Home କଥା ଟାଙ୍କୁ ଫୁଲୁକିର ପିଠା

ଟାଙ୍କୁ ଫୁଲୁକିର ପିଠା

65
0

ମୋ ସ୍ମୃତିର ରୋଷେଇ – ଭାଗ ୨
ଟାଙ୍କୁ ଫୁଲୁକିର ପ୍ରସ୍ତୁତି ପ୍ରଣାଳୀ…

ବର୍ଷକୁ ଥରେ ଆମେ ଗାଁକୁ ଯାଉ। ପ୍ରାୟ ଖରାଛୁଟିରେ ହିଁ ଯାଉ। ଥରେ କିଛି ବିଶେଷ କାମରେ ଆମେ ଆଶ୍ୱିନ ମାସରେ ଗାଁକୁ ଯାଇଥାଉ। ସେତେବେଳେ ଗାଁକୁ ସରକାରୀ ନାଲି ବସ୍ ଯାଉଥାଏ। ସେଇ ନାଲିବସ୍ ରାସ୍ତାସାରା ଧକଡ଼ଚକଡ଼ ହୋଇ ଧୀରମନ୍ଥର ଗତିରେ ଗାଁରେ ପହଞ୍ଚିଲା ବେଳକୁ ମୁହଁସଞ୍ଜ। ଛକ ଉପରେ ବହୁତ ଲୋକ ଜମା ହୋଇଥାନ୍ତି। ବୋଉ କେତେ ଲୋକଙ୍କୁ ମୁଣ୍ଡିଆ ମାରୁଥାନ୍ତି। ତାଙ୍କ ପଛେ ପଛେ ଆମେ ବି ମୁଣ୍ଡିଆ ମାରୁଥାଉ। ଘରେ ପହଞ୍ଚିବା ଭିତରେ ପାଖାପାଖି ତିରିଶି ଜଣଙ୍କ ପାଦ ଛୁଇଁଥିବୁ। ଆମଘର ସାମ୍ନାରେ ‘ଚୋରଦାଦା’ ଛିଡ଼ା ହୋଇଥାନ୍ତି। ସେ ବୋଉଙ୍କୁ ଦେଖି କହିଲେ, ମୋ ଭାଉଜରାଣୀ ଲୋ…କେତେ ପତଳା ହେଇଯାଇଛ। ଏମିତି କଥା କହୁକହୁ ବୋଉକୁ ଜୁହାର ହେଲେ। ବୋଉ କହିଲେ, ଇଏ ଚୋରଦାଦା…ପ୍ରଣାମ କର। ଚୋରଦାଦା କୋଳେଇନେଇ କହିଲେ, ଥାଉ ଥାଉ ଛକମୁଣ୍ଡରୁ ତ ଏଯାଏଁ କୋଳି ଗୋଟେଇ ଗୋଟେଇ ଆସୁଛ। ଆଉ କେତେ ଗୋଟେଇବ….ଥାଉ।

ଚୋରଦାଦା ଭାରି ସ୍ନେହୀ ଲୋକଟିଏ। ଟିକିଏ ସ୍ତ୍ରୀଲୋକଙ୍କ ପରି ଚାଲନ୍ତି ଓ କଥା କୁହନ୍ତି। ସମସ୍ତଙ୍କ ସହିତ ସହଜରେ ମିଶିଯାଆନ୍ତି। ସେଦିନ ଆମ ସହିତ ଆମଘରକୁ ଯାଇ ମୋ ଖୁଡ଼ୀଙ୍କୁ କହିଲେ, ଦିଅଲୋ ବୋହୂଏ…ପାଣିଢାଳ ଦିଅ। ପରଦେଶୀ ବନ୍ଧୁ ଆସିଛନ୍ତି ଘରକୁ। ଆମେ ବଲବଲ କରି ଚାହିଁଥାଉ। ଚୋରଦାଦା ଏମିତି ମୋ ଖୁଡ଼ୀ-ଦେଠେଈଙ୍କ ସହିତ ବି ହସଗମାତ କରନ୍ତି। ସେ ଘରୁ ଯିବାପରେ ମୁଁ ବୋଉକୁ ପଚାରିଲି, ଇଏ ଚୋରି କରନ୍ତି କି ?

ମୋ କଥା ଶୁଣି ହସିଲେ ସମସ୍ତେ। ଦେଠେଈ ବୁଝେଇଦେଲେ, ପିଲାବେଳେ ସମସ୍ତଙ୍କ ବାଡ଼ିରୁ କାକୁଡ଼ି ଚୋରି କରି ଖାଉଥିଲା। ତେଣୁ ତାକୁ ସମସ୍ତେ ଚୋର ବୋଲି ଡାକିଲେ।

ଗାଁରେ ପୁରୁଷମାନେ ସକାଳୁ ଉଠି ହଳ ନେଇ ଚାଷ କରିବାକୁ ଯାଉଥିଲେ। ସ୍ତ୍ରୀଲୋକମାନେ ଘରଅଗଣା ଝାଡୁ କରି ଲିପାପୋଛା କରୁଥିଲେ। ବାସିପାଇଟି ସାରି ଶୀଘ୍ର ଗାଧୋଇ ପଡ଼ି ରୋଷେଇରେ ଲାଗି ପଡୁଥିଲେ। ସକାଳୁ ପ୍ରାୟ ସମସ୍ତଙ୍କ ଘରେ ପଖାଳ ଖାଉଥିଲେ। ବାସିପଖାଳ ସହିତ ପୋଡ଼ାପୋଡ଼ି ପାଗକରି ଖାଆନ୍ତି। ଗାଁକୁ ଗଲେ ଆମେ ବି ପଖାଳ ଖାଉ। ଗାଁ ହାଣ୍ଡିର ପଖାଳ ବହୁତ ଭଲ ଲାଗେ। ତା ମଜା ସହରରେ ମିଳେନି।

ସେଇଥର ଦେଖିଲି କାହା ଗୁହାଳର ବାଡ଼ ଉପରେ ତ କାହାର ଖଳାବାଡ଼ିରେ ଲତାଜାତୀୟ କିଛି ଗଛ ଲମ୍ବା ହୋଇ ଲଟେଇ ହୋଇଥାଏ। ସେଇ ଲତାଗୁଡ଼ିକରେ ଛୋଟ ଛୋଟ ହଳଦିଆ ଫୁଲର ସମ୍ଭାର। ସେଥିରୁ ଦୁଇଟି ଆଣି କାନରେ ଖୋସିଲି। ଖୁଡ଼ୀଙ୍କୁ ଦେଖେଇ କହିଲି, ଗାଁରେ ଚାରିଆଡ଼େ ସୁନାଫୁଲ ଫୁଟିଛି। ମୁଁ ମୋ ପାଇଁ ସେଥିରୁ ଦୁଇଟି ଛିଣ୍ଡେଇ ଆଣିଛି। ଖୁଡ଼ୀ ମୋ ଚପଳତା ଦେଖି ହସିଲେ। ଫୁଲଡାଲା ଧରେଇ ଦେଇ କହିଲେ, ଯାଅ ସେଇ ସୁନାଫୁଲ ଗୁଡ଼ିକ ତୋଳି ଆଣିବ।

ଆଶ୍ୱିନ ମାସରେ ଜହ୍ନିଓଷା ହୁଏ। ସେଇଥର ମୁଁ ପ୍ରଥମକରି ଜହ୍ନିଓଷା ଦେଖିଲି। ଆମଘରେ ଓଷାକୋଠି। ମୋ ସାନପିଉସୀ ଓ ବଡ଼ବାପାଙ୍କ ଝିଅ ଜହ୍ନିଓଷା କରୁଥାନ୍ତି। ପ୍ରତିଦିନ ସନ୍ଧ୍ୟାବେଳେ ସାହିଯାକର ଝିଅ ଲିଆଉଖୁଡ଼ା, ରାଶିଲଡୁ ସହିତ ବିଭିନ୍ନ ଫଳମୂଳ ଭୋଗଥାଳିରେ ନେଇ ପୂଜା ପାଇଁ ଆସନ୍ତି। ଆମଘରେ ମଝିଅଗଣାରେ ବେଦୀଟିଏ ଥାଏ। ତାକୁ ଲାଗି ତୁଳସୀ ଚଉଁରା। ସେଇଠି ବସି ସମସ୍ତେ ଓଷା କରନ୍ତି। କୁମାରପୂର୍ଣ୍ଣମୀ ଦିନ ଓଷାର ଶେଷଦିନ। ସେଦିନ ଘରେ ଘରେ ପିଠାପଣା। ଆମ ଘରେ ବି ବୋଉ, ଖୁଡ଼ୀ, ଦେଠେଈ ସମସ୍ତେ ମିଶି ସାତପ୍ରକାର ପିଠା, କ୍ଷୀରି, ଝିଲିଅଟକାଳି, ତିଆରି କରୁଥାନ୍ତି।

ସେ ଦିନସାରା ବେଦୀ ଉପର ଆଉ ଚଉଁରାମୂଳ ସଜାସଜି ହେଉଥାଏ। ସାହି ପିଲାଏ ମିଶି ପୋଖରୀରୁ ଗୋଛାଗୋଛା ନାଲି, ଧଳା କଇଁଫୁଲ ତୋଳି ଆଣିଲେ। କଇଁନାଡ଼କୁ ଭାଙ୍ଗି ଭାଙ୍ଗି ସୁନ୍ଦର ହାର ତିଆରି କଲେ। ବେଦୀ ଉପରେ ସୁନ୍ଦର ଭାବରେ ସଜେଇଲେ। ମୋ ଦାଦା ରଙ୍ଗିନ୍ କାଗଜକୁ କାଟି କେତେ ଡିଜାଇନର ଝାଲର୍ ତିଆରି କରୁଥିଲେ। ପିଲାଏ ତାକୁ ମଇଦାଅଠା ଦେଇ ଲଗେଇଲେ। ଚାରିଆଡ଼େ ଲିଚୁଲାଇଟର ମାଳା ଲାଗିଥାଏ। ଝିଅମାନେ ଝୋଟି ଆଉ ରଙ୍ଗୋଲିରେ ପୂରା ଅଗଣା ଭରିଦେଲେ। ସେଦିନ ସମସ୍ତଙ୍କ ପାଇଁ ଉତ୍ସବ। ଓଷେଇତୀମାନେ ନୂଆଜାମା ପିନ୍ଧିଥାନ୍ତି। ତାଙ୍କ ଦେଖାଦେଖି ଆମେ ବି ପିନ୍ଧିଥାଉ। ଭୋଗ ପାଇଁ କେତେ ଫଳମୂଳ ଆସିଥାଏ। ଆମ ହଳିଆ କୁମରମାମୁଁ ପାଳଭାଡ଼ି ତଳେ ଥିବା ତାଳଟାକୁଆ ଆଣି ହାଣିଲେ। ତା ଭିତରୁ ଧଳା ଧଳା ଗଜା ବାହାରକଲେ। ମୋ ପାଇଁ ସେସବୁ ନୂଆ ଜିନିଷ। ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ପଚାରିଲି ଇଏ କଣ ?

ତାଳ ପାଚିଲାବେଳେ ଘରେ ତାଳବରା, ତାଳଏଣ୍ଡୁରି ହେଇଥିଲା। ତା’ରି ଟାକୁଆ ଏଇ ପାଳଭାଡ଼ି ତଳେ ରଖିଥିଲି। ଏବେ ତା ଭିତରେ ଗଜା ହୋଇଛି। ସେଥିରୁ କିଛି ଭୋଗ ହେବ। ଆଉ କିଛି ପିଠା ତିଆରି ହେବ।

ସତକୁସତ ସେଥିରୁ ବାହାରିଥିବା ତାଳଗଜାକୁ କିଛି ଭୋଗ ପାଇଁ ରଖି ବାକିତକ ପିଠା ତିଆରି ହେଲା। ସେଇ ପିଠାର ନାଁ ହେଲା “ଟାଙ୍କୁ ଫୁଲୁକି।” ଆଜି ମୁଁ ସେ ପିଠା ବିଷୟରେ ଲେଖିବି। ଆଜିକାଲି ସେ ପିଠା ତିଆରି ହେଉଛି କି ନା ଜାଣିନି….କିନ୍ତୁ, ଲାଗୁଛି ଆମ ପୂର୍ବ ପୀଢ଼ି ସହିତ ସେ ପିଠା ବି ହଜିଯିବ।

ଟାଙ୍କୁ ଫୁଲୁକିର ପ୍ରସ୍ତୁତି ପ୍ରଣାଳୀ…

ତାଳଟାକୁଆ ଭିତରେ ଥିବା ଧଳା ଧଳା ତାଳଗଜା ଦୁଇ କପ୍
ଚୁଡ଼ା ଏକ କପ୍
ଚାଉଳଚୁନା ଏକ କପ୍
ପାଣିଆଗୁଡ଼ ଅଧାକପ୍
ଲୁଣ ସ୍ୱାଦ ଅନୁସାରେ
ଗୁଜୁରାତି ଗୁଣ୍ଡ
ଛାଣିବା ପାଇଁ ରିଫାଇନ୍ ତେଲ

ତାଳ ଟାକୁଆର ଗଜାକୁ କମ୍ ଆଞ୍ଚରେ ୧/୪କପ୍ ପାଣି ଦେଇ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ସିଝାଇବେ। ଚୁଡ଼ାକୁ ବତୁରାଇ ଚିପୁଡ଼ି ରଖିବେ। ତାପରେ ସିଝା ଟାକୁଆ ଓ ଚୁଡ଼ାକୁ ଏକାଠି ବାଟିଦେବେ। ସେଥିରେ ଗୁଡ଼, ଚାଉଳଚୁନା, ଲୁଣ, ଗୁଜୁରାତିଗୁଣ୍ଡ ଦେଇ ଭଲ ଭାବରେ ଚକଟିଦେବେ। ଜନ୍ତୁଣି ପରି ଆଣ ହେବା ଦରକାର। ତେଲ ହାତରେ ତାକୁ ଗୋଲ୍ ଗୋଲ୍ କରି କାକରାପିଠା ପରି ଗଢ଼ିବେ। ତେଲ ଗରମ ହେଲେ ଛାଣିବେ। ତେଲରେ ପକେଇଲେ ତାହା ଫୁଲିଯିବ। ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଲେ ତେଲରୁ ବାହାର କରିବେ। ତାକୁ କୁହାଯାଏ ଟାଙ୍କୁ ଫୁଲୁକି। ତାର ବାସ୍ନା ଚାରିଦିଗକୁ ଚହଟାଇ ଦିଏ। ବହୁତ ସ୍ୱାଦିଷ୍ଟ।

ଦିନସାରା ଘରର ସ୍ତ୍ରୀଲୋକମାନେ ପିଠା ତିଆରିରେ ଲାଗିଥିଲେ। ଭୋଗ ପାଇଁ କିଛି ପିଠା ଅଲଗା କାଢ଼ି ଦିଆଗଲା। ଠିକ୍ ପୂଜା ଆରମ୍ଭ ହେବା ପୂର୍ବରୁ ଦାଣ୍ଡ ଦୁଆରୁ ପାଟି ଶୁଭିଲା। ମୁଁ ଯାଇ ଦେଖେ ତ ଦାଣ୍ଡପିଣ୍ଢାରେ ଧାଡ଼ି ହୋଇ ବସିଛନ୍ତି ଆର ସାହିର ସ୍ତ୍ରୀଲୋକମାନେ। ସମସ୍ତଙ୍କ ହାତରେ ଗୋଟିଏ ଲେଖାଏଁ ଡେକଚି। ତା ଭିତରୁ ଜଣେ ବଡ଼ ପାଟିରେ କହିଲା, ଓ….ପଧାନୀ ! ପିଠାଖଣ୍ଡେ ଦିଅ ଗୋ !

ମୋ ଦେଠେଈ ପିଠା ନେଇ ଆସିଲେ। ସମସ୍ତଙ୍କୁ କିଛି କିଛି ଦେଲେ। ସେମାନେ ଆନନ୍ଦରେ ଆମ ପରିବାରର ଶୁଭ ମନାସି କହିଲେ, ମାଆ ଡାକେଶ୍ୱରୀ ତୁମ ପରିବାରକୁ ଘଣ୍ଟ ଘୋଡ଼େଇ ରଖନ୍ତୁ। ପୂଜା ଆରମ୍ଭ ହେବା ଆଗରୁ ସେମାନେ ପୁଣି ଆଉ କାହା ଘରକୁ ପିଠା ମାଗିବାକୁ ଚାଲିଗଲେ। ମତେ ଆଶ୍ଚର୍ଯ୍ୟ ଲାଗିଲା କେତେ ଧୈର୍ଯ୍ୟର ସହିତ ଏତେ ପିଠା ତିଆରି କରି ସାହିପଡ଼ିଶାଙ୍କୁ ବି ବାଣ୍ଟିଲେ।

ଇଏ ବି ଗୋଟିଏ ରୀତି, ଯେଉଁଥିରେ ଦାନ କରିବାର ଆନନ୍ଦ ନିହିତ ଥିଲା। ସେଥିରେ ଅନ୍ୟ ଲୋକଙ୍କର ହକ୍ ବି ଥିଲା। ସେମାନେ ଖୁସିରେ ଖୁସିରେ ନିଜର ହକ୍ ଜାହିର କରୁଥିଲେ। ଗ୍ରାମ୍ୟ ପରିବେଶରେ ଏ ପାରସ୍ପରିକ ସଂହତିର ଚିତ୍ର ଦେଖି ଭାରି ଖୁସି ଲାଗିଲା।

ସନ୍ଧ୍ୟା ହେବା ଠିକ୍ ପୂର୍ବରୁ ଘଣ୍ଟଘଣ୍ଟାର ଶବ୍ଦରେ ଓଷାକୋଠି ମୁଖରିତ ହେଲା। ଶୁଜି କାକରା, ଚାଉଳ କାକରା, ମୁଗ କାକରା, ଟାଙ୍କୁ ଫୁଲୁକି, ଆରିସା, ବିରିବରା, କାନ୍ତିପିଠା ସହିତ ଗଜମୁଆଁ ଓ ଫଳମୂଳ ଭୋଗ ବଢ଼ାହେଲା। ଛେନା, ଖଇରେ ଚାନ୍ଦ ତିଆରି ହେଲା। ଶଙ୍ଖ, ହୁଳହୁଳିରେ ଚାରିଦିଗ ପ୍ରକମ୍ପିତ ହେଲା। ମାସ ସାରା ନିଷ୍ଠାର ସହିତ ପାଳିଥାନ୍ତି ଝିଅମାନେ। ଶେଷଦିନଟି ଏମିତି ଧୁମଧାମରେ ପୂଜା ସମ୍ପନ୍ନ ହେଲା।

ଶେଷକୁ ରହିଲା ଭୋଗବଣ୍ଟା କାର୍ଯ୍ୟକ୍ରମ। ଫଳମୂଳ କଟାକଟି ହେଲା। ଲିଆମୁଆଁ, ରାଶିଲଡ଼ୁ, ସବୁପ୍ରକାର ପିଠା ଏକାଠି ଗୋଟିଏ ଡେକଚିରେ ରଖାହେଲା। ଚୋରଦାଦା ଭଲ ଭାବରେ ସବୁ ଗୋଳେଇଲେ। ସାହିଯାକର ଲୋକ ଭୋଗ ଖାଇବାକୁ ଅପେକ୍ଷା କରିଥାନ୍ତି। କଞ୍ଚା ଶାଳପତ୍ରର ଦନାରେ ଚୋରଦାଦା ସମାନ ଭାବେ ସମସ୍ତଙ୍କୁ ଭୋଗ ବାଣ୍ଟିଲେ। ଚୋରଦାଦାଙ୍କର ଏଇ ବିଶେଷ ଗୁଣଟି ଭାରି ଭଲ ଲାଗେ।

କେତେବର୍ଷ ହେଲାଣି ଗାଁକୁ ଯାଇନି। କିନ୍ତୁ, ଗାଁର ସବୁ ଖବର ରଖେ।

ଆଜିପାଇଁ ଏତିକି ଥାଉ। ବାକିକଥା ଆରଥରକୁ ରହିଲା…..

  • ସାଇଜ୍ୟୋତି ପ୍ରଧାନ

LEAVE A REPLY

Please enter your comment!
Please enter your name here