Home ସମ୍ଯକ୍ ପରିଚୟ ଭି. କାର୍ତ୍ତିକେୟନ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟନ IAS

ଭି. କାର୍ତ୍ତିକେୟନ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟନ IAS

1160
0

ଭି. କାର୍ତ୍ତିକେୟନ ପାଣ୍ଡିଆନ :

ମେ ୨୯, ୧୯୭୪ ରେ ତାମିଲନାଡୁରେ ଜନ୍ମିତ ଭି. କାର୍ତ୍ତିକେୟନ ପାଣ୍ଡିଆନ, ପ୍ଲାଣ୍ଟ ଫିଜିଓଲଜିରେ ସ୍ନାତକୋତ୍ତର କରିବା ପରେ ୨୦୦୦ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।

କଳାହାଣ୍ଡି ଉପଜିଲ୍ଲାପାଳ ଭାବେ ଚାକିରି ଆରମ୍ଭ କରି ଉପନିର୍ବାଚନ ଅଧିକାରୀ, ଓଡିଶା, ସୁନ୍ଦରଗଡ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାପାଳ ଭାବେ କାମ କରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ସେ ରାଜୀବ ଗାନ୍ଧି ଫାଉଣ୍ଡେସନ ପୁରସ୍କାର ଓ ରାଷ୍ଟ୍ରପତି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।

ଜଣେ ଦକ୍ଷ, ନିଷ୍ଠାପର ଅଧିକାରୀ ଭାବେ ସେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଭାଜନ ହୋଇଥିଲେ |

କାର୍ତ୍ତିକେୟନ ପାଣ୍ଡିଆନ ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ରାଜ୍ୟ ବିକାଶ ଓ ରାଜନୀତିରେ ଏକ ପ୍ରମୁଖ ଭୁମିକା ନିର୍ବାହ କରୁଛନ୍ତି |

ଲୋକଙ୍କ ନିନ୍ଦା ପ୍ରଶଂସାଠୁ ନିଜକୁ ଯଥାସମ୍ଭବ ଦୁରେଇ ରଖି ସେ ତାଙ୍କର ବିବେକାନୁମୋଦିତ ଢଙ୍ଗରେ ନବୀନଙ୍କ ଅଖଣ୍ଡ ବିଶ୍ୱାସ ଓ ଆଶୀର୍ବାଦକୁ ପାଥେୟ କରି କାର୍ଯ୍ୟକରି ଚାଲିଛନ୍ତି ତଥା ବସ୍ତୁତଃ ରାଜ୍ୟର ବିକାଶ ଓ ରାଜନୀତିର ଏକ ଅବିଛେଦ୍ୟ ଅଙ୍ଗ ହୋଇ ରହିଛନ୍ତି |

ସେ ତାମିଲନାଡୁର ଲୋକ ହୋଇଥିଲେ ମଧ୍ୟ କେନ୍ଦ୍ରାପଡାର ଓଡିଆ ଝିଅ ସୁଜାତା ରାଉତଙ୍କୁ ବିବାହକରି ଓଡିଆ ଘରର ଜ୍ୱାଇଁ ଭାବେ ଓଡିଶାବାସୀଙ୍କର ଆଦରର ପାତ୍ର ହୋଇ ପାରିଛନ୍ତି |

ବୋଧହୁଏ ଏହି କାରଣରୁ ଓଡିଶାର ବହୁ ଲୋକ ତାଙ୍କୁ ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଦେଖିବାକୁ କୁଣ୍ଠା ମଧ୍ୟ ପ୍ରକାଶ କରୁ ନାହାନ୍ତି | ଅବଶ୍ୟ ସେ ଏଥିପ୍ରତି ଆଗ୍ରହ ପ୍ରକାଶ କରିବେ କି ନାହିଁ ତାହା ଭବିଷ୍ୟତ କହିବ |

ଶ୍ରୀମତୀ ସୁଜାତା କାର୍ତ୍ତିକେୟନ :

ମେ ୯, ୧୯୭୫ ରେ ଜନ୍ମିତ କେନ୍ଦ୍ରାପଡାର ଝିଅ ସୁଜାତା ଜାମସେଦପୁରରୁ ସ୍ନାତକ କରିବା ପରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ ପଲିଟିକ୍ସରେ ସ୍ନାତକୋତ୍ତର କରିଛନ୍ତି ।

୨୦୦୦ରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ନବରଙ୍ଗପୁର ଉପଜିଲ୍ଲାପାଳ ଭାବେ ଚାକିରି ଆରମ୍ଭ କରି ସୁନ୍ଦରଗଡ ଓ କଟକ ଜିଲ୍ଲାପାଳ ଦାୟିତ୍ୱ ତୁଲାଇଛନ୍ତି ।

ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶକ, ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ, ଜଳଛାୟା ମିଶନ ନିର୍ଦ୍ଦେଶକ, ଜଳଛାୟା ମିଶନର କମିଶନର ତଥା ସଚିବ ଦାୟିତ୍ୱ ନିର୍ବାହ କରିଛନ୍ତି ।
ଏବେ ସେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି ।

ଓଡିଆ ଝିଅ ସୁଜାତା ରାଉତ, ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କର ସହଧର୍ମିଣି ହୋଇଥିବା ହେତୁ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଭାବେ ପରିଚିତ।

LEAVE A REPLY

Please enter your comment!
Please enter your name here