* ଦେବେନ୍ଦ୍ର ନାଥ ପଣ୍ଡା
ପୁଅ ବାହାଘର ଭୋଜି ଦେଲି
ଆଇଁଷ ବାରଟେ ସ୍ଥିର କଲି,
ବିନା ଆଇଁଷରେ କି ଭୋଜି ବା ହବ
ଚଳୁନାହିଁ ସାଦା ଆଜିକାଲି
ଟେଏଣ୍ଟରେ ଲକ୍ଷେ ଟଙ୍କା ଗଲା
ରୋଷେଇଆ ତା’ର ଅଧା ନେଲା,
ଫିଇସ୍, ମଟନ୍, ଚିକେନ୍, ପ୍ରଅନ୍
ବଡ଼ ଆକାରରେ କିଣାଗଲା
ଆସିଗଲେ କ୍ୟାଟରିଙ୍ଗି ବାଲା
ଯୋଗାଡ଼ ସମସ୍ତ ସରିଗଲା,
ବନ୍ଧୁ ବାନ୍ଧବଙ୍କ ଭିଡ଼ ଲାଗିଗଲା
ଛାତି ମୋ ଗରବେ ଫୁଲିଗଲା
ଦି’ହପ୍ତା ଆଗରୁ ଗାଡି କରି,
ଦାମି ନିମନ୍ତ୍ରଣ କାର୍ଡ଼ ଧରି,
ପତିଆରା ମୋର ବଢାଇବା ପାଇଁ
ହଜାରେ ଲୋକଙ୍କୁ ଡାକିଥିଲି
ଆସିଗଲା ଶେଷେ ସେଇ ଦିନ,
ଡେଉଁଥାଏ ଖାଲି ମୋର ମନ,
ସାଜ ସଜା ଆଉ ଆଡମ୍ବର ଦେଖି
ସଭିଏଁ କହିଲେ ଧନ୍ୟ ଧନ୍ୟ
ଷ୍ଟେଏଜ୍ ଉପରେ ବୋହୂ ପୁଅ
ରାଜା ରାଣୀ ତାଙ୍କୁ ସରି ନୁହଁ,
ବିଉଟି ପାର୍ଲରେ ତିନି ଘଣ୍ଟା କାଟି
ଚକ୍ ଚକ୍ ଦିଶେ ଦେହ ମୁହଁ
ଗିଫ୍ଟ ପ୍ୟାକେଟ୍ ଗଦା ହେଲା,
ଭାବିଲି ପଇସା ଉଠିଗଲା,
ଷ୍ଟାର୍ଟର୍ ଷ୍ଟଅଲ୍ ଭିଡ଼ ଜମିଯାଇ,
ଖାଇବା ହଲ୍ ଟା ପୂରିଗଲା
ପଚାରି ବୁଝିଲି ବୁଲି ବୁଲି
ରୋଷେଇ କେମିତି ହେଲା ବୋଲି,
ସମସ୍ତେ ମୁଣ୍ଡକୁ ହଲେଇ କହିଲେ
ହବନି ଭୋଜିକୁ କେବେ ଭୁଲି
ପର ଦିନ ଖବରଟା ନେଲି
ଲୋକ ରିଆକ୍ସନ୍ ଜାଣି ଦେଲି,
ଲୋକେ କୁହାକୁହି କଳାଧନ ଶଳା
ରଖିଥିଲା ପୁଳେ ଦେଲା ଠେଲି
ଗିଇଫ୍ଟ ପ୍ୟାକେଟ୍ ଖୋଲି ନାହିଁ
ଗଲି ମନେ ବଡ଼ ଭୟ ପାଇ,
ପାର୍ସଲ୍ ବୋମା ଥିବ କି ନଥିବ
କହିକି ପାରିବ କେହି ଭାଇ ?