Home ସ୍କରଣୀୟମ୍ ଲାଲବାହାଦୁର ଶାସ୍ତ୍ରୀ

ଲାଲବାହାଦୁର ଶାସ୍ତ୍ରୀ

13
0

ଲାଲବାହାଦୂର ଶାସ୍ତ୍ରୀ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାରୀ। ତାଙ୍କର ସରଳ, ନିଷ୍କପଟ ଆଚରଣ, ଅହଂକାର ଶୂନ୍ୟ ବ୍ୟକ୍ତିତ୍ଵ ଓ କର୍ତ୍ତବ୍ୟନିଷ୍ଠା ତାଙ୍କୁ ଚିରସ୍ମରଣୀୟ କରି ରଖିବ । ଅତି ସାଦାସିଧା ପୋଷାକ, ମୁଣ୍ଡରେ ଟୋପି, ଖଦଡ଼ ଧୋତି, ପଞ୍ଜାବୀ ପିନ୍ଧା ଏହି ନେତା ଜଣକ ମାତ୍ର ଦେଢ଼ବର୍ଷ ପ୍ରଧାନମନ୍ତ୍ରୀ ରହିଥିଲେ ମଧ୍ୟ ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଯାଇଛନ୍ତି ।

ଭବିଷ୍ୟତ ର ପିଢ଼ି ଙ୍କ ନିକଟ ରୁ ଦୂରରେ ରଖାଯାଉଛି ଶାସ୍ତ୍ରୀ ଜୀ ଙ୍କ ମହତ୍ୱପୂର୍ଣ୍ଣ ଭୂମିକା । ସେମାନଙ୍କ ଙ୍କୁ ମଧ୍ୟ ଅବଗତ କରାଇବା ଦରକାର ଶାସ୍ତ୍ରୀ ଜୀ ଙ୍କ ଚରିତ୍ର ଓ ମହାନତା ସହ ।

କେନ୍ଦ୍ର ମନ୍ତ୍ରିମଣ୍ଡଳର ନିଷ୍ପତ୍ତିକ୍ରମେ ଲାଲବାହାଦୂର ଶାସ୍ତ୍ରୀଙ୍କୁ ସର୍ବସମ୍ମତ ରେ ନିର୍ବାଚିତ କରାଯାଇଥିଲା । ସେତେବେଳେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଥିଲେ ମଧ୍ୟ ଲାଲବାହାଦୂରଙ୍କୁ ହିଁ ପ୍ରଧାନମନ୍ତ୍ରୀ ପଦ ପାଇଁ ବଛା ଯାଇଥିଲା ।

ସ୍ଵର୍ଗତଃ ଶାସ୍ତ୍ରୀ ୧୯୬୪ ଜୁନ୍ ୨ ତାରିଖରୁ ୧୯୬୬ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଲେ । ତାଙ୍କର “ଜୟ ଜବାନ, ଜୟ କିଷାନ’ ଧ୍ଵନି ସମଗ୍ର ଦେଶର ନୂତନ ଉଦ୍ଦୀପନା ସୃଷ୍ଟି କରିଥିଲା ।

ଉତ୍ତର ପ୍ରଦେଶର ବାରାଣସୀ ନିକଟବର୍ତ୍ତୀ ମୋଗଲସରାଇ ଗ୍ରାମରେ ଏକ ଦରିଦ୍ର ପରିବାରରେ ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ତାଙ୍କର ଜନ୍ମ । ପିତା ଶାରଦା ପ୍ରସାଦ ଶ୍ରୀବାସ୍ତବ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ । ଲାଲବାହାଦୂର ମାତ୍ର ଦେଢ଼ବର୍ଷ ବୟସରେ ନିଜ ପିତାଙ୍କୁ ହରାଇଥିଲେ। ଉତ୍କଟ ଦାରିଦ୍ର୍ୟ, ଅଭାବ ଅନଟନ ମଧ୍ୟରେ ମାତା ରାମଦୁଲାରୀ ଲାଲୁଙ୍କ ସମେତ ଆଉ ଦୁଇ କନ୍ୟାଙ୍କ ଭରଣ ପୋଷଣ କରିଥିଲେ । ମାତ୍ର ଦାରିଦ୍ର୍ୟର କଷାଘାତ ସହ୍ୟ କରିନପାରି ରାମଦୁଲାରୀ ପିଲାମାନଙ୍କୁନେଇ ନିଜ ବାପଘରକୁ ଚାଲି ଯାଇଥିଲେ । ସେହିଠାରେ ଲାଲବାହାଦୂରଙ୍କ ବାଲ୍ୟ ଶିକ୍ଷା ଆରମ୍ଭ ହୋଇଥିଲା । ଗ୍ରାମରେ ପ୍ରାଥମିକ ଶିକ୍ଷା ଶେଷକରି ହରିଶ୍ଚନ୍ଦ୍ର ବିଦ୍ୟାପୀଠରେ ସେ ଉଚ୍ଚ ମାଧ୍ୟମିକ ଶିକ୍ଷା ଲାଭ କରିଥିଲେ ।

ଲାଲବାହାଦୂରଙ୍କ ପାରିବାରିକ ଅବସ୍ଥା ସ୍ଵଚ୍ଛଳ ନଥିବାରୁ ସେ ଉଚ୍ଚ ଶିକ୍ଷା ପାଇ ପାରିନଥିଲେ । ୧୯୨୧ ରେ ସେ କାଶୀ ଜାତୀୟ ବିଦ୍ୟାପୀଠର ସଂସ୍କୃତ ଅଧ୍ୟୟନ କଲେ । ସେଠାରେ ବିଦ୍ୟାର୍ଥୀ ମାନଙ୍କୁ କଠୋର ସଂଯମ, ନିଷ୍ଠା, ଚରିତ୍ରବତ୍ତା ଓ ଅନୁଶାସନ ମଧ୍ୟରେ ରହିବାକୁ ପଡ଼ୁଥିଲା । ୧୯୨୫ରେ ସେ ‘ଉପାଧି’ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ‘ଶାସ୍ତ୍ରୀ’ ଉପାଧି ଲାଭ କଲେ । ବିଦ୍ୟାପୀଠରେ ଅଧ୍ୟାପକ ମାନଙ୍କ ସୁପାରିଶକ୍ରମେ ଲାଲବାହାଦୂରଙ୍କୁ ‘ଲୋକସେବକ ମଣ୍ଡଳ’ର ସଭ୍ୟ ରୂପେ ନିଯୁକ୍ତି ମିଳିଲା । ତାଙ୍କର କାର୍ଯ୍ୟ ଦକ୍ଷତ, କର୍ତ୍ତବ୍ୟନିଷ୍ଠା ଓ ଦେଶପ୍ରେମ ଯୋଗୁଁ ତାଙ୍କୁ ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ କର।ଯାଇଥିଲା । କାଶୀ ବିଦ୍ୟାପୀଠର ଅଧ୍ୟକ୍ଷ ଡଃ ଭଗବାନ ଦାସ ତାଙ୍କ ରାଜନୈତିକ ଜୀବନର ଗୁରୁ ଥିଲେ ।

ମା’ଙ୍କ ଅନୁରୋଧ ରକ୍ଷାକରି ୨୩ ବର୍ଷ ବୟସରେ ସେ ଲଳିତା ଦେବୀଙ୍କୁ ବିବାହ କଲେ । ଉତ୍କଟ ଅଭାବ, ଅନଟନ ଓ ଦାରିଦ୍ର୍ୟ ମଧ୍ୟରେ ଥାଇ ମଧ୍ୟ ଲାଲବାହାଦୂର ଜନସେବା ଓ ଦେଶ ସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରି ନେଲେ । ପତ୍ନୀ ଲଳିତ। ଦେବୀ ମଧ୍ୟ ପତିଙ୍କ ସରଳ ଜୀବନଯାପନ ପ୍ରଣାଳୀକୁ ଗ୍ରହଣ କରି ନେଲେ ।

୧୯୩୦ ମସିହା ବେଳକୁ ଭାରତ ରେ ସର୍ବତ୍ର ସ୍ୱାଧୀନତା ଆନ୍ଦୋଳନର ନିଆଁ କୁହୁଳୁଥାଏ । ପଚିଶ ବର୍ଷ ବୟସ୍କ ଲାଲବାହାଦୂର ମାତାଙ୍କ ଅନୁମତି ନେଇ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଲେ । ବିଭିନ୍ନ ସଭା ସମିତିରେ ଭାଷଣ ଦେଇ ବ୍ରିଟିଶ ସରକାରଙ୍କ କଠୋର ଦମନଲୀଳାର ସମାଲୋଚନା କରିବାକୁ ଆରମ୍ଭ କଲେ । ଫଳରେ ସେ ବାରମ୍ବାର ଗିରଫ ହୋଇ ପ୍ରାୟ ୬ ଥର ଜେଲରେ ରହିଲେ । ଜେଲରେ ପ୍ରାୟ ୯ ବର୍ଷ ରହିବା ସମୟରେ ସେ ବହୁ ପୁସ୍ତକ ଅଧ୍ୟୟନ କରିବାର ସୁଯୋଗ ପାଇଲେ । ସେ ଜେଲରେ ଥିବା ସମୟରେ ତାଙ୍କ ପୁଅ ଓ ଝିଅ ଗୁରୁତର ରୋଗାକ୍ରାନ୍ତ ହେଲେ । ଚିକିତ୍ସା ଅଭାବରୁ ଝିଅର ମୃତ୍ୟୁ ହୋଇଗଲା । ଜେଲ କର୍ତ୍ତୃପକ୍ଷଙ୍କ ଅନୁମତିକ୍ରମେ ସେ ଘରକୁ ଆସି ପୁଅର ଚିକିତ୍ସା ବ୍ୟବସ୍ଥା କରିବା ପରେ ଚୁକ୍ତି ଅନୁଯାୟୀ । ପୁଣି ଜେଲକୁ ଫେରି ଯାଇଥିଲେ ।

୧୯୨୦ ମସିହାରେ ଶାସ୍ତ୍ରୀଜୀ କଂଗ୍ରେସରେ ଯୋଗ ଦେଲେ । ୧୯୪୬ ମସିହାରେ ସେ ଉତ୍ତର ପ୍ରଦେଶ ବ୍ୟବସ୍ଥାପକ ସଭାର ସଭ୍ୟ ରୂପେ ନିର୍ବାଚିତ ହୋଇ ପୋଲିସ ବିଭାଗ ମନ୍ତ୍ରୀ ହୋଇଥିଲେ । ୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ଵାଧୀନ ହେବା ପରେ ଲାଲବାହାଦୂରଙ୍କୁ ନିଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ଭାବେ ନିଯୁକ୍ତି ମିଳିଥିଲା । ଉତ୍ତର ପ୍ରଦେଶରେ ମନ୍ତ୍ରୀ ହେବା ପରେ ମଧ୍ୟ ସେ ଅତି ସରଳ ଜୀବନ ଯାପନ କରୁଥିଲେ । ସେ ନିଜ ସରକାରୀ ବଙ୍ଗଳାରୁ ଶୀତତାପ ନିୟନ୍ତ୍ରକ ଯନ୍ତ୍ର ଉଠାଇ ଦେଇଥିଲେ । ମୋଟା ଖଦଡ଼ ଧୋତି ଓ ପଞ୍ଜାବୀ ପିନ୍ଧୁ ଥିଲେ । ସେ ଶାକାହାରୀ ଥିଲେ । କୌଣସି ପ୍ରକାର ବିଳାସ, ବସନ ବା ଦୁର୍ନୀତି ତାଙ୍କୁ ସ୍ପର୍ଶ କରିନଥିଲା ।

୧୯୫୨ ମସିହାରେ ଶାସ୍ତ୍ରୀଜୀ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗ ଦେଲେ । ସେ ରେଳବାଇ ଓ ପରିବହନ ବିଭାଗର କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ନିଜର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଥିଲେ । କିନ୍ତୁ ଦୁଇଥର ରେଳ ଦୁର୍ଘଟଣା ଘଟିବା ପରେ ସେ ଏଥିପାଇଁ ନିଜକୁ ଦାୟୀ କରି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ତାଙ୍କର କର୍ତ୍ତବ୍ୟନିଷ୍ଠା ଓ ଦାୟିତ୍ଵବୋଧର ପରିଚୟ । ମାତ୍ର ଆଜିକାଲି ସେଭଳି ଦାୟିତ୍ଵବୋଧ ବିରଳ ।

ପରବର୍ତ୍ତୀ ସମୟରେ ଲାଲବାହାଦୂର କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ବିଭାଗ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ତାଙ୍କର ନିଷ୍ଠା ଓ କାର୍ଯ୍ୟଦକ୍ଷତା ଯୋଗୁଁ ସ୍ଵରାଷ୍ଟ୍ର ମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ । ଶାସ୍ତ୍ରୀଜୀ ଯାହା କରିବାକୁ ଚାହୁଁଥିଲେ ଓ ନିଷ୍ପଭି କରୁଥିଲେ ତାହା କରୁଥିଲେ । ସେ ଥିଲେ କର୍ମଠ, ନିରଳସ ଓ ଅହଂଭାବ ଶୂନ୍ୟ କର୍ମଯୋଗୀ । ସେ ଅତ୍ୟନ୍ତ ଶାନ୍ତ ଓ ସରଳ ସ୍ୱଭାବର ଥିବାରୁ ସାଧାରଣ ଲୋକେ ନିଜର ଅଭାବ ଅସୁବିଧା ତାଙ୍କୁ ସହଜରେ ଜଣାଇ ପାରୁଥିଲେ । ସେ ଜନସାଧାରଣଙ୍କ ସହିତ ମିଶୁଥିଲେ ଓ ସେମାନଙ୍କ ସମସ୍ୟା ଧୈର୍ଯ୍ୟର ସହିତ ଶୁଣି ତାର ପ୍ରତିକାର କରୁଥିଲେ । ତାଙ୍କ ପାଇଁ ‘ଜେଡ ପ୍ଲସ ’ ସିକ୍ୟୁରିଟି ବା ନିରାପତ୍ତା ବ୍ୟବସ୍ଥା ଦରକାର ନଥିଲା । ସେ ପ୍ରକୃତ ଜନ ପ୍ରତିନିଧି ଥିଲେ । ପରବର୍ତ୍ତୀ କାଳରେ ଶାସ୍ତ୍ରୀଜୀ ବିଭାଗ ବିହୀନ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଥିଲେ ।

ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ୧୯୬୫ ସେପ୍ଟେମ୍ବର ମାସରେ ଭାରତ ଉପରେ ପାକିସ୍ଥାନ ଅଚାନକ ଆକ୍ରମଣ କଲା । କାଶ୍ମୀରକୁ ଦଖଲ କରି ନେବା ଉଦେଶ୍ୟ ରେ । ମାତ୍ର ଶାସ୍ତ୍ରୀଜୀ ପାକିସ୍ଥାନର ଦୃଢ଼ ମୁକାବିଲା କଲେ । ତାଙ୍କର “ଜୟ ଜବାନ, ଜୟ କିଷାନ’ ଧ୍ଵନି ଦେଶବାସୀଙ୍କୁ ତଥା ଭାରତୀୟ ସାମରିକ ବାହିନୀକୁ ଏଭଳି ଉଦ୍‌ବୁଦ୍ଧ କରିଥିଲା ଯେ, ଭାରତୀୟ ସେନାବାହିନୀ ପାକିସ୍ଥାନ ଭିତରେ ପ୍ରବେଶ କରି ବହୁ ଅଞ୍ଚଳ ଦଖଲ କରି ଲାହୋର ଆଡ଼କୁ ମାଡ଼ି ଯାଇଥିଲେ । ପାକିସ୍ଥାନ ଆତଙ୍କିତ ହୋଇ ଜାତିସଂଘର ଶରଣାପନ୍ନ ହେଲା । ଫଳରେ ଜାତିସଂଘ ଓ ସୋଭିଏଟ୍ ରୁଷ ପ୍ରଧାନମନ୍ତ୍ରୀ ଯୁଦ୍ଧ ବନ୍ଦ ପାଇଁ ନିବେଦନ କଲେ । ଶେଷରେ ରୁଷିଆର ତା ସକେଣ୍ଡ ସହରରେ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ, ପାକିସ୍ଥାନ ରାଷ୍ଟ୍ରପତି ଜେନେରାଲ ଆୟୁବ ଖାଁ ଓ ରୁଷ ପ୍ରଧାନମନ୍ତ୍ରୀ କୋସିଗିଙ୍କ ମଧ୍ୟରେ ଶାନ୍ତି ଆଲୋଚନା ହୋଇ ଏକ ଶାନ୍ତି ଚୁକ୍ତି ସ୍ଵାକ୍ଷରିତ ହେଲା । ରୁଷ ପ୍ରଧାନମନ୍ତ୍ରୀଙ୍କ ମଧ୍ୟସ୍ଥତାରେ ଏହି ଚୁକ୍ତି କାର୍ଯ୍ୟକାରୀ ହେଲା । ଚୁକ୍ତି ଅନୁଯାୟୀ ଭାରତ ଦଖଲ କରିଥିବା ଅଞ୍ଚଳ ପାକିସ୍ଥାନକୁ ଫେରାଇ ଦିଆଗଲା ।

ଶାସ୍ତ୍ରୀଜୀ ଆଜି ନାହାନ୍ତି । କିନ୍ତୁ ତାଙ୍କର ସରଳତା, ତ୍ୟାଗପୂତ ଜୀବନ, ନିଷ୍ଠା ଓ ଦେଶପ୍ରେମ ତାଙ୍କୁ ଅମର କରି ରଖିଛି ।

  • ଚିନ୍ମୟୀ ବେହେରା, ବାଲିକୁଦା, ଜଗତସିଂହପୁର

LEAVE A REPLY

Please enter your comment!
Please enter your name here