ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ ଜୁଲାଇ ୨୮, ୧୯୬୪ରେ ଜନ୍ମିତ ସୌରଭ ଗର୍ଗ ସେଣ୍ଟ କଲମ୍ବିଆ ସ୍କୁଲ, ନୂଆଦିଲ୍ଲୀରୁ ପଢିବା ପରେ ଆଇଆଇଟି, ଦିଲ୍ଲୀରୁ କେମିକାଲ ଇଞ୍ଜିନିୟରିଂରେ ବି.ଟେକ, ଆଇଆଇଏମ ଅହମ୍ମଦାବାଦରୁ ଏମବିଏ କରିବା ପରେ ଆମେରିକାର ଜନ ହପକିନ୍ସ ବିଶ୍ୱବିଦ୍ୟାଳୟରୁ ପିଏଚଡି ଲାଭ କରିଛନ୍ତି ।
ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ପୂର୍ବରୁ ସେ ଟାଟା କମ୍ପାନୀରେ ଚାକିରି କରୁଥିଲେ ।
୧୯୯୧ରେ ସୌରଭ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ଦେବଗଡ ଉପଜିଲ୍ଲାପାଳ ଭାବେ କାମ ଆରମ୍ଭ କରି ସେ ବରଗଡ, କେଉଁଝର ଜିଲ୍ଲାପାଳ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି । ଶିଳ୍ପ, ସାଧାରଣ ଉଦ୍ୟୋଗ, ଗୃହ ଓ ନଗର ଉନ୍ନୟନ ବିଭାଗର କମିଶନର ତଥା ସଚିବ ଭାବେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ।
୨୦୧୨- ୨୦୧୭ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେସନରେ ଯାଇ ସେ ଅର୍ଥ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ କାମ କରିଛନ୍ତି । ଡେପୁଟେସନରୁ ଫେରିବା ପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତୁଲାଉଛନ୍ତି ।
