ନୂଆଦିଲ୍ଲୀ, ଅଗଷ୍ଟ ୧୮: ଜୁଲାଇ ୨୯ରେ ବସିଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରାଳୟ କରିବାକୁ ନିଷ୍ପତ୍ତି ହୋଇଥିଲା। କ୍ୟାବିନେଟର ଏହି ନିଷ୍ପତ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ଲାଭ କରିଛି।
ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ମନ୍ତ୍ରାଳୟର ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରାଳୟ କରିବାକୁ ପ୍ରସ୍ତାବ ଦିଆ ଯାଇଥିଲା। କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲା। ଏହା ସହିତ ନୂଆ ଶିକ୍ଷା ନୀତିକୁ ମଧ୍ୟ ଅନୁମୋଦନ ମିଳିଥିଲା। ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଉଚ୍ଚ ଶିକ୍ଷା ପାଇଁ ଗୋଟିଏ ନିୟାମକ ସଂସ୍ଥା ନ୍ୟାସନାଲ ହାୟର ଏଜୁକେଶନ ରେଗୁଲେଟୋରି ଅଥରିଟି (ଏନଏଚଇଆରଏ) ବା ହାୟର ଏଜୁକେଶନ କମିଶନ ଅଫ ଇଣ୍ଡିଆ ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ଏହାସହିତ ପ୍ରାଥମିକ ସ୍ତରରେ ଶିକ୍ଷାର ଗୁଣାତ୍ମକ ମାନ ଉନ୍ନତି ପାଇଁ ନୂତନ ଜାତୀୟ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଶିକ୍ଷା ମନ୍ତ୍ରାଳୟ ଗୁରୁତ୍ୱ ଦେଇଛି।
ଏହି ଢାଞ୍ଚାରେ ବିଭିନ୍ନ ଭାଷାର ଜ୍ଞାନ, ଏକବିଂଶ ଶତାବ୍ଦୀ ସହିତ ଜଡିତ କୌଶଳ, କଳା ଓ ପରିବେଶ ସମ୍ବନ୍ଧୀୟ ବିଷୟଗୁଡିକ ଉପରେ ଗୁରୁତ୍ୱ ଦିଆଯିବ।