Home କଥା କାର୍ତ୍ତିକ ମାସ, ଶାଗୁଆତି ବି ନିରାମିଷ !!

କାର୍ତ୍ତିକ ମାସ, ଶାଗୁଆତି ବି ନିରାମିଷ !!

25
0

କହି ଜାଣିଲେ କଥା ସୁନ୍ଦର
ପାଳି ଜାଣିଲେ ପ୍ରଥା ସୁନ୍ଦର

ରୋଚକ ଗପଟିଏ କହୁଛି, ଶୁଣନ୍ତୁ,
ତଦ୍ୱାରା କାର୍ତ୍ତିକ ବ୍ରତ ପାଳନରେ ଆପଣଙ୍କୁ ଅସୁବିଧା ହେବନି ।

ଅନେକ ଦିନ ତଳର କଥା । କାର୍ତ୍ତିକ ମାସ ଅଧା କି ତିନି ପା ହେବ । ଥରେ ପୁରୁଣା ବସ୍ ଷ୍ଟାଣ୍ଡରେ ମୋର ମନ ପସନ୍ଦର ଦୁଇଜଣ ବନ୍ଧୁ ଭେଟ ହେଇଗଲେ ।

ଦୁଇଜଣ ଯାକ ସାମ୍ୱାଦିକ, ଜଣେ ମୋଠୁ ଦଶ ବର୍ଷ ବଡ, ଜଣେ ଦଶ ବର୍ଷ ସାନ । ଜଣେ କେଉଁଝରର, ଜଣେ ଜଗତସିଂହପୁରର ।

ବଡ ଜଣଂକ ୨୪x୭ ଗପିବା ଲୋକ, ସାନ ଜଣକ ଧ ବୋଇଲେ ବାନ୍ଧି ଆଣିବା ଲୋକ, ମାନେ ଭାଇ କଣ ଖାଇବେ, କେଉଁଠି ରହିବେ, କେଉଁଠୁ ପାନ ନେଲେ ଭାଇ ଖୁସିରେ ଖାଇବେ, ପୁଣି ମିଳିବା ପର୍ଯ୍ଯନ୍ତ ସରିବନି , ଡ୍ରାଇଭର କେତେବେଳେ ଖାଇବ, କେଉଁଠି ଟିକେ ଭଲରେ ଶୋଇବ ଇତ୍ଯାଦି ଇତ୍ଯାଦି କଥା ନ କହିବା ପୂର୍ବରୁ ବୁଝିଦେବା ଲୋକ ।

ଏଭଳି ବନ୍ଧୁ ପାଖରେ ଥିଲେ ବିଶ୍ୱ ବୁଲି ଆସିଲେ ବି କଷ୍ଟ ହୁଏନି ।

ବନ୍ଧୁ କହିଲେ ଟିକେ କଟକ ଯିବା, କାମ ଅଛି । କଟକରୁ କହିଲେ ଡୁବୁରୀ ଯିବା, ମୁଁ କହିଲି ହଉ । ତା ପରେ କେଉଁଝର, ତା ପରେ ସୁନ୍ଦରଗଡ, ତା ପରେ ଝାରଶୁଗୁଡା, ତା ପରେ … ଏମିତି ବୁଲିବୁଲି ଘରକୁ ଫେରିଲା ବେଳକୁ ଆଠ ଦିନ ।

ବୁଲୁବୁଲୁ ଝାରଶୁଗୁଡାରେ ପହଞ୍ଚିଲୁ ।

ମୋର ଅଭ୍ଯାସ ବଶତ ମୁଁ ଯେଉଁ ସ୍ଥାନରେ ରହେ, ସେଠାକାର ସ୍ଥାନୀୟ ଗ୍ରାମ ଦେବତାଙ୍କୁ ଟିକେ ଦର୍ଶନ କରିଦିଏ, ତାଙ୍କ ଅଞ୍ଚଳର ଲୋକଙ୍କ ହାନି ଲାଭ ଟିକେ ପଚାରି ବୁଝିଦିଏ, ଏଇଟା ନିୟମ ବି, ମୋର ଅଭ୍ଯାସ ବି, ମୋର ଦାୟିତ୍ୱ ବି ।

ତେଣୁ ସେଇ ପ୍ରଥା ଅନୁସାରେ ମୁଁ ଝାରସୁଗୁଡା କଲେକ୍ଟର ମିଶ୍ର ଆଜ୍ଞାଙ୍କୁ ଭେଟିଲି ।
ଦି ପଦ ହାନି ଲାଭ ଦୁଃଖ ସୁଖ ହେବା ପରେ ବାହାରିଲି ।

ଆଜ୍ଞା କହିଲେ, ସେମିତି କେମିତି ହେବ ?
ତୁମକୁ ଛଡା ଯିବନି, ତୁମେ ଆଜି ରହିବ, କାଲି ଯିବ ।

ମୋ ବସାରେ ଆଜି ସାଙ୍ଗ ହେଇ ଖାଇବା, ଝାରସୁଗୁଡାରେ କି କି କାମ କଲେ ଲୋକେ ମତେ ଭଲ କଲେକ୍ଟର କହିବେ, ମୋତେ ହୃଦୟରେ ଭଲପାଇବେ, ଆଶୀର୍ବାଦ କରିବେ ସେ ସମ୍ପର୍କରେ ଟିକେ ମନ ପୁରେଇ ଗପିବା,
ତୁମେ କାଲି ଯିବ ।

ମୁଁ କହିଲି ମୋ ସାଙ୍ଗରେ ଆଉ ଦୁଇ ଜଣ ବନ୍ଧୁ ଅଛନ୍ତି ପରା ।

ସେ ତାଙ୍କ ପାଇଁ ଗୋଟାଏ ଗେଷ୍ଟ ହାଉସ ବନ୍ଦୋବସ୍ତ କରିଦେଲେ ।

ଆମେ ଖରାବେଳେ ସାର୍ ଙ୍କ ବସାରେ ଖାଇଲୁ, ଭାତ ମାଛ ତରକାରୀ, ଆଉ କଣ ଟିକେ, ନିରାଡମ୍ୱର ଅଥଚ ସୁସ୍ୱାଦୁ ରୋଷେଇ ।

ସାର୍ ବୋଧେ ଭାବିଲେ, ଅତିଥିଙ୍କ ପାଇଁ ଏ ଖାଦ୍ଯ ଉପଯୁକ୍ତ ହେଲା ନାହିଁ,
ତେଣୁ ସେ କିଛି ଭଲ ଖାଦ୍ଯ ଖୁଆଇବାକୁ ମନେ ମନେ ମନସ୍ଥ କରି ମୋତେ କହିଲେ,

ଏଠି ଗୋଟାଏ ସାଧାରଣ ହୋଟେଲ ଅଛି, ଝୁମ୍ପୁଡି ଷ୍ଟାଇଲର, କିନ୍ତୁ ତାର ମାଂସ ରୋଷେଇଟା ସବୁଠୁ ଭଲ, ରାତିରେ ସେଇଠି ଖାଇବା, ତୁମ ଗାଡିରେ ପଳେଇବା, ସିଏ ଜାଣି ପାରିବନି ମୁଁ କଲେକ୍ଟର ବୋଲି, ଆଜି ଟିକେ ଶାନ୍ତିରେ ପେଟେ ଖାଇବା ।

ମୁଁ କହିଲି ହଉ ।

ମୋର ଖାଦ୍ଯ ଋଚି ସମ୍ପର୍କରେ ପଦେ କହି ଦିଏ ।

ମୋର ଖାଦ୍ଯରେ ଆମିଷ ନିରାମିଷ ବାରଣ ନଥାଏ, ବାର ତିଥି ମାସ ଘୋଷିବା ମୋ ଅଭ୍ଯାସ ବାହାରର କଥା ।

ନିରାମିଷ ହିଁ ମୋର ସୁଖାଦ୍ଯ, ପସନ୍ଦ ବୋଧେ । ଘିଅ ଓ ସର ମୋର ପ୍ରିୟ, ଲହୁଣି ତ ମିଳୁନି, ଚାହାରେ ଟିକେ ସର ପଡିଥିଲେ ଯାଇ ମୁଁ ସେଟାକୁ ଚାହାରେ ଗଣେ, ଅନ୍ଯଥା ସେମିତି କାମ ଚଳେଇ ଦିଏ ।

ଆମ ଘରେ ପ୍ରାୟତ ଆମିଷ ରୋଷେଇ ହୁଏ ନାହିଁ, ଆଦୌ ହୁଏ ନାହିଁ କହିବା ବରଂ ପୁରା ଠିକ୍ ହେବ । ମୋ ଜୀବନରେ ମୁଁ କେବେ ଥରେ ବି ମାଛ ମାଂସ ଦୋକାନରେ ଛିଡା ହେଇ ଆମିଷ କିଣି ନାହିଁ ।

ମାଡାମଙ୍କୁ ଆମିଷ ରୋଷେଇ ଆସେନି ।
ମାଡାମ ଆମ ଘରକୁ ଆସିବା ପୂର୍ବରୁ ଆମିଷ ଖାଉଥିଲେ, ତାଙ୍କ ବାପାଙ୍କର ଦିନକୁ ତିନିଥର ଆମିଷ ପସନ୍ଦ , ସେ କିନ୍ତୁ ପୁରା ଶାନ୍ତ ଶିଷ୍ଟ ।

ମୋ ବାପା ଆଦୌ ଆମିଷ ଖାଆନ୍ତି ନାହିଁ, ସେ ବରଂ ପେଷାରେ ରାଗୀ, ହୃଦୟରୁ ଅବଶ୍ଯ ଆଦୌ ନୁହେଁ ।

ଆମ ଘରକୁ ଯିବା ଆସିବା ଲୋକଙ୍କ ସଂଖ୍ଯା ଅଧିକ, ସଖାଳ ପାଞ୍ଚ୍ ରୁ ରାତି ଏଗାର ପର୍ଯ୍ଯନ୍ତ ଘରର ମା ମାନଙ୍କ ହାତରୁ କାମ ଛିଡେନି । ସେମାନଙ୍କର ଖାଇବା ପିଇବା ଓଲମ ବିଲମ ହୋଇଯିବା ସ୍ୱାଭାବିକ୍ ।

ତେଣୁ ଏତେ ଭଲ ବହୁଟା କାଳେ ଠିକ୍ ସମୟରେ ଖାଇ ନ ପାରିବ, ବାପା ତାଙ୍କୁ ନିଜେ ଖାଇଲା ବେଳେ ଖୁମ୍ପାଏ ଦି ଖୁମ୍ପା ଖୁଆଇ ଦିଅନ୍ତି ।

ବାପା ସ୍ୱଳ୍ପ ସ୍ୱଳ୍ପ କରି ଦିନକୁ ଚାରିଥର ଖାଇବେ,
ବାପା କଦବାୟ କ୍ୱଚିତ ଭାତ ଖାଇବାକୁ ପସନ୍ଦ କରନ୍ତି । ବାପାଙ୍କ ଭାବରେ ଛନ୍ଦି ହୋଇ ମାଡାମ ମଧ୍ଯ ସମ୍ପୁର୍ଣ୍ଣ ନିରାମିଷାସି ।

ହଁ
କଲେକ୍ଟର ରାତିକୁ ମୋତେ ସେ ହୋଟେଲକୁ ନେଲେ, ଭଲ ମାଂସ ତରକାରୀ ଖୋଇବେ ବୋଲି,

ମୋର ପସନ୍ଦ ନହେଲେ ବି ମୁଁ କାହାର ଶ୍ରଦ୍ଧାକୁ ଠୁକର ଦିଏନି, ଖାଦ୍ଯ ତ ଖାଦ୍ଯ, ଯିଏ ଯାହା ଦେଲା ଖାଇ ଦିଏ,

ମାଂସ ତରକାରୀ ଖାଇ ବସିଲେ ଅତି ବେଶିରେ ଅଧା ପିସ୍ କି ତାଠୁ କମ୍ ମାଂସ , ଆଳୁ ଝୋଳ ଖାଇ ହୋଇଥିଲେ ହୋଇଥିବ, ମୁଁ ଏହି ପ୍ରକାର ଆମିଷାସି ।

ଆମେ ହୋଟେଲରେ ଖାଇ ବସିଲୁ ।
ଅନ୍ଯମାନେ ବି ଖାଉଥାଆନ୍ତି । ସାର୍ ତରକାରୀର ପ୍ରକାଶ୍ଯ ପ୍ରଶଂସା ବି କରୁ ଥାଆନ୍ତି ।

ସାର୍ ଗୋଟାଏ ଦି ପିସ୍ ମାଂସ ଭିଡିଛନ୍ତିଂକି ନାହିଁ ( ମାଂସ ଖାଇବାଟାକୁ ଭିଡିବା କହିଲେ ସେଟା ମାଂସର ଗୌରବ ବଢାଏ, ତେଣୁ ମାଂସାସୀମାନେ ସେପରି କହନ୍ତି )
ପାଖ ଟେବୁଲରେ ପରିବାର ସହ ଖାଇ ବସିଥିବା ଜଣେ ମହିଳା କହିଲେ,
କି ଯୁଗ ହେଲା, ଲୋକ କାର୍ତ୍ତିକ ମାସ ବି ମାନୁ ନାହାନ୍ତି,

ବର୍ଷକୁ ଗୋଟାଏ ମାସ ଆଇଁଷ ନ ଖାଇ ବି ରହି ପାରୁ ନାହାନ୍ତି । ସିଏ କାହିଁକି ବା ଜାଣିବେ ଇଏ କଲେକ୍ଟର ବୋଲି ।

ମୁଁ ଦେଖିଲି କ୍ଷଣକ ପୂର୍ବରୁ ଅତି ଆଗ୍ରହରେ ଖାଉଥିବା ଲୋକଟି ହଠାତ୍ ହାତ ଟେକି ବିମର୍ଷ ହୋଇ ବସିଗଲା । ଏ କଥା ଦେଖି ମୋ ମନ ଟା ଟିକେ ଦୁଃଖ ହେଲା ।

ମୁଁ ଭାବିଲି ମୋ ଭଳି ଶାସ୍ତ୍ରୀ ପାଖରେ ଥାଉ ଥାଉ ଭୋଜନ ପ୍ରିୟ ବ୍ରାହ୍ମଣଟିଏ ଶାନ୍ତିରେ ଖାଇ ପାରିବନି ? ଗୋ ବ୍ରାହ୍ମଣ ହିତାୟ ଚ .. ପାରିବାରିକ ବାନାକୁ ନିନ୍ଦା ହେବ ନିଶ୍ଚୟ । ଏମିତି କେମିତି ହେବ ?

ମୁଁ ସାଙ୍ଗେ ସାଙ୍ଗେ ଖଟ୍ୱାଙ୍ଗ ପୁରାଣ ଆରମ୍ଭ କଲି,
ମୁଁ ଟିକେ ଗାମ୍ଭୀର୍ଯ୍ଯପୂର୍ଣ୍ଣ ଢଙ୍ଗରେ କହିଲି,

ସାର୍, ମାଂସକୁ ଆମ ଆଡେ ଶାଗୁଆତି କୁହାଯାଏ ।

କାହିଁକି କୁହାଯାଏ ?
କାରଣ ଅନ୍ନ ବ୍ରହ୍ମ ବା ଖାଦ୍ଯ ବ୍ରହ୍ମ । ଖାଦ୍ଯରୁ ଏ ଶରୀର ପ୍ରସ୍ତୁତ ହୋଇଛି,
ଏ ଶରୀରରେ ବ୍ରହ୍ମ ଅବସ୍ଥାନ କରୁଛନ୍ତି, ତେଣୁ ଶରୀର ବ୍ରହ୍ମମୟ ଏବଂ ଖାଦ୍ଯ ବ୍ରହ୍ମ ।

ଛେଳିର ଶରୀର କେଉଁଥିରେ ଗଠିତ ?
ଛେଳି ବାଘ ସିଂହଙ୍କ ପରି ମାଂସ ଖାଏ କି ?

ଛେଳି ପତ୍ର ବା ଶାଗ ଖାଏ , ( ପତ୍ରର ଅନ୍ଯ ନାମ ଶାଗ ),
ତେଣୁ ଛେଳିର ମାଂସ କୁ ଶାଗୁଆତି କୁହାଯାଏ,

ଯେହେତୁ ଛେଳିର ଶରୀର ଶାଗରେ ଗଠିତ, ତେଣୁ ଛେଳି ମାଂସ ଆମିଷ କେମିତି ହେବ, ତେଣୁ ସମ୍ପୂର୍ଣ୍ଣ ନିରାମିଷ,

ବରଂ ବାଘ ସିଂହଙ୍କ ମାଂସକୁ ଆମେ ଆମିଷ କହିଲେ ଚଳିବ,

ଆମ ସଂସ୍କୃତି ଆମକୁ ନିରାମିଷ ଖାଇବା ଶିଖାଇଛି,
ଦେଖୁ ନାହାନ୍ତି, ଆମ ପୂର୍ବ ପୁରୁଷ ଛେଳି ହରିଣ କୁଟୁରା ଠେକୁଆ ମାଂସ ଖାଇବା ଶିଖାଇଛନ୍ତି, କିନ୍ତୁ ବାଘ ସିଂହ ମାଂସ ଖାଇବା ଶିଖାଇଛନ୍ତି କି ?

ଲୋକଟା କଥାଟାକୁ ହଠାତ୍ ବୁଝିଗଲା,
କହିଲା ଏ କଥାଟା ଶାଲା ପୁରା ଠିକ୍,

ମୁଁ କହିଲି ବେଶୀ ଗୁଡାଏ ଛୋ ମୋ ନହେଇ ଚୁପ୍ ଚାପ୍ ଖାଉନ କାହିଁକି ?

ଶାଲା ମୋ ଭଳିଆ ଯୋଗେଶ୍ୱର ବ୍ରହ୍ମଜ୍ଞାନୀ ପାଖରେ ଥାଉଥାଉ ବାହ୍ମୁଣକୁ ପାତକ ନାଗିଯାଉଚି !

ସାର୍ କହିଲେ, ଶାଲା ତମେ ପୁରା ଠିକ୍ କଥା କହୁଚ,
ମନରେ ଗୁଡାଏ ଇଆଡୁ ସିଆଡୁ ବିକାର ପୁରେଇ ମଣିଷ ଗୁଡାଏ ଧନ୍ଦି ହେବା କଥା,
ନ ହେଲେ ବ୍ରହ୍ମ ତ ନିର୍ଗୁଣ, ନିର୍ବିକାର , ସିଏ ତ କାଳ, କାଳାତୀତ , ଦିନ ବାର ମାସ ସବୁ ତ ସିଏ ।

ମୁଁ କହିଲି – ହଁ ।

ସଃ ଏବ ସୃଜ୍ଯ ସ ଚ ସୃଷ୍ଟି କର୍ତ୍ତା
ସଃ ଏବ ପାତାଃ ସ ଚ ପାଲ୍ଯତେ ଚ
ବ୍ରହ୍ମା ବ୍ଯବଚ୍ଛା ଭାରଶେଷ ମୂର୍ତ୍ତୀ
ବିଷ୍ଣୁ ବରିଷ୍ଠୋ ବରଜୋ ବରେଣ୍ଯ
ବୃନ୍ଦାବନେଶ ରାଧେଶ ପୁରୁଷୋତ୍ତମ ମାଧବ
ଶ୍ରୀନାଥ ହେ ଜଗନ୍ନାଥ ହ୍ଯପରାଧଂ କ୍ଷମସ୍ୱ ମେ

  • ଲକ୍ଷ୍ମୀଧର ନାୟକ

LEAVE A REPLY

Please enter your comment!
Please enter your name here