପରିଚୟ ମୋ’ ପାଇଁ ଵାଞ୍ଛିତ ।”
.
ଅପ୍ରିଲ ମାସ ; ଦିନ ଦୁଇଟା ।
ପ୍ରଚଣ୍ଡ ଖରା ହେଉଥିଵାରୁ ୬୫ ଵର୍ଷୀୟ ଜଣେ ଵ୍ୟକ୍ତିଙ୍କୁ ମୋ ସରକାରୀ ଵାସଭଵନରେ ଆଶ୍ରା ଦେଲି । ତାଙ୍କୁ କହିଲି, ମଉସା ଛାଇ ଲେଉଟିଲେ ଆପଣ ବି ନିଜ ଘରକୁ ଲେଉଟିଯିଵେ ।


ମଧ୍ୟାନ୍ନ ଭୋଜନ ସମୟରେ ତାଙ୍କ ପାଇଁ ମୋ ଖାଦ୍ୟରୁ ଅଧା ବାଢ଼ି ଦେଲି । ଚିନ୍ତିତ ହୋଇ ସେ କହିଲେ, “ପୁଅ ! ଧର୍ମ ସଙ୍କଟରେ ପକାଇଲ । ମନ ଉଣା କରିଵନି; ତମର ଅନ୍ୟ କୌଣସି ଜାତି ହୋଇଥିଲେ ଚଳିଥାନ୍ତା କିନ୍ତୁ ତୁମେ ** ଜାତିର । ତେଣୁ ତୁମ ରନ୍ଧା ଖାଦ୍ୟ ମୁଁ ଛୁଇଁଵି ନାହିଁ ।”


ମୁଁ କହିଲି, “ମଉସା ! ମୁଁ ବି ଧର୍ମ ସଙ୍କଟରେ । କାରଣ, ଜଣେ ଭୋକିଲା ଆଗରେ ଵସି, ଖାଇଵା ମୋର ଧର୍ମ ନୁହେଁ । ତେଣୁ ଆପଣଙ୍କୁ ଖାଇଵାକୁ ନ ଦେଇ, ମୁଁ କେମିତି ଖାଇଵି ?”


ତାପରେ, ସେହି ପ୍ରଚଣ୍ଡ ଖରାରେ ଚାଲି ଚାଲି ବଜାରରକୁ ଗଲି, ବିସ୍କୁଟ ପ୍ୟାକେଟ ଆଣି ମଉସାଙ୍କୁ ଦେଲି । ସେ ବିସ୍କୁଟ ଖାଇଲେ ଏଵଂ ମୁଁ ଭାତ … ।


ସାଢ଼େ ଚାରିଟା ପରେ ମଉସା ଵିଦାୟ ନେଵା ପୂର୍ଵରୁ ମୋତେ କଲ୍ୟାଣ କରିଵାକୁ ହାତ ଟେକିଲେ ।
ମୁଁ କହିଲି, “ପ୍ରଥମେ କୁହନ୍ତୁ ଯେ ସେହି ବିସ୍କୁଟ ଯିଏ ତିଆରି କରିଛି ତାହାର ଜାତି ଆପଣ ଜାଣନ୍ତି କି ?

ତା’ର ଜାତି ଧର୍ମ ନ ଜାଣି ସେହି ଖାଦ୍ୟ ଆପଣ ଖାଇପାରିଵେ କିନ୍ତୁ ମୋ ପାଖରେ ବାଛଵିଚାର କାହିଁକି ?

ହିନ୍ଦୁ ଧର୍ମ (ସନାତନ)ର ଵାର୍ତ୍ତା ହେଉଛି वसुधैव कुटुम्बकम ଓ चातुर्वर्ण्यं मया सृष्टं गुणकर्मविभागशः … । ମଣିଷ ମଣିଷ ଭିତରେ ଜନ୍ମ ଭିତ୍ତିକ ଜାତି ଅଜାତି ଭେଦଭାଵ ରଖୁଥିଵା ଲୋକଙ୍କୁ ହିନ୍ଦୁ ଧର୍ମ ଅନୁସାରେ ଵିଧର୍ମୀ ବୋଲି ମୁଁ ମନେକରେ ।

ତେଣୁ, ହେ ଵିଧର୍ମି ! ଖବରଦାର୍ ମୋତେ ତୁମେ ଆଶୀର୍ଵାଦ ଦେଵନାହିଁ । ତୁମେ କିନ୍ତୁ ଵାରଂଵାର ମୋର ଆଶ୍ରା ନେଇପାର ଏଵଂ ମୁଁ ତୁମକୁ ବଜାରରୁ ଆଣି ବିସ୍କୁଟ ଦେଉଥିଵି ।”


ଆମ ସମାଜରେ ମୁଁ ଦେଖିଛି, ପ୍ରକୃତ ବ୍ରାହ୍ମଣମାନଙ୍କଠାରେ ଜାତିଆଣ ଭାଵ ନାହିଁ ଵରଂ ଅଣବ୍ରାହ୍ମଣଙ୍କଠାରେ ଅଧିକ ପରିଲକ୍ଷିତ ।

  • ଡାକ୍ତର ଦେବାଶିଷ ଜ୍ଯେଷ୍ଠୀ

LEAVE A REPLY

Please enter your comment!
Please enter your name here