Home କଥା ସ୍ୱର୍ଗରେ ପୁସ୍ତକ ଉନ୍ମୋଚନ

ସ୍ୱର୍ଗରେ ପୁସ୍ତକ ଉନ୍ମୋଚନ

62
0

ସ୍ୱର୍ଗକୁ ପରୀ ରାଇଜ କୁହାଯାଏ ବୋଧ ହୁଏ |
ଏକଥା ମଧ୍ୟ କୁହାଯାଏ ଯେ ସ୍ୱର୍ଗରେ ରମ୍ଭା ମେନକା ଉର୍ବଶୀ ସଚୀ ଇନ୍ଦ୍ର ପାରିଜାତ ଏମିତି କେତେ କଣ ସୁନ୍ଦର ସୁନ୍ଦର ଜିନିଷ ଥାଏ |

ପୂର୍ବରୁ ଆମ ପରିକା ମଣିଷମାନଙ୍କର ପୂର୍ବସୂରୀ ନହୁଷ କିଛି ଦିନ ସ୍ୱର୍ଗର ଇନ୍ଦ୍ର ହୋଇଥିଲେ | ସେ ଜଣେ ଭଲ ରାଜା ହୋଇଥିବାରୁ ତାଙ୍କୁ ମର୍ତ୍ତ୍ୟରୁ ନିମନ୍ତ୍ରଣ କରି ନିଆଯାଇ ସ୍ୱର୍ଗରେ ଇନ୍ଦ୍ର କରାଯାଇଥିଲା | ଅବଶ୍ୟ ସାତ ସରଗ ଭିତରୁ କୋଉ ସରଗର ସେ ଇନ୍ଦ୍ର ହୋଇଥିଲେ ମୋତେ ସେକଥା ଜଣା ନାହିଁ |

ଆମେ ଏକଥା ମଧ୍ୟ ଶୁଣିଛେ ଯେ ପାଣ୍ଡବମାନେ ସ୍ୱଦେହରେ ସ୍ୱର୍ଗାରୋହଣ କରିଥିଲେ , ସେଥିରୁ କେବଳ ଯୁଧିଷ୍ଠିର ହିଁ ସ୍ୱର୍ଗର ଶେଷ ପାହାଛ ପର୍ଯ୍ୟନ୍ତ ଯାଇ ପାରିଥିଲେ ବୋଲି କୁହାଯାଏ |

ଯୁଧିଷ୍ଠିର ହେରିକା ପାଞ୍ଚଭାଇ ଓ ଦ୍ରୌପଦୀ ଏସିଆ ସରଗ ବା ମାଉଣ୍ଟ ଏଭେରେଷ୍ଟ ଚଢୁ ଥିଲେ ବୋଲି ଆମେ ସମସ୍ତେ ଜାଣନ୍ତି |

ଆମ ପୁରାଣ କଥା ଅନୁସାରେ ଲୋକ ମଲେ ସ୍ୱର୍ଗକୁ ଯାଏ ବା କଥାଟାକୁ ଆର ବାଗିଆ କହିଲେ ଲୋକ ସ୍ୱର୍ଗକୁ ଚଢିଲେ ସେତିକି ଧର୍ମବଳ ନଥିଲେ ମରିବାଟା ଥୟ |

ପୁରାଣ କହିବା ଅନୁସାରେ ପୂର୍ବରୁ ସମଗ୍ର ପୃଥିବୀ ଭିତରେ କେବଳ ଜଣେ ଲୋକର ପୁରା 100% ଧର୍ମବଳ ଥିଲା, ସେ ହେଉଛନ୍ତି ଯୁଧିଷ୍ଠିର , ତେଣୁ ମଣିଷ ହିସାବରେ ସେ ହିଁ କେବଳ ପୃଥିବୀର ସବୁଠୁ ଉଚ୍ଚା ସରଗ ( ଆଜିକାଲି ତାକୁ ମାଉଣ୍ଟ ଏଭେରେଷ୍ଟ କୁହା ଯାଉଛି ) କୁ ସଶରୀରରେ ଆରୋହଣ କରି ପାରିଥିଲେ |

ନିରୋଳା ସତ କହିବାକୁ ଗଲେ ଏବେ କିନ୍ତୁ ପୃଥିବୀରେ ଯୁଧିଷ୍ଠିରଙ୍କ କାଟର ଧାର୍ମିକଙ୍କ ସଂଖ୍ୟା ଶହ ଶହ , ହଜାର ହଜାର କହିଲେ ବି ଅଙ୍କ ଭୁଲ୍ ହେବାର ସମ୍ଭାବନା କମ୍ |

ଏବେ ଯୁଧିଷ୍ଠିରଙ୍କ ପରି ବହୁ ଯୋଗ୍ୟ ମଣିଷ ପ୍ରଚି ବର୍ଷ ସଶରୀରେ ସ୍ୱର୍ଗାରୋହଣ କରି ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରି ଆସୁଛନ୍ତି, ଏଠାରେ ବାହା ସାହା ହେଇ ପିଲାଛୁଆ ନେଇ ଘର ସଂସାର ମଧ୍ୟ କରୁଛନ୍ତି |

ବାସ୍ତବରେ ସେମାନେ ସେତିକି ପୁଣ୍ୟବାନ ବା ଯୋଗ୍ୟ | ନହେଲେ ସମସ୍ତେ କଣ ବିଶ୍ୱର ଏକ ମାତ୍ର ହିନ୍ଦୁ ରାଜ୍ୟ ନେପାଳରେ ଥିବା ସବା ବଡ ସ୍ୱର୍ଗ ବା ମାଉଣ୍ଟ ଏଭେରେଷ୍ଟର ଟପ୍ ପର୍ଯ୍ୟନ୍ତ ସଶରୀରରେ ଚଢି , ଜୀଅନ୍ତା ଓହ୍ଲେଇ ଆସି ପାରିବେ ନା କଣ ? ସେତିକି ପୁଣ୍ୟବାନ ବା ଯୋଗ୍ୟ ନହେଲେ |

ଆମ ଯୁଧିଷ୍ଠିରଙ୍କ ନାଁ ପୁରାଣରେ ସଶରୀର ସ୍ୱର୍ଗାରୋହୀ ବୋଲି ଯେମିତି ଶ୍ରଦ୍ଧା, ଭକ୍ତି ଓ ପବିତ୍ର ଭାବନା ବା ଧର୍ମଭାବନା ସହ ବହୁଳ ଚର୍ଚ୍ଚା ହୁଏ, ଆଜିକାଲିକା ସ୍ୱର୍ଗାରୋହୀ ମାନଙ୍କର ନାଁ ମଧ୍ୟ ବିଶ୍ୱର କୋଣ ଅନୁକୋଣରେ ବିଭିନ୍ନ ପୁସ୍ତକ ପତ୍ର ପତ୍ରିକା ମାଧ୍ୟମରେ ମଧ୍ୟ ତତୋପ୍ରାୟ ଶ୍ରଦ୍ଧା ଓ ସମ୍ମାନର ସହ ଚର୍ଚା ହୁଏ |

ହଁ ଯୁଧିଷ୍ଠିରଙ୍କ ସହ ଗୋଟିଏ କୁକୁର ମଧ୍ୟ ସଶରୀରେ ତାଙ୍କ ସହ ସ୍ୱଦେହରେ ସ୍ୱର୍ଗକୁ ଯାଇଥିଲା ବୋଲି ପୁରାଣରେ ଲେଖା ଅଛି | କିନ୍ତୁ ତାଙ୍କ କଥା ବିଶେଷ ଚର୍ଚ୍ଚା ହୁଏନି କି ସେ ସ୍ୱର୍ଗାରୋହୀରେ ଗଣ୍ୟ ହୁଅନ୍ତି ନାହିଁ |

ଯଦିଓ ସିଏ କୁଆଡେ ସ୍ୱୟଂ ଧର୍ମ , ସେ ଯୁଧିଷ୍ଠିରଙ୍କ ଧର୍ମ ଗଣ୍ଠିଲିଟିକୁ କୁକୁର ରୂପରେ ବୋହି ବୋହି ଧର୍ମରାଜଙ୍କ ସହ ତାଙ୍କ ପାଖେ ପାଖେ ଚାଲିଥିଲେ |

ସ୍ୱୟଂ ଧର୍ମରାଜ କୁକୁର ରୂପରେ ଯଦି ଏ ଧର୍ମ ଗଣ୍ଠୁଲିଟିକୁ ଯୁଧିଷ୍ଠିରଙ୍କ ପାଖେ ପାଖେ ଧରିକି ଚାଲି ନଥାନ୍ତେ , ତାହେଲେ ଯୁଧିଷ୍ଠିର ଧର୍ମଛଡା ହୋଇ ଯାଇଥାଆନ୍ତେ, ଏବଂ ଲୋକଟାଏ ଧର୍ମ ସମ୍ୱଳହୀନ ହୋଇଗଲେ ବେଶୀ କ୍ଷଣ ବଞ୍ଚି ପାରେନି ବୋଲି ଆମେ ଆମ ଧର୍ମ ଶାସ୍ତ୍ର ପୁରାଣ ପଢି ପଢି ଏକଥା ଖୁବ୍ ଭଲଭାବେ ହୃଦୟଙ୍ଗମ କରିଛେ |

ଅଥଚ ଏଇ ପରୋପକାରୀ ବିଶ୍ୱାସୀ କୁକୁରଟିର ନାଁ ସ୍ୱର୍ଗାରୋହଣ ଚାପ୍ଟରର ଏକ ଗୌଣ ଚରିତ୍ର ଭାବେ ଉପସ୍ଥାପିତ ହୁଏ ଓ ସେ ଜୀବଟି ସ୍ୱର୍ଗାରୋହୀରେ ଗଣ୍ୟ ହୁଏ ନାହିଁ |

ଇଏ ତ ଦ୍ୱାପର ଯୁଗର କଥା , ସେତେବେଳେ ଧର୍ମ ଆଚରଣରେ ଅର୍ଜନ ହେଉଥିଲା , ଧର୍ମର ଆଚରଣ ସିଦ୍ଧି ବହୁ କଷ୍ଟକର ବ୍ୟାପାର |

ଏବେ ତ କଳି ଯୁଗ, ଚାରି ଯୁଗ ଭିତରେ ସବୁଠୁ ଶ୍ରେଷ୍ଠ ଯୁଗ | ଏ ଯୁଗରେ ସବୁ କଥା ସହଜ | ଏ ଯୁଗରେ ତ କେବଳ ଉଚ୍ଚାରଣରେ ପ୍ରବଳ ଧର୍ମଧନ ଉପାର୍ଜନର ବ୍ୟବସ୍ଥା ହୋଇଛି, କେବଳ ହରେକୃଷ୍ଣ ହରେ ରାମ, ନିତାଇ ଗୌର ରାଧେ ଶ୍ୟାମ ଉଚ୍ଚାରଣ କରିଦେଲେ ବି ଧର୍ମ ଅର୍ଜନ ହେଇଯାଏ, ମନ୍ଦିରରେ ଘଣ୍ଟି ଟଂ ଟଂ କରି ବଡ ପାଟିରେ ଓଁ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନବଲ୍ଲଭାୟ ଗୋପାଳାୟ ନମଃ , ଏତେକ କହି ଦଶ ପଚିଶ ଜଣଙ୍କ ମୁଣ୍ଡରେ ହାତ ବୁଲେଇ ଦେଲେ ଧର୍ମ ଅର୍ଜନ ଓ ଧାର୍ମିକ ଅର୍ଜନ କାହିଁରେ କେତେ | ନୁହେଁ କି ଏହା ଅତି ସହଜିଆ କଥା , ତେଣୁ କଳି ଯୁଗ ହେଲାନି କି ସବୁଠୁ ସହଜ ଓ ଶ୍ରେଷ୍ଠ ଯୁଗ | ଆମ ଧର୍ମ ଶାସ୍ତ୍ର ତାହେଲେ ଭୁଲ୍ କଣ କହିଲା ଯେ |

ହଁ ଏବେ ଯେଉଁ ଯୋଗ୍ୟ ମାନବମାନେ ସଶରୀରେ ସ୍ୱର୍ଗାରୋହଣ କରୁଛନ୍ତି , ତାଙ୍କ ସହ ସେ ନେପାଳି କୁକୁର ନୁହେଁ, ନେପାଳର ଜଣେ ସେରପା ତାଙ୍କ ବିସ୍କୁଟ୍, କାଜୁ, ସେଓ, ପାଣି ବୋତଲ, ଫୋଲଡିଂ ଟେଣ୍ଚ ଇତ୍ୟାଦି ବୋହି ବୋହି ତାଙ୍କ ସାଙ୍ଗେ ସାଙ୍ଗେ ଚାଲିଥାଏ, ଏ ଗଣ୍ଠୁଲି ଟି ( ଯୁଧିଷ୍ଛିରଙ୍କ ଧର୍ମ ଗଣ୍ଠୁଲି ? ) ନଥିଲେ ସ୍ୱର୍ଗାରୋହୀ ବଞ୍ଚିବ ଟି ?

Sherpa of Nepal

ନେପାଳର ଗୋଟେ ନିର୍ଦ୍ଧିଷ୍ଟ ପ୍ରଜାତିର ବଳିଷ୍ଠ ଲୋକ ଏ ସେର୍ପା କାର୍ଯ୍ୟଟି ତୁଲାଇ ଥାଆନ୍ତି, ସେମାନେ ଗୋଟାଏ ତିବ୍ବତୀଯ ଭୁତିଆ ବଂଶ ବା ଜାତିର ଲୋକ | ପୌରାଣିକ କାଳ ଭାରତରେ ବିଭିନ୍ନ ବଂଶ ଯଥା ହୈହୟ, କୁକ୍କୁର, ଅନ୍ଧକ, କାକତେୟ ଇତ୍ୟାଦି ବହୁ ବଂଶମାନଙ୍କ ମଧ୍ୟରୁ ଏ ନେପାଳି ସେର୍ପା ମାନେ ସେହି କୁକ୍କୁର ବଂଶୀୟ ଭୁତିଆ ନୁହନ୍ତି ତ ? ମୋତେ ଜଣା ନାହିଁ, ଇତିହାସକାର ମାନେ ସେକଥା କହି ପାରିବେ |

Sherpas of Nepal with mountaineers


ଏ ସେର୍ପାମାନେ ଏଭେରେଷ୍ଚ ଆରୋହୀମାନଙ୍କ ସହ ମଧ୍ୟ ସବୁଦିନ ଏଭେରେଷ୍ଟ ଚଢନ୍ତି, କିନ୍ତୁ ଯୁଧିଷ୍ଠିରଙ୍କ କୁକୁର ପରି ଏମାନେ ଏଭେରେଷ୍ଚ ବିଜୟୀ ତାଲିକାରେ ଅବଶ୍ୟ ସ୍ଥାନ ପାଆନ୍ତି ନାହିଁ |

ବରଗଡର ଝିଅ ଲିପିକା ସେଠଙ୍କର ମାଉଣ୍ଟ ଏଲବ୍ରସ୍ ବିଜୟ ସମ୍ପର୍କୀତ ବର୍ଷେ ତଳର ଏକ ନିଉଜ୍ କନକ ୱେବ୍ ନିୟୁଜ୍ ରୁ ଦେଖିଲି ।

ବହୁତ ସୁନ୍ଦର କଥା
ଏହା ସମଗ୍ର ୟୁରୋପ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ମଧ୍ୟ | ବା ସାତ ସରଗ ଭିତରୁ ଇଏ ବି ଏକ ସ୍ୱର୍ଗ |

ଦ୍ୱାପରରେ ଦ୍ରୌପଦୀ ସ୍ୱର୍ଗର ପାହାଛକୁ ବେଶୀ ବାଟ ଚଢି ପାରି ନଥିଲେ, ହିମାଳୟର ରାଣିକ୍ଷେତର ଟିକିଏ ଆଗ ପର୍ଯ୍ୟନ୍ତ ବୋଧହୁଏ ଯାଇ ପାରିଥିଲେ |

କଳିଯୁଗରେ ତ ମହିଳା ମାନେ ସ୍ୱର୍ଗ ବିଜୟୀ ହୋଇ ପୁଣି ମର୍ତ୍ତ୍ୟ କୁ ଫେରି ଆସି ପାରୁଛନ୍ତି, ଲିପିକା ବି ସେମାନଙ୍କ ଭିତରୁ ଜଣେ |

ଆହୁରି ଅନେକ ମହିଳା ଥିବେ, ବାଛେନ୍ଦ୍ରୀ ପାଲ୍, କଳ୍ପନା ଦାସ ଏମିତି କେତେ କେତେ ନାଁ, ମୁଁ ସବୁ ନାଁ ଗୁଡା କହିପାରିବିନି |

ହଁ ୟୁରୋପ ମହାଦେଶର ଋଷିଆ ଦେଇ ଯିବାକୁ ପଡୁଥିବା ଏ ସ୍ୱର୍ଗ ବା ଶୃଙ୍ଗ , ମାଉଣ୍ଟ ଏଲବ୍ରସ୍ କୁ କେବେ ଥରେ ଯୋଗବ୍ୟାସ ମଧ୍ୟ ଯାଇଥିଲେ |

ସେ ସେଠାକୁ ଯିବା ପୂର୍ବରୁ ମୋତେ ଭେଟିଥିଲେ |
ସେତେବେଳେ ସେ ମୋତେ କାହିଁକି କେଜାଣି ବହୁତ ଭଲ ପାଉଥିଲେ |

ସେ ମୋତେ କହିଲେ , ସେଠାରେ ମୁଁ ଆପଣଙ୍କ ପାଇଁ କଣ କରିବି କୁହନ୍ତୁ |

ମୋ ମନକୁ ଗୋଟାଏ ଅଦ୍ଭୁତ ଖିଆଲ ଜୁଟିଲା,
ମୁଁ ମୋର ଦେହାନ୍ତରୀ ବାପାଙ୍କର ଗୋଟଏ ଫଟୋ ତାଙ୍କୁ ଦେଲି,
କହିଲି ତୁମେ ସେଠାରେ ପହଞ୍ଚି ମୋ ବାପାଙ୍କୁ ଶ୍ରଦ୍ଧାର ସହ ଟିକେ ସ୍ମରଣ କରିବ କି ?

ସେ ହଁ କହିଲେ,
ସେ ମୋ ବାପାଙ୍କୁ ମଧ୍ୟ ଜାଣନ୍ତି |

ଯୋଗବ୍ୟାସ ମାଉଣ୍ଟ ଏଲବ୍ରସ ଆରୋହଣ କରିବାର ବର୍ଷକ ପୂର୍ବରୁ ୨୦୧୨ ମସିହା ମେ ମାସରେ ଅକ୍ଷୟ ତୃତୀୟା ଦିନ ମୋ ବାପା ଇହଧାମ ତ୍ଯାଗ କରିଥିଲେ ।

୨୦୧୩ ମେ ମାସରେ ଯୋଗବ୍ଯାସ ମାଉଣ୍ଟ ଏଲବ୍ରୁସ୍ ଆରୋହଣ କରିବାକୁ ଯାଉଥିଲେ ।

ସେ ସାଙ୍ଗରେ ମୋ ବାପାଙ୍କର ଫଟୋଟି ନେଲେ |
ଏବଂ ୟୁରୋପ ମହାଦେଶର ସର୍ବୋଚ୍ଚ ଗିରୀଶୃଙ୍ଗ ବା ଆମ ଧର୍ମଭାବନା ଲିପିରେ ମର୍ତ୍ତ୍ୟବାସୀଙ୍କ ଦ୍ୱିତୀୟ ସ୍ୱର୍ଗ ମାଉଣ୍ଟ ଏଲବ୍ରସ ଉପରେ ବିଶ୍ୱର ବିଭିନ୍ନ ଦେଶର ପର୍ବତାରୋହୀଙ୍କ ଗହଣରେ ମୋ ବାପାଙ୍କ ସହ ଯୋଗବ୍ୟାସଙ୍କର ଥିବା ସ୍ମୃତି ଚାରଣ ଓ ଗୁଣ ସ୍ମରଣ କରି ତାଙ୍କର ଫଟୋଟିକୁ ଉପସ୍ଥାପନା ମଧ୍ୟ କଲେ ,
ଏବଂ ସେଠାରୁ ଫେରିବା ପରେ ମୋତେ ସେ ସେଇ ସବୁ ମୁହୂର୍ତ୍ତର ଫଟୋ ମଧ୍ୟ ଆଣି ଦେଇଥଲେ |

ହଁ ଯୋଗବ୍ୟାସ ଗଲାବେଳେ ମୁଁ ତାଙ୍କୁ କେବଳ ମୋ ବାପାଙ୍କ ଫଟୋ ଦେଇ ନଥିଲି,
ମୁଁ ତାଙ୍କୁ ମୋ ଦ୍ୱାରା ପ୍ରକାଶିତ, ପାଣିବାବା ଇଂ ବନମାଳୀ ନାୟକଙ୍କ ଦ୍ୱାରା ଲିଖିତ,
” ବନ୍ୟା ଓ ମରୁଡିର ବିଲୋପ ପାଇଁ ନୂତନ ବର୍ଷାଜଳ ପରିଚାଳନା ପଦ୍ଧତି ” ( A new Rain Water Manegement model to eradicate Drought and Flood ) ବହିଟିଏ ମଧ୍ୟ ଦେଲି ଏବଂ କହଲି ,

ଏ ପୁସ୍ତକରେ ବିଶ୍ୱ କଲ୍ୟାଣର ଏକ ସରଳ ତତ୍ତ୍ୱର ଉପସ୍ଥାପନା କରାଯାଇଛି, ସେଠାରେ ବିଶ୍ୱର ଅନ୍ୟାନ୍ୟ ବହୁ ଦେଶର ପର୍ବତାରୋହୀ ମାନେ ଥିବେ | ସେହିଠାରେ ଏ ପୁସ୍ତକଟିକୁ ବିଶ୍ୱାର୍ପଣ କରିଦେବ |

ଯୋଗବ୍ୟାସ ସେହି ପୁସ୍ତକଟିକୁ ମଧ୍ୟ ନେଲେ |

ମୁଁ ସୁଲେଖା ନାମରେ ଏକ ମାସିକ ସାଂସ୍କୃତିକ ପତ୍ରିକା ପ୍ରକାଶ କରେ । ଯୋଗବ୍ୟାସ ସେହି ପତ୍ରିକାର କପି ଖଣ୍ଡେ ମଧ୍ଯ ନେଲେ |

ଏବଂ ଏ ସବୁକୁ ସେଠାରେ ଉନ୍ମୋଚିତ କରି ଥିଲେ |

ସବୁର ଫଟୋ ମଧ୍ୟ ଆଣି ଦେଇଥିଲେ ଏବଂ କହିଲେ,
ୟୁରୋପ ମହାଦେଶର ସର୍ବୋଚ୍ଚ ଗିରି ଶିଖରରେ ଓଡିଆ ପୁସ୍ତକ ଓ ପତ୍ରିକାର ଲୋକାର୍ପଣ ଓଡିଶା ଇତିହାସରେ ଏକ ସର୍ବ ପ୍ରଥମ ଓ ସ୍ମରଣୀୟ ଘଟଣା ହୋଇ ରହିବ |

ଗିରୀଶୃଙ୍ଗ ଉପରେ ପତ୍ରିକା ଓ ପୁସ୍ତକର ବିଶ୍ୱାର୍ପଣ ପୃଥିବୀ ଇତିହାସର ସର୍ବ ପ୍ରଥମ ଘଟଣା ମଧ୍ୟ ହୋଇପାରେ, ଆପଣ ଟିକିଏ ଫ୍ୟାକ୍ଟ ଚେକ୍ କରି ମୋତେ କହିବେ |

ମୋତେ ଭାରି ଖୁସି ଲାଗିଲା , ଯୋଗବ୍ୟାସଙ୍କର ଏ ସରଳ ନିଷ୍କପଟ କଥା ଶୁଣି |

ଆମ ନିଜ ମାଡାମ୍ ସେ ଫଟୋ ଗୁଡିକ ବନ୍ଧାଇ କରି ଘରେ ଟାଙ୍ଗିଛନ୍ତି,
ଯେହେତୁ ମାଡାମ ବାପାଙ୍କ ଫଟୋଟି ବନ୍ଧାଇ କରି ରଖିବାକୁ ଚାହିଁଲେ, ସେହି ଚାହିଁବାରେ ଅନ୍ଯ ଦୁଇ ଖଣ୍ଡ ଫଟୋ ବି ବନ୍ଧା ହୋଇଗଲା ।

ଏ ସବୁ କଥା ଲିପିକାଙ୍କ ପର୍ବତାରୋହଣ ସମ୍ପର୍କୀତ ପୋଷ୍ଟ ଟି ଦେଖି ମନେ ପଡିଗଲା |

ଯୋଗବ୍ଯାସ କଳାହାଣ୍ଡିର ଯୁବକ । ସବୁଠୁ ସୁନ୍ଦର କଥା ହେଲା ସେ ଜଣେ ପ୍ରାଇମେରୀ ସ୍କୁଲ ଶିକ୍ଷକ ।

Jogabyasa

ସେ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭେରେଷ୍ଟ ସମେତ ସାତଟି ମହାଦେଶରୁ ପାଞ୍ଚଟି ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ଉପରେ ବିଜୟ ପ୍ରାପ୍ତ କରି ଭାରତୀୟ ତ୍ରୀରଙ୍ଗା ଉଡାଇ ସାରିଛନ୍ତି ।

ସେ ଶ୍ରୀମା ଅରବିନ୍ଦଙ୍କର ଭାବଧାରାର ଅନୁଗାମୀ ହୋଇଥିବାରୁ ତ୍ରୀରଙ୍ଗା ସହିତ ସେହି ଅନୁଷ୍ଠାନର ପତାକା ମଧ୍ୟ ଉଡାଇ ଥାଆନ୍ତି |

ଆମେରିକାର ଷଷ୍ଠ ଗିରୀ ଶୃଙ୍ଗ ଆରୋହଣ କରିବାର ପ୍ରସ୍ତୁତି ତାଙ୍କର ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲା , ମୁଁ ଏ ଖବର ପାଇଥିଲି, ଏହା ତିନି ବର୍ଷ ତଳର ଘଟଣା | କିନ୍ତୁ ସେ ସେହି ଷଷ୍ଠ ଗିରୀଶୃଙ୍ଗ ଆରୋହଣ କଲେ କି ନାହିଁ, ମୁଁ ଜାଣିନି କି କୈଣସି ମିଡିଆରେ ସେ ଖବର ଦେଖିନି |

ସେତେବେଳେ ସେ କହୁଥିଲେ ଏହାପରେ ମାତ୍ର ଆଉ ଗୋଟିଏ ଗିରିଶୃଙ୍ଗ ରହିବ, ତାହା ହେଉଛି ଆଣ୍ଟାର୍କଟିକାର ସର୍ବୋଚ୍ଚ ଗିରି ଶୃଙ୍ଗ |

ସପ୍ତମ ଗିରିଶୃଙ୍ଗ ବା ଆଣ୍ଟାର୍କଟିକା ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ଆରୋହଣ କରିଥିଲେ ସେ ଓଡିଶାର ପ୍ରଥମ ବିଶ୍ୱ ବିଜୟୀ ପର୍ବତାରୋହୀ ହୋଇ ଥାଆନ୍ତେ ।

ସମଗ୍ର ଶିକ୍ଷକ ସମାଜପାଇଁ କାହିଁରେ କେତେ ଗୌରବର ବିଷୟ ହୋଇ ଥାଆନ୍ତା ।

ହେଲେ ସେ ପ୍ରାୟ ପାଞ୍ଚ ସାତ ବର୍ଷ ହେଲା ଏ ସବୁ ସୁଯୋଗକୁ ଅପେକ୍ଷା କରି ବସିଛନ୍ତି ।

କାରଣ ଏ ଆଣ୍ଟର୍କାଟିକା ଗିରିଶୃଙ୍ଗ ବିଜୟ ଯାତ୍ରା ସର୍ବାଧିକ ବ୍ଯୟ ବହୁଳ, ବିପଦ ସଙ୍କୁଳତା ଯୋଗବ୍ୟାସଙ୍କ ପାଇଁ ପ୍ରସଙ୍ଗଗ ନୁହେଁ, ବ୍ୟୟଭାର ହିଁ ପ୍ରସଙ୍ଗ,
ଏଥିପାଇଁ ଖର୍ଚ ହୁଏ ପାଖାପାଖି କୋଟିଏ ଟଙ୍କା ।

ଜଣେ ପ୍ରାଇମେରୀ ସ୍କୁଲ ଶିକ୍ଷକ ଏତେ ପଇସା ଯୋଗାଡ କରିବେ ବା କେମିତି, ଏଭେରେଷ୍ଟ ଆରୋହଣ ସମୟରେ ବିଭିନ୍ନ ସୂତ୍ରରୁ ତାଙ୍କୁ ମିଳିଥିବା ଅନୁଦାନ ବାଦ୍ ତାଙ୍କ ପରିବାର କୁ ବେଶ୍ କେତେ ଏକର ଜମି ମଧ୍ୟ ବିକ୍ରୟ କରିବାକୁ ହୋଇଥିଲା |

ଦ୍ୱତୀୟତ ଆମ ରାଜ୍ଯରେ ପ୍ରାଇମେରୀ ସ୍କୁଲ ଶିକ୍ଷକ ତ ଏତେ
କି କ୍ଷମତାଶାଳୀ ନୁହନ୍ତି କି ପ୍ରଭାବଶାଳୀ ମଧ୍ୟ ନୁହନ୍ତି,
ନା ସରକାରଙ୍କ ପାଇଁ, ନା ଜନ ସାଧାରଣଙ୍କ ପାଇଁ ,

ନା ଖୋଦ୍ ଶିକ୍ଷକ ସମାଜ ପାଇଁ, ସେପରି ହୋଇଥିଲେ ଏମାନେ ୟୁନିୟନ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଚାନ୍ଦା ଆଦାୟ କରି ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରେ ଶ୍ରାଦ୍ଧକରି ଜିଲ୍ଲା କଲେକ୍ଟର ମାନଙ୍କ ସହ କୃତ୍ୟ କୃତ୍ୟ ହେଇ ଫଟୋ ଉଠେଇ ଖବରକାଗଜରେ ଛାପିବା ଅପେକ୍ଷା ଜଣେ ଶିକ୍ଷକଙ୍କୁ ବିଶ୍ୱ ବିଜୟୀ ଆଚାର୍ଯ୍ୟରେ ରୂପାନ୍ତରୀତ କରି ଶିକ୍ଷକ ସମାଜକୁ କାଳ କାଳକୁ ଗୌରବ ବିମଣ୍ଡିତ କରି ପାରି ଥାଆନ୍ତେ | ଓଡିଶାର ଶିକ୍ଷକ ସମାଜ ଏପରି ଜଣେ ବିଶ୍ୱ ବିଜୟୀ ଶିକ୍ଷକଙ୍କର ଫଟୋକୁ ସବୁ ବିଦ୍ୟାଳୟର କାନ୍ଥରେ ଝୁଲେଇ ଥିଲେ କେହି ପାଟି ବି ଫିଟେଇ ପାରି ନଥାନ୍ତେ |

ଜଣେ ଶିକ୍ଷକ କେବଳ ଉଚ୍ଚାରଣରେ ଅନ୍ୟମାନଙ୍କର ଗୌରବ ଗାଥା ଗାନ ନକରି ନିଜେ ନିଜ ଆଚରଣରେ ବି ବିଶ୍ୱ ବିଜୟୀ ହୋଇ ପାରିଥାଆନ୍ତା ;
ଯାହାଙ୍କର ଆଚରଣରୁ ସମାଜ ଶିକ୍ଷା ଲାଭ କରେ , ତାଙ୍କୁ ଆଚାର୍ଯ୍ୟ କୁହାଯାଏ |

ଶିକ୍ଷକ ସମାଜର ଏତାଦୃଶ ଅନିଷ୍ଠା ଓ ଉଦାସୀନତା କାରଣରୁ ବୋଧହୁଏ ଯୋଗବ୍ୟାସଙ୍କର ଇଚ୍ଛା ଓ ରାଜ୍ଯ ତଥା ଶିକ୍ଷକ ସମାଜର ଗୌରବ ଅସମ୍ପୁର୍ଣ୍ଣ ରହିଯାଇଛି ।

ବେଶୀ ବିଳମ୍ୱ ହେଲେ ବୟସ ବଢିଗଲେ ସେ ଇଚ୍ଛା ସମ୍ପୂର୍ଣ୍ଣ ହୋଇ ପାରେ କି ନ ପାରେ ସେକଥା ମୋତେ ଜଣା ନାହିଁ ।

ଯୋଗବ୍ଯାସ ବି ମୋ ସହ ବହୁ ଦିନ ହେଲା ଦେଖା ହୋଇ ନାହାନ୍ତି, କଥା ବି ହେଉ ନାହାନ୍ତି,

ସେ ହୁଏତ ଭାବୁଥାଇ ପାରନ୍ତି,
କୋଟି ରେ କେତେଟା ଶୂନ ଏ ଭଡା ଘରେ ପର ଆଶ୍ରାରେ ରହୁଥିବା ମଣିଷ ଟି ଜାଣି ତ ନଥିବ, ଗଣିବ କେମିତି ଯେ !

ହଁ ତାହା ବି ସତ କଥା ।

ତାଙ୍କର ସପ୍ତ ସ୍ବର୍ଗ ବିଜଯ ସଂକଳ୍ପ ପୁରା ହେବା ପରେ ସେ ବିବାହ କରିବେ ବୋଲି କହୁଥିଲେ, ଏବେ ସେ ବିବାହ କଲେଣି କି ନାହିଁ ତାହା ବି ମୋତେ ଜଣା ନାହିଁ।

ଯୋଗବ୍ଯାସଙ୍କ ମୋବାଇଲ୍ ନମ୍ୱର – ୯୯୩ ୮୮୮ ୧୭୫୪

କଥା ବହୁତ ଲମ୍ୱି ଗଲାଣି, ଆଜି ଏଇଠି ଥାଉ |

  • ଲକ୍ଷ୍ମୀଧର ନାୟକ

LEAVE A REPLY

Please enter your comment!
Please enter your name here